ବ୍ୟାଙ୍କ ଗାଡ଼ିରୁ ୩୫ ଲକ୍ଷ ଲୁଟ ଘଟଣା, ତଦନ୍ତ ଜାରି

ସମ୍ବଲପୁର : ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଇଲାକାରେ ଦେବଗଡ଼ ଜିଲା ଲଇମୁରାସ୍ଥିତ ଆନ୍ଧ୍ର ବ୍ୟାଙ୍କ ଶାଖା କର୍ମଚାରୀଙ୍କଠାରୁ ୩୫ ଲକ୍ଷ ଟଙ୍କା ଲୁଟ ଘଟଣାରେ ତଦନ୍ତ ଜାରି ରହିଛି । ସମ୍ବଲପୁର ଏସପି ଡ. କନୱର ବିଶାଲ ସିଂହ ସୋମବାର ବିଳମ୍ବ ରାତି ଯାଏ ଘଟଣାସ୍ଥଳରେ ସ୍ଥିତିର ଅନୁଧ୍ୟାନ କରିବା ସହ କୁଚିଣ୍ଡା ଥାନାରେ ରହି ତଦନ୍ତର ତଦାରଖ କରିଥିଲେ । ଏକ ସ୍ୱତନ୍ତ୍ର ଟିମ୍ ଦ୍ୱାରା ତଦନ୍ତ କାର୍ଯ୍ୟ ଚାଲିଥିବାବେଳେ ବ୍ୟାଙ୍କର ଆସିଷ୍ଟାଂଟ ମ୍ୟାନେଜର ଦିଲୀପ କୁମାର କୁଜୁର, ପିଅନ ସଦାଶିବ ବାଂଠୁ ଏବଂ କାର ଡ୍ରାଇଭର ଶରତ ବାଘଙ୍କୁ ପୁଲିସ ପଚରାଉଚୁରା ଚଳାଇଥିବା ଜଣାପଡ଼ିଛି । ଏଠାରେ ପ୍ରକାଶ ଥାଉ କି, ଆନ୍ଧ୍ର ବ୍ୟାଙ୍କ ଲଇମୁରା ଶାଖାର ଆସିଷ୍ଟାଂଟ ମ୍ୟାନେଜର ଶ୍ରୀ କୁଜୁର ଓ ପିଅନ ଶ୍ରୀ ବାଂଠୁ ସ୍ଥାନୀୟ ଅଂଚଳର ଘରୋଇ କାରକୁ ଭଡ଼ାରେ ନେଇ ସମ୍ବଲପୁର ବ୍ୟାଙ୍କର ଟଙ୍କା ଆଣିବାକୁ ଯାଇଥିଲେ । ପ୍ରାୟ ୩୫ ଲକ୍ଷ ଟଙ୍କା ନେଇ ସେମାନେ ଲଇମୁରା ଫେରୁଥିବାବେଳେ ସମ୍ବଲପୁର ଓ ଦେବଗଡ଼ ଜିଲା ସୀମାନ୍ତରେ କୁଚିଣ୍ଡା ଥାନା ଅନ୍ତର୍ଗତ କରଙ୍ଗାମାଲ ଜଙ୍ଗଲିଆ ରାସ୍ତାର ଠୁଟିପିପଲଠାରେ ୩ଟି ବାଇକରେ ଆସିଥିବା ୬ ଜଣ ଦୁର୍ବୃୃତ ପିସ୍ତଲମୁନରେ ଟଙ୍କା ବ୍ୟାଗ ଲୁଟି ଫେରାର ହୋଇ ଯାଇଥିଲେ । ଏନେଇ ରାତିରେ କୁଚିଣ୍ଡା ଥାନାରେ ଏତଲା ହେବା ପରେ ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲା । ପୁଲିସ ପଚରାଉଚୁରା ଚଳାଇଥିବା ଆସିଷ୍ଟାଂଟ ମ୍ୟାନେଜର ଶ୍ରୀ କୁଜୁର ଝାରଖଣ୍ଡର ମୂଳବାସିନ୍ଦା ହୋଇଥିବାବେଳେ ପିଅନ ସଦାଶିବ ଓ କାର ଡ୍ରାଇଭର ଶରତ ସ୍ଥାନୀୟ ଅଂଚଳର ବାସିନ୍ଦା ବୋଲି ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here