32.1 C
Bhubaneswar
Thursday, March 28, 2024
Homeଓଡିଶାଜଙ୍ଗଲ ରାସ୍ତାରେ ଚାଲି ଚାଲି ଫେରିଲେ ୨୮ଶ୍ରମିକ

ଜଙ୍ଗଲ ରାସ୍ତାରେ ଚାଲି ଚାଲି ଫେରିଲେ ୨୮ଶ୍ରମିକ

ମାଲକାନଗିରି : ମୁହଁ ମୋଡ଼ି ଦେଲା ଠିକାଦାର। ଏହାପରେ ଅଖିଆ ଅପିଆ ପାଦରେ ଯାତ୍ରା ଆରମ୍ଭ କଲେ। ଜଙ୍ଗଲ ରାସ୍ତାରେ ୭ଦିନ ଚାଲିବା ପରେ ୨୫୦କିଲୋମିଟର ଅତିକ୍ରମ କଲେ। ଏମିତି ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି ମାଲକାନଗିରି ଜିଲ୍ଲାର ୨୮ଜଣ ଦାଦନ ଶ୍ରମିକ। ପ୍ରଶାସନ ଏମାନଙ୍କୁ ଠାବ କରିବା ପରେ ସଙ୍ଗରୋଧରେ ରଖିଛି।
ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ୍ ବଡ଼ଘାଟ ଗାଁର ୨୮ଜଣ ଶ୍ରମିକ କିଛି ମାସ ତଳେ ତେଲେଙ୍ଗାନାର ଖମାମ ଜିଲ୍ଲାକୁ ଯାଇଥିଲେ। ଜଣେ ଠିକାଦାରଙ୍କ ଅଧୀନରେ ଏମାନେ କାମ କରୁଥିଲେ। ଗତମାସ ୨୮ତାରିଖ ପର୍ଯ୍ୟନ୍ତ ଠିକାଦାର ଏମାନଙ୍କ କଥା ବୁଝୁଥିଲେ। ଏହାପରେ ଭଗବାନଙ୍କ ଭରସାରେ ଛାଡ଼ି ଚାଲିଗଲେ। ଅନ୍ୟପଟେ ପରିବାର ଲୋକ ପ୍ରତିନିଧି ଫୋନ କରି ସେମାନଙ୍କ ଫେରିବା ବାଟକୁ ଚାହିଁ ରହିଥିଲେ। ହୀନସ୍ତା ହୋଇ ରହିବା ଅପେକ୍ଷା ଗାଁକୁ ଚାଲି ଚାଲି ଯିବା ବିକଳ୍ପକୁ ଏମାନେ ବାଛିଥିଲେ। ପୁଲିସ ଭୟରେ ଜଙ୍ଗଲ ରାସ୍ତା ଦେଇ ଚାଲିବା ଆରମ୍ଭ କରିଥିଲେ। ପ୍ରାୟ ଗୋଟିଏ ସପ୍ତାହ ଚାଲିବା ପରେ ୨୫୦ରୁ ଊର୍ଦ୍ଧ୍ବ କିଲୋମିଟର ଅତିକ୍ରମ କରି କୋରୁକୋଣ୍ଡା ବ୍ଲକ୍ ଅନ୍ତର୍ଗତ ନିଳାକାମ୍ବେରୁ ପଞ୍ଚାୟତର ଟୁନିଗୁଡ଼ା ଜଙ୍ଗଲରେ ପହଞ୍ଚିଥିଲେ। ସେଠାରୁ ମୁଖ୍ୟରାସ୍ତାକୁ ଆସିବା ବେଳକୁ ସ୍ଥାନୀୟ ଲୋକଙ୍କ ନଜରରେ ଆସିଥିଲେ। ଏନେଇ ବାଲିମେଳା ଥାନା ଏବଂ ପ୍ରଶାସନକୁ ଖବର ଦିଆଯାଇଥିଲା। ଚିତ୍ରକୋଣ୍ଡା ଏସଡିପିଓ ସୁନାରାମ ହେମ୍ରମ, ଥାନା ଅଧିକାରୀ ଜଗଦୀଶ ବାରା, ଏନଏସି ନିର୍ବାହୀ ଅଧିକାରୀ କୃଷ୍ଣଚନ୍ଦ୍ର ରଥ ପ୍ରମୁଖ ଶ୍ରମିକମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ। ସ୍ବାସ୍ଥ୍ୟ ପରୀକ୍ଷା ପରେ ଡ୍ରଗଲାଇନ ପ୍ରକଳ୍ପ ବିଦ୍ୟାଳୟରେ ସଙ୍ଗରୋଧରେ ରଖାଯାଇଛି। ପ୍ରାୟ ୧୪ଦିନ ପର୍ଯ୍ୟନ୍ତ ଏଠାରେ ରଖିବା ପରେ ପୁଣି ସ୍ବାସ୍ଥ୍ୟ ପରୀକ୍ଷା କରି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking