ଖଳିସାହି ବଜାରରେ ଆତଙ୍କ ଖେଳାଇଲେ ଯୁବକ : ୩ ଅଟକ

ନୟାଗଡ଼ : ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ଅନ୍ତର୍ଗତ ଖଳିସାହି ବଜାରରେ ସୋମବାର ତିନି ଜଣ ଯୁବକ ଆତଙ୍କ ସୃଷ୍ଟି କରିଛନ୍ତି । ଏକ ବ୍ୟବସାୟ ପ୍ରତିଷ୍ଠାନ ଉପରକୁ ପ୍ରଥମେ ଟେକା ପଥର ଓ ପରେ ବୋମା ଫିଙ୍ଗିଥିବା ଅଭିଯୋଗ ହୋଇଛି । ବଜାରର ବ୍ୟବସାୟୀମାନେ ଏକାଠି ହୋଇ ୩ ଯୁବକଙ୍କୁ ଧରିବା ସହ ପୁଲିସରେ ଦେଇଛନ୍ତି ।
ସୂଚନା ଅନୁଯାୟୀ, ଖଳିସାହି ବଜାରରେ ଶରତ ମହାପାତ୍ରଙ୍କ ଏକ ବ୍ୟବସାୟ ପ୍ରତିଷ୍ଠାନ ରହିଛି । ସେ ସୋମବାର ନିଜ ଦୋକନରେ ଉପସ୍ଥିତ ଥିବାବେଳେ ସ୍ଥାନୀୟ ଇଚ୍ଛାପୁର ଗ୍ରାମର ଆଲୋକ ନାଏକ, ଜିତେନ ନାଏକ ଏବଂ ଅନ୍ୟଜଣେ ଯୁବକ ଏକ ବାଇକରେ ଆସି ହଠାତ୍ ଟେକାପଥର ଫିଙ୍ଗିବା ସହ ବୋମା ମାଡ଼ କରିଥିଲେ । ଏଥିରେ ଶରତ ଭୟଭୀତ ହୋଇ ପ୍ରାଣ ବିକଳରେ ପାଟି କରିବାରୁ ସ୍ଥାନୀୟ ଅନ୍ୟ ବ୍ୟବସାୟୀମାନେ ସେଠାକୁ ଚାଲି ଆସିଥିଲେ । ଫଳରେ ଯୁବକ ତିିନିଜଣ ସେଠାରୁ ଯାଇ ଖଳିସାହି ବଜାର ଶେଷରେ ଲୁଚି ରହିଥିଲେ । ଏହାକୁ ନେଇ ବ୍ୟବସାୟୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ଅଭିଯୋଗ କରିବା ପାଇଁ ସମସ୍ତେ ଖଣ୍ଡପଡ଼ା ଥାନା ଅଭିମୁଖେ ବାହାରିଥିବା ବେଳେ ୩ ଯୁବକ ବହୁ ଲୋକଙ୍କୁ ଦେଖି ପୁଣିଥରେ ବୋମା ଫିଙ୍ଗିଥିଲେ । ଲୋକମାନେ ସେମାନଙ୍କୁ କାବୁ କରି ପୁଲିସରେ ଜିମା ଦେଇଥିବା ବେଳେ ଏ ନେଇ ଶରତ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ସେମାନଙ୍କଠାରୁ ଅଫୁଟା ବୋମା ଜବତ କରିବା ସହ ଥାନାରେ ଅଟକ ରଖିଥିବା ଜଣାପଡ଼ିଛି । ଅନୁରୂପ ଭାବେ ଦୁର୍ଗାବଜାର ବ୍ୟବସାୟୀ ସଂଘ ସଭାପତି ଦାଶରଥି ସାଥୁଆ ଯୁବକଙ୍କ ଦୌରାତ୍ମ୍ୟ ନେଇ ଥାନାରେ ଅଭିଯୋଗ କରିବା ସହ ପୁଲିସ ପାଟ୍ରୋଲିଂ ପାଇଁ ଦାବି କରିଛନ୍ତି । ଖଳିସାହି ଅଞ୍ଚଳ ଏକ ବ୍ୟବସାୟିକ ପେଣ୍ଠସ୍ଥଳୀ ହୋଇଥିବାବେଳେ ଦିନକୁ ଦିନ ଏଠାରେ ଅସାମାଜିକ ଯୁବକଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଉଥିବା ନେଇ ସେ ଅଭିଯୋଗ କରିଛନ୍ତି । ଜିଲ୍ଲା ପୁଲିସ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ବ୍ୟବସାୟୀମାନେ ଦାବି କରିଛନ୍ତି ।