ଭୁବନେଶ୍ୱର: ବିରୋଧୀ ଦଳର ପ୍ରବଳ ହଟ୍ଟଗୋଳ ମଧ୍ୟରେ ଓଡ଼ିଶା ବ୍ୟୟମଞ୍ଜୁରୀ ବିଲ୍-୨୦୨୩ସ୍ପୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ବାଚନିକ ଭୋଟ୍ରେ ଗୃହୀତ କରିଛନ୍ତି । ଆଉ ୩ଟି ଗୁରୁତ୍ୱପୂର୍ଣ୍ଣ ବିଲ୍କୁ ରାଜ୍ୟ ସରକାର ଫେରସ୍ତ କରିନେଇଛନ୍ତି । ସେଗୁଡ଼ିକ ହେଉଛି ଓଡ଼ିଶା ଆପାର୍ଟମେଣ୍ଟ ଓନର୍ସିପ୍ ଆଣ୍ଡ ମ୍ୟାନେଜ୍ମେଣ୍ଟ ବିଲ୍-୨୦୨୩, ଓଡ଼ିଶା ପଛୁଆବର୍ଗ ଆୟୋଗ(ସଂଶୋଧନ) ବିଲ୍-୨୦୨୩, ଓଡ଼ିଶା ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂଅର୍ଜନ,ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା(ଓଡ଼ିଶା ସଂଶୋଧନ) ବିଲ୍-୨୦୨୩ ।
ଶୁକ୍ରବାର ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି ଏଥିସମ୍ପର୍କିତ ‘ମୋସନ’ ଆଣିଥିଲେ । ପରେ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀଙ୍କ ପକ୍ଷରୁ ପଞ୍ଚାୟତିରାଜ ମନ୍ତ୍ରୀ ଟୁକୁନି ସାହୁ, ଆଦିବାସୀ ଓ ହରିଜନ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଓ ରାଜ୍ୟସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଏହି ୩ଟି ବିଲକୁ ଫେରସ୍ତ କରିନେବାକୁ ପ୍ରସ୍ତାବ ଦେଇଥିଲେ । ଏହାକୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗ୍ରହଣ କରିଥିଲେ । ଦ୍ୱିତୀୟାର୍ଦ୍ଧ ବୈଠକରେ ପ୍ରବଳ ହଟ୍ଟଗୋଳ ମଧ୍ୟେରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୩-୨୪ ଆର୍ଥିକ ବର୍ଷର ୨.୩୦ ଲକ୍ଷ କୋଟିର ବ୍ୟୟମଞ୍ଜୁରି ବିଲ୍ ଆଗତ କରଥିଲେ । ଏହାକୁ ବିରୋଧୀ ସଭ୍ୟମାନେ ତୀବ୍ର ବିରୋଧ କରିଥିଲେ ହେଁ ବାଚସ୍ପତି ଶ୍ରୀ ଆରୁଖ ବିଲ୍ଟିକୁ ବାଚନିକ ଭୋଟ୍ରେ ପାରିତ କରିଥିଲେ । ଫଳରେ ଟ୍ରେଜେରୀକୁ ଅର୍ଥ ବ୍ୟୟ ନେଇ ଚାବି କାଠି ମିଳିଯାଇଛି ।
ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ କହିଥିଲେ, ଏଥର ବଜେଟ୍ ଲୋକାଭିମୁଖୀ ହୋଇଛି । ଗାଁ ବିକାଶ ସହ ଭିତ୍ତିଭୂମି ଉନ୍ନତିକୁ ଅଧିକ ଫୋକସ୍ ଦିଆଯାଇଛି । ଏଥିସହ ଶିକ୍ଷା, ସ୍ୱାସ୍ଥ୍ୟ, ଯୁବକ ଓ ମହିଳା,ସଶକ୍ତିକରଣ, ଅନୁସୂଚିତ ଜାତି, ଜନଜାତି, ସଂଖ୍ୟଲଘୁ ସଂପ୍ରଦାୟଙ୍କ ଉନ୍ନତି ଉପରେ ବି ଗୁରୁତ୍ୱ ଦିଆଯାଇଛି । ଏଥର ମୋଟ୍ ୨୦ଟି ନୂଆ ଯୋଜନା କାର୍ଯ୍ୟକାରୀ ହୋଇଛି । ଅଧିକ ରାଜସ୍ୱ ସଂଗ୍ରହ ଓ ଉନ୍ନତ ବ୍ୟୟ ପରିଚାଳନା ଯୋଗୁଁ କ୍ରମାଗତ ଭାବେ ଓଡ଼ିଶା ଏକ ରାଜସ୍ୱ ବଳକା ରାଜ୍ୟରେ ପରିଣତ ହୋଇଛି । ଆର୍ôଥକ ନିଅଣ୍ଟ ଏଫ୍ଆରବିଏମ୍ ଆକ୍ଟ ଅନୁଯାୟୀ ଜିଏସ୍ଡିପିର ୩% ସ୍ତରରେ ରହିଛି । ଟିକସ୍ ଓ ରାଜ୍ୟ ସାମଗ୍ରିକ ଘରୋଇ ଉତ୍ପାଦର ଅନୁପାତ ୨୦୨୩-୨୪ରେ ୬% ହେବା ନେଇ ଅଟକଳ କରାଯାଇଛି ।
ବଜେଟ୍୍ ଅଟକଳରେ ନିଜସ୍ୱ ରାଜସ୍ୱ ଓ ଜିଏସ୍ଡିପିର ଅନୁପାତ ୧୨.୨୫% ରହିଛି । ମୋଟ୍ ନିଜସ୍ୱ ରାଜସ୍ୱର ଅଂଶ ପ୍ରାୟ ୫୭% ହୋଇପାରିଛି । ମାତ୍ର ପୂର୍ବ ବର୍ଷ ତାହା ୫୮% ଥିଲା । ତେଣୁ କେନ୍ଦ୍ରୀୟ ସହାୟତା ଉପରେ ଆମର ନିର୍ଭରଶୀଳତା କମିଛି । ବଜେଟ୍ରେ କୃଷି ଓ ଆନୁସଙ୍ଗିକ କ୍ଷେତ୍ର ପାଇଁ ବ୍ୟୟ ଅଟକଳ ଯଥେଷ୍ଟ ବୃଦ୍ଧି କରାଯାଇଛି । କୃଷି ଓ ଆନୁସଙ୍ଗିକ କାର୍ଯ୍ୟକ୍ରମ ମାଧ୍ୟମରେ ଖାଦ୍ୟ ଉତ୍ପାଦନ, ଚାଷୀଙ୍କ ରୋଜଗାର ଓ କୃଷକ କଲ୍ୟାଣ ପାଇଁ ୨୩,୮୨୯ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ଗତ ବର୍ଷ ତୁଳନାରେ ତାହା ୨୧% ଅଧିକ ରହିଛି । ଚାଷୀଙ୍କର ସାମଗ୍ରିକ କଲ୍ୟାଣ ନିମନ୍ତେ “କାଳିଆ’ ଯୋଜନାରେ ୨୦୨୨-୨୩ରେ ୧୮୭୪ କୋଟି ବଙ୍କାର ବ୍ୟୟ ବରାଦ ହୋଇଥିଲା ।
୨୦୨୩-୨୪ରେ ତାର ପରିମାଣ ୧୮୭୯ କୋଟିକୁ ବୃଦ୍ଧି ହୋଇଛି । ସେହିପରି ଧାନ ସଂଗ୍ରହ ପାଇଁ ୨ ହଜାର କୋଟି ଟଙ୍କାର ସ୍ୱତନ୍ତ୍ର ରିର୍ଭଲବିଙ୍ଗ ପାଣ୍ଠି । ରାଜ୍ୟରେ ନୂତନ ଭାବେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର କାର୍ଯ୍ୟକାରୀ ହୋଇଛି । ସେହିପରି ବଜେଟ୍ରେ ସ୍ୱୟଂ ସହାୟକ ଗୋଷ୍ଠୀ ୧୦ହଜାର କୋଟି ଟଙ୍କାର ବ୍ୟବସାୟ ଦିଆଯିବା ସହ ନିଜସ୍ୱ ରାଜସ୍ୱର ଅଂଶ ୫୭%, ପୂର୍ବ ବର୍ଷ ଥିଲା ୫୮% ରହିଛି । କେନ୍ଦ୍ରୀୟ ସହାୟତା ଉପରେ ଆମର ନିର୍ଭରଶୀଳତା କମିଛି । ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୩୦,୦୩୦ କୋଟି, ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ୧୬,୦୪୮ କୋଟି, ଗ୍ରାମାଞ୍ଚଳ ପାଇପ୍ ଜଳ ଯୋଗାଣ ପାଇଁ ୧୩,୨୧୫ କୋଟି, ଅନୁସୂଚିତ ଜାତି ଓ ଜନଜାତି ବିକାଶ ପାଇଁ ୩୮,୪୩୭ କୋଟି ଏବଂ ସଡ଼କ,ସେତୁ,ବିମାନବନ୍ଦର ଓ ରେଳପଥ ପାଇଁ ୧୯,୪୫୨ କୋଟି ବ୍ୟୟବରାଦ ହୋଇଛି । ତେଣୁ ବଜେଟ୍ ଅର୍ଥ ଲୋକ ହୀତରେ ଅଧିକ ଅର୍ଥ ବ୍ୟୟ ହେବ ବୋଲି ଅର୍ଥମନ୍ତ୍ରୀ ଗୃହ ଭିତରେ ଓ ବାହାରେ ପ୍ରକାଶ କରିଥିଲେ ।