27.1 C
Bhubaneswar
Thursday, April 25, 2024
Homeଓଡିଶାଚଳିତ ବର୍ଷ ନିର୍ମାଣ ହେବ ୩୦୦ ଚେକଡ୍ୟାମ୍‌

ଚଳିତ ବର୍ଷ ନିର୍ମାଣ ହେବ ୩୦୦ ଚେକଡ୍ୟାମ୍‌

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଛୋଟ ନଦୀ ଓ ନାଳରେ ଚଳିତ ବର୍ଷ ୩୦୦ ଚେକ୍ ଡ୍ୟାମ୍ ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଛି । ଏହି ସବୁ ଚେକ୍ ଡ୍ୟାମ୍ ନିର୍ମାଣ ପାଇଁ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ଗତ ୨ ମାସ ମଧ୍ୟରେ ୪୫ ପୋଲ ତଳେ ଏହି ଡ୍ୟାମ୍ ନିର୍ମାଣ ହୋଇଛି ବୋଲି ଏକ ସମୀକ୍ଷା ବୈଠକରୁ ଜଣାପଡ଼ିଛି । ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଅଗ୍ରଗତିର ସମୀକ୍ଷା କରି ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଥିଲେ ଯେ ସ୍ୱଳ୍ପ-ଖର୍ଚ୍ଚ ଭିତ୍ତିକ ଏହି ସବୁ ଚେକ୍‌ଡ୍ୟାମ୍ ନିର୍ମାଣରେ ବହୁମୁଖୀ ସୁଫଳ ମିଳିଥାଏ । ପ୍ରତି ଚେକ୍‌ଡ୍ୟାମ୍ ଯୋଗୁ ନଦୀ ଶଯ୍ୟାରେ ପ୍ରାୟ ୧ରୁ ୧.୫ କିମି ବ୍ୟାପୀ ଜଳ ପତନ ବୃଦ୍ଧି ପାଏ । ଏହି ଜଳକୁ ନଦୀର ଉଭୟ ପାର୍ଶ୍ୱରେ ଥିବା ଚାଷ ଜମିକୁ ଉଠା ପମ୍ପ୍ ମାଧ୍ୟମରେ ଜଳସେଚନ ଓ ପାନୀୟ ଜଳ ପ୍ରକଳ୍ପ ପାଇଁ ଜଳ ଯୋଗାଣ ସମ୍ଭବ ହୁଏ ।

ନଦୀରେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ମାଛଚାଷ କରିବା ସମ୍ଭବ ହୁଏ । ବୈଠକରେ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା କହିଥିଲେ ଯେ ପୋଲ ତଳ ଚେକ୍‌ଡ୍ୟାମ୍ ପ୍ରାୟ ୧ରୁ ୧.୫ ମି. ଉଚ୍ଚତାର ଜଳ ଧାରଣ କରେ । ପରବର୍ତ୍ତୀ ଜଳ ନଦୀର ତଳ ମୁଣ୍ଡକୁ ଯାଏ । ନଦୀର ପ୍ରାକୃତିକ ପ୍ରବାହ ଉପରେ ଏହି ଚେକ୍‌ଡ୍ୟାମ୍ ଖରାପ ପ୍ରଭାବ ପକାଏନାହିଁ । ଏହି ବୈଷୟିକ କୌଶଳ ଓଡ଼ିଶା ପାଇଁ ବେଶ ଉପଯୋଗୀ ବୋଲି କହିଥିଲେ । ସମୀକ୍ଷାରୁ ଜଣାପଡିଥିଲା ଯେ ପ୍ରାୟ ୨ ମାସ ମଧ୍ୟରେ ୪୫ଟି ପୋଲ ତଳେ ଚେକ୍‌ଡ୍ୟାମ୍ ନିର୍ମାଣ ଶେଷ ହୋଇଛି । ଏଥି ମଧ୍ୟରୁ ୩୧ଟି ପୁର୍ତ୍ତ ବିଭାଗ ଏବଂ ୧୪ଟି ଗ୍ରାମ ଉନ୍ନୟନ ବିଭାଗ ନିର୍ମାଣ କରିଛନ୍ତି ।

ଏହାବ୍ୟତୀତ ଏହି ଦୁଇ ବିଭାଗଙ୍କ ଦ୍ୱାରା ପ୍ରାୟ ୪୮୦ଟି ପୋଲ ଚିହ୍ନଟ କରାଯାଇଛି; ଯାହା ତଳେ ଚେକ୍‌ଡ୍ୟାମ୍ ନିର୍ମାଣ ସଫଳ ହେବ । ଚଳିତ ବର୍ଷ ୩୦୦ଟି ଚେକ୍‌ଡ୍ୟାମ୍ ନିର୍ମାଣ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ପ୍ରାୟ ୪୧୩.୮୧ କୋଟି ଟଙ୍କାର ପ୍ରାଥମିକ ଖର୍ଚ୍ଚ ଅଟକଳ କରାଯାଇଛି । ଚେକ୍‌ଡ୍ୟାମ୍ ନିର୍ମାଣ ହୋଇଥିବା ନଦୀ, ନାଳର ଉଭୟ ପାର୍ଶ୍ୱରେ ଥିବା ଜମିରେ ପନିପରିବା, ଅନ୍ୟାନ୍ୟ ଅର୍ଥକାରୀ ଫସଲ ପତ୍ପାଦନ ପାଇଁ ଚାଷୀମାନଙ୍କୁ ସଂଗଠିତ କରିବା ସହ ଉଠା ଜଳସେଚନ ପମ୍ପ୍ ମାଧ୍ୟମରେ ଜଳ ଯୋଗାଇଦେବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପତ୍ର ଜଳ ସମ୍ପଦ, ଉଦ୍ୟାନଚାଷ, କୃଷି ଓ କୃଷକ ସଶକ୍ତୀକରଣ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜଳସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁଗର୍ଗ, ପୁର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ବିକ୍ରମ ଯାଦବ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀ ଏବଂ ଯନ୍ତ୍ରୀମାନେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking