31.1 C
Bhubaneswar
Tuesday, April 23, 2024
Homeଦେଶ ବିଦେଶ୨୦୨୧ ସର୍ଭେ ରିପୋର୍ଟ: ବିଦେଶୀ ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ଥିଲା ମହାରାଷ୍ଟ୍ର ଓ ତାମିଲନାଡୁ

୨୦୨୧ ସର୍ଭେ ରିପୋର୍ଟ: ବିଦେଶୀ ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ଥିଲା ମହାରାଷ୍ଟ୍ର ଓ ତାମିଲନାଡୁ

ନୂଆଦିଲ୍ଲୀ :୨୦୨୧ ମସିହାରେ ଭାରତକୁ ଆସିଥିବା ବିଦେଶୀ ପର୍ଯ୍ୟଟକଙ୍କ ମଧ୍ୟରୁ ଅଧିକାଂଶ ମହାରାଷ୍ଟ୍ର ଓ ତାମିଲନାଡୁର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀକୁ ଅଗ୍ରାଧିକାର ଦେଇଥିଲେ ବୋଲି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ରିପୋର୍ଟରୁ ଜଣାପଡିଛି । ୨୦୨୧ରେ ୧.୨୬ ନିୟୁତ ବିଦେଶୀ ପର୍ଯ୍ୟଟକ ମହାରାଷ୍ଟ୍ର ପରିଦର୍ଶନ କରିଥିବାବେଳେ ତାମିଲନାଡୁରେ ଏମାନଙ୍କ ସଂଖ୍ୟା ୧.୨୩ ନିୟୁତ ଥିଲା ବୋଲି ରିପୋର୍ଟରୁ ଜଣାପଡିଛି । ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ ଦିଲ୍ଲୀର ବିଜ୍ଞାନ ଭବନରେ ବୁଧବାର ଆୟୋଜିତ ଉତ୍ସବରେ ଉପରାଷ୍ଟ୍ରପତି ଜଗଦୀପ ଧନ୍‌କର ଏହି ରିପୋର୍ଟ ଉପସ୍ଥାପନ କରିଥିବା ଜଣାପଡିଛି । ବିଦେଶୀ ପର୍ଯ୍ୟଟକଙ୍କ ମନପସନ୍ଦ ତାଲିକାର ଶ୍ରେଷ୍ଠ ୧୦ଟି ସ୍ଥାନ ମଧ୍ୟରେ ଆଗ୍ରାର ତାଜମହଲ ସ୍ଥାନ ପାଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ୨୦୨୧ରେ ଭାରତ ଆସିଥିବା ବିଦେଶୀ ପର୍ଯ୍ୟଟକଙ୍କ ମଧ୍ୟରେ ଅଧିକାଂଶ ଆମେରିକରା, ବାଂଲାଦେଶ, ବ୍ରିଟେନ, କାନାଡା ଓ ନେପାଳରୁ ଆସିଥିଲେ ।

ତେବେ ୨୦୨୦ ତୁଳନାରେ ୨୦୨୧ରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ୪୪ ପ୍ରତିଶତ ହ୍ରାସ ପାଇଥିବା ଜଣାପଡିଛି । ୨୦୨୦ରେ ୨.୭୪ ନିୟୁତ ବିଦେଶୀ ପର୍ଯ୍ୟଟକ ଭାରତ ଆସିଥିବାବେଳେ ୨୦୨୧ରେ ସେମାନଙ୍କ ସଂଖ୍ୟା ୧.୫୨ ନିୟୁତକୁ ଖସିଆସିଥିଲା । କୋଭିଡ୍ କଟକଣା ଯୋଗୁଁ ଭାରତୀୟ ପର୍ଯ୍ୟଟନ ଶିଳ୍ପ ଉପରେ ଏଭଳି ପ୍ରତିକୂଳ ପ୍ରଭାବ ପଡିଥିବା କୁହାଯାଇଛି । ଗ୍ଲୋବାଲ ଟ୍ରାଭେଲ ଆଣ୍ଡ୍ ଟୁରିଜିମ୍ ଡେଭେଲପମେଣ୍ଟ ଇଣ୍ଡେକ୍ସ ଅନୁଯାୟୀ ୨୦୨୧ରେ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ପ୍ରସଙ୍ଗରେ ଭାରତ ବିଶ୍ୱ ତାଲିକାର ୫୪ତମ ସ୍ଥାନ ଅଧିକାର କରିଛି । ଏହି ଅବସରରେ ଉପରାଷ୍ଟ୍ରପତି ୨୦୧୮-୧୯ ବର୍ଷ ପାଇଁ ନ୍ୟାସନାଲ ଟୁରିଜିମ୍ ଆୱାର୍ଡସ୍ ମଧ୍ୟ ପ୍ରଦାନ କରିଛନ୍ତି । କୋଭିଡ୍ ଯୋଗୁଁ ଦେଶରେ ପର୍ଯ୍ୟଟନ ଶିଳ୍ପ ବେଶ ବାଧାପ୍ରାପ୍ତ ହୋଇଥିଲା ।

ତେବେ ସ୍ଥିତିରେ ଉନ୍ନତି ଘଟିବା ଫଳରେ ଏହି ସମସ୍ୟା ଅନେକାଂଶରେ ଦୂର ହୋଇପାରିଛି ବୋଲି ଧନ୍‌କର ତାଙ୍କ ଭାଷଣରେ କହିଛନ୍ତି। ଅପରପକ୍ଷରେ ୨୦୨୦ ତୁଳନାରେ ୨୦୨୧ରେ ପ୍ରବାସୀ ଭାରତୀୟଙ୍କ (ଏନ୍‌ଆରଆଇ)ଙ୍କ ସ୍ୱଦେଶ ଆଗମନରେ ୫୨.୬ ପ୍ରତିଶତ ବୃଦ୍ଧି ଘଟିଥିବା ରିପୋର୍ଟରୁ ଜଣାପଡିଛି । ଅପରପକ୍ଷରେ ୨୦୨୧ରେ ଘରୋଇ ପର୍ଯ୍ୟଟକଙ୍କ ସଂଖ୍ୟା ୬୭୭.୬୩ ନିୟୁତ ରହିଥିବା ରିପୋର୍ଟରୁ ଜଣାପଡିଛି । ଏହି ସମୟରେ ଅଧିକାଂଶ ଘରୋଇ ପର୍ଯ୍ୟଟକ ଉତ୍ତରପ୍ରଦେଶ ଓ ତାମିଲନାଡୁ ଗସ୍ତ କରିଥିବା ଜଣାପଡିଛି । ଏଥିପାଇଁ ଜିଡିପିରେ (ଜାତୀୟ ମୋଟ ଉତ୍ପାଦ) ଘରୋଇ ଓ ବିଦେଶୀ ପର୍ଯ୍ୟଟକଙ୍କ ଅବଦାନ ୫ ପ୍ରତିଶତ ରହିଥିବାବେଳେ ଦେଶରେ ୭୯.୮୬ ନିୟୁତ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking