28.1 C
Bhubaneswar
Friday, July 19, 2024
Homeଦେଶ ବିଦେଶକର୍ଣ୍ଣାଟକରେ ୩୧ ମନ୍ତ୍ରୀ କୋଟିପତି: ଏଡିଆର ରିପୋର୍ଟ; ୨୪ ମନ୍ତ୍ରୀଙ୍କ ବିରୋଧରେ ଅପରାଧିକ ମାମଲା

କର୍ଣ୍ଣାଟକରେ ୩୧ ମନ୍ତ୍ରୀ କୋଟିପତି: ଏଡିଆର ରିପୋର୍ଟ; ୨୪ ମନ୍ତ୍ରୀଙ୍କ ବିରୋଧରେ ଅପରାଧିକ ମାମଲା

ନୂଆଦିଲ୍ଲୀ : କର୍ଣ୍ଣାଟକରେ କଂଗ୍ରେସ କ୍ଷମତାକୁ ଫେରିଥିବାବେଳେ ଗତ ଶନିବାର ମୁଖ୍ୟମନ୍ତ୍ରୀ ସିଦ୍ଧରମେୟାଙ୍କ କ୍ୟାବିନେଟ୍‌ର ୨୪ ଜଣ ମନ୍ତ୍ରୀ ଶପଥଗ୍ରହଣ କରିଛନ୍ତି । ପୂର୍ବରୁ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା, ଉପୁମୁଖ୍ୟମନ୍ତ୍ରୀ ଶିବକୁମାରଙ୍କ ସମେତ ୮ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିସାରିଥିଲେ । ବର୍ତ୍ତମାନ ଏମାନଙ୍କୁ ମିଶାଇ କ୍ୟାବିନେଟ ମନ୍ତ୍ରୀଙ୍କ ସଂଖ୍ୟା ୩୨କୁ (ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କୁ ବାଦଦେଇ) ବୃଦ୍ଧି ପାଇଛି ।

ତେବେ ମୋଟ ୩୨ ମନ୍ତ୍ରୀଙ୍କ ମଧ୍ୟରୁ ୩୧ ଜଣ କୋଟିପତି ହୋଇଥିବାବେଳେ ୨୪ ଜଣଙ୍କ ବିରୋଧରେ ଅପରାଧିକ ମାମଲା ବିଚାରାଧୀନ ରହିଛି ବୋଲି ନିର୍ବାଚନ ୱାଚ୍‌ଡଗ୍ ସଂସ୍ଥା ଏଡିଆର (ଆସୋସିଏସନ ଫର୍ ଡେମୋକ୍ରାଟିକ ରିଫର୍ମସ) ପକ୍ଷରୁ କରାଯାଇଥିବା ସର୍ଭେରୁ ଜଣାପଡିଛି । କୋଟିପତି କୁହାଯାଉଥିବା ୩୧ ମନ୍ତ୍ରୀଙ୍କ ହାରାହାରି ସମ୍ପତ୍ତି ପରିମାଣ ୧୧୯.୦୬ କୋଟି ଟଙ୍କା । କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ତଥା ପିସିସି ସଭାପତି ଡି.କେ.ଶିବକୁମାର ସବୁଠାରୁ ଧନୀ ମନ୍ତ୍ରୀଭାବେ ମାନ୍ୟତାଲାଭ କରିଛନ୍ତି । ତାଙ୍କ ସମ୍ପତ୍ତି ପରିମାଣ ୧୪୧୩.୮୦କୋଟି ଟଙ୍କା ବୋଲି ଜଣାପଡିଛି ।

ଅପରପକ୍ଷରେ ସିଦ୍ଧରମେୟାଙ୍କ କ୍ୟାବିନେଟ୍‌ରେ ମନ୍ତ୍ରିପଦ ପାଇଥିବା ଟି.ଆର.ବାଲାପ୍ପା ସବୁଠାରୁ ଗରିବ ମନ୍ତ୍ରୀ ବୋଲି ରିପୋର୍ଟରୁ ଜଣାପଡିଛି । ବାଲାପ୍ପା ତାଙ୍କ ସମ୍ପତ୍ତି ପରିମାଣ ୫୮.୫୬ ଲକ୍ଷ ଟଙ୍କା ବୋଲି ସତ୍ୟପାଠରେ ଉଲ୍ଲେଖ କରିଛନ୍ତି । କ୍ୟାବିନେଟ୍‌ରେ ଏକମାତ୍ର ମହିଳାଭାବେ ସ୍ଥାନ ପାଇଥିବା ଲକ୍ଷ୍ମୀ ହେବଲକରଙ୍କ ସମ୍ପତ୍ତି ପରିମାଣ ୧୩ କୋଟି ଟଙ୍କା ଏବଂ ତାଙ୍କ ଉପରେ ୫ କୋଟି ଟଙ୍କାର ଋଣବୋଝ ରହିଥିବା ଜଣାପଡିଛି । ଅପରପକ୍ଷରେ ୬ ଜଣ ମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ୮ମରୁ ୧୨ଶ ଶ୍ରେଣୀ ହୋଇଥିବାବେଳେ ୧୨ ଜଣ ମନ୍ତ୍ରୀ ସ୍ନାତକ କିମ୍ବା ତଦୁର୍ଦ୍ଧ୍ୱ ଡିଗ୍ରୀଧାରୀ ବୋଲି ଜଣାପଡିଛି ।

୨ ଜଣ ମନ୍ତ୍ରୀ ଡିପ୍ଲୋମାଧାରୀ ବୋଲି ରିପୋର୍ଟରେ ଦର୍ଶାଯାଇଛି । ୧୮ ଜଣ ମନ୍ତ୍ରୀଙ୍କ ବୟସ ୪୧ରୁ ୬୦ ବର୍ଷ ମଧ୍ୟରେ ହୋଇଥିବାବେଳେ ୧୪ ଜଣ ମନ୍ତ୍ରୀଙ୍କ ବୟସ ୬୧ରୁ ୮୦ ବର୍ଷ ମଧ୍ୟରେ । ଚଳିତମାସ ୧୦ରେ କର୍ଣ୍ଣାଟକ ବିଧାନସଭାର ମୋଟ ୨୨୪ ଆସନ ପାଇଁ ଭୋଟଗ୍ରହଣ କରାଯାଇଥିଲା । ୧୩ରେ ଫଳାଫଳ ଘୋଷିତ ହୋଇଥିବାବେଳେ କଂଗ୍ରେସକୁ ସର୍ବାଧିକ ୧୩୫, ବିଜେପିକୁ ୬୬ ଏବଂ ଜେଡିଏସ୍‌କୁ ୧୯ଟି ଆସନ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking