ମୌସୁମୀର ଲୁଚକାଳି,ଚିନ୍ତାରେ ଚାଷୀ

ବୌଦ୍ଧ : ବୌଦ୍ଧ ଜିଲ୍ଲାରେ ମୌସୁମୀର ଲୁଚକାଳି ଖେଳରେ ଅଧା ଜମିରେ ଲଙ୍ଗଳ ବୁଲି ପାରିନାହିଁ । ଚାଷ ପାଇଁ ସ୍ଥାୟୀ ଜଳସେଚନର ସୁବିଧା ନଥିବା ଯୋଗୁଁ ପ୍ରତିବର୍ଷ ଅନେକ ଚାଷୀ ପରିବାର ମରୁଡିର ଆଶଙ୍କାରେ ଆତଙ୍କିତ ଅବସ୍ଥାରେ ରହିଥାନ୍ତି । ଜିଲ୍ଲାରେ କୃଷିର ଜୀବନରେଖା କୁହାଯାଉଥିବା ସାଲୁଙ୍ଖୀ ଓ ବାଘ ଜଳସେଚନ ପ୍ରକଳ୍ପ ଦ୍ୱାରା କିଛି ଜମିକୁ ଜଳସେଚନର ସୁବିଧା ଥିଲେ ମଧ୍ୟ ଜଳ ସଂରକ୍ଷଣ ବ୍ୟବସ୍ଥା ନଥିବାରୁ ଦରକାର ବେଳେ ଏହି ପ୍ରକଳ୍ପ ଚାଷୀର ଆବଶ୍ୟକତାକୁ ମେଣ୍ଟାଇ ପାରୁନାହିଁ । ଉପର ମୁଣ୍ଡରେ ବର୍ଷା ନହେଲେ ଏହି ଦୁଇ ପ୍ରକଳ୍ପ ଚାଷୀଙ୍କ କୌଣସି କାମରେ ଲାଗିପାରୁନାହିଁ । ସେହିପରି ଜିଲ୍ଲାରେ ଉଠାଜଳସେଚନର ଭାଗ୍ୟ ମଧ୍ୟ ମହାନଦୀ ଓ ତେଲନଦୀର ଜଳ ଉପରେ ନିର୍ଭର କରିଥାଏ । ଚଳିତ ବର୍ଷ ଜିଲ୍ଲାରେ ଏପର୍ଯ୍ୟନ୍ତ ଭଲରେ ମାଟିଭିଜା ବର୍ଷା ଟିକିଏ ହୋଇନଥିବାବେଳେ ଜମି ଗୁଡିକର ମାଟି ଶୁଖିଲା ପଡିଛି । ସାଧାରଣତଃ ବାହୁଡା ଯାତ୍ରା ପରେ କୃଷିକ୍ଷେତ୍ରରେ ଜୋର ସୋର କାମ ଆରମ୍ଭ ହୋଇଥାଏ । କିନ୍ତୁ ଚଳିତବର୍ଷ କରୋନା ମହାମାରୀ ଯୋଗୁଁ ଚାଷୀ ପରିବାରମାନେ ଅନେକ ଚିନ୍ତାରେ ରହିଥିବାବେଳେ ମୌସୁମୀରେ ଅନିୟମିତତା ସେମାନଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଛି । ତେଣୁ ଆଗାମୀ ସପ୍ତାହକ ମଧ୍ୟରେ ଭଲ ବର୍ଷା ନହେଲେ ଜିଲ୍ଲାରେ ଭୟଙ୍କର ମରୁଡି ପରିସ୍ଥିତି ଦେଖାଯିବାର ଆଶଙ୍କା ସୃଷ୍ଟି ହୋଇଛି । ବର୍ଷାର ଅଭାବ ଯୋଗୁଁ ଅନେକ ଚାଷଜମି ଏବେ ଗାଈଗୋରୁଙ୍କ ଚାରଣ ଭୂମିରେ ପରିଣତ ହୋଇଥିବା ଦେଖାଯାଇଛି । ବର୍ଷ ଆରମ୍ଭରୁ ଚଳିତବର୍ଷ ବୃଷ୍ଟିପାତ ହାର ସ୍ୱାଭାବିକ୍ ରହିବ ବୋଲି ବୈଜ୍ଞାନିକମାନେ ଆଗୁଆ ସୂଚନା ଦେଇଥିବାବେଳେ ବର୍ତ୍ତମାନ ସେମାନଙ୍କ ସମସ୍ତ ଆକଳନ ଭୁଲ ପ୍ରମାଣିତ ହୋଇଛି । ବର୍ଷାଭାବ ଯୋଗୁଁ ଜଳସେଚିତ ଓ କିଛି ଖାଲୁଆ ଜମିକୁ ବାଦ୍ ଦେଲେ ଢିପ ଜମି ଗୁଡିକରେ ମାଟି ପୁରା ଶୁଖିଲା ରହିଛି । ଜିଲ୍ଲାର ହରଭଙ୍ଗା ଓ କଣ୍ଟାମାଳ ବ୍ଲକର ଗ୍ରାମାଞ୍ଚଳରୁ ବହୁସଂଖ୍ୟାରେ ପରିବାରମାନେ କାମ ଧନ୍ଦା ନମିଳିବା କିମ୍ବା ଅଧିକ ଉପାର୍ଜନ ଲୋଭରେ ପ୍ରତିବର୍ଷ ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶ,ତାମିଲନାଡୁ,କେରଳ ଓ ଗୁଜୁରାଟ୍ ଭଳି ରାଜ୍ୟକୁ ଚାଲିଯାଉଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ଦାଦନ ସମସ୍ୟାକୁ ପ୍ରଶାସନ ସ୍ୱୀକାର କରୁନଥିଲେ ମଧ୍ୟ ଚଳିତବର୍ଷ କରୋନା ସଂକ୍ରମଣ ଯୋଗୁଁ ପ୍ରାୟ ୯ ହଜାରରୁ ଊର୍ଦ୍ଧ୍ୱ ସଂଖ୍ୟାରେ ପ୍ରବାସୀ ଘରକୁ ଫେରିବା ପାଇଁ ନିଜ ନାମକୁ ପଞ୍ଜିକୃତ କରିବାପରେ ପ୍ରଶାସନ ପାଖରେ ଏହାର ଉତ୍ତର ନାହିଁ । ସେମାନଙ୍କୁ ଥଇଥାନ କରିବା ଏବେ ପ୍ରଶାସନ ପାଇଁ ଏକ ଚ୍ୟାଲେଞ୍ଜ । ତେବେ କୃଷିଭିତିକ ଏହି ଜିଲ୍ଲାରେ ଶିଳ୍ପ କହିଲେ କିଛି ରାଇସମିଲକୁ ହିଁ ବୁଝାଇଥାଏ । ଫଳରେ କୃଷି କ୍ଷେତ୍ର ବ୍ୟତୀତ ୭୦ ପ୍ରତିଶତ ସାଧାରଣଲୋକଙ୍କ ନିକଟରେ ରୋଜଗାରର ଅନ୍ୟ କୌଣସି ମାଧ୍ୟମ ନଥିବାରୁ ପ୍ରତିବର୍ଷ ବେକାରୀଙ୍କ ସଂଖ୍ୟା ବୃଦ୍ଧି ପାଇବା ସହିତ ଏହା ଜିଲ୍ଲାରେ ଅପରାଧିକ ଭିତ୍ତିଭୂମି ସୃଷ୍ଟି କରିବାରେ ମଧ୍ୟ ସହାୟକ ହେଉଅଛି । ତେଣୁ ଜିଲ୍ଲାରେ ରହିଥିିବା କୃଷି ଭିତିଭୂମିରେ ଅଧିକ ଲୋକଙ୍କୁ ନିଯୁକ୍ତିର ସୁଯୋଗ ପାଇଁ ସ୍ଥାୟୀ ଜଳସେଚନ ବ୍ୟବସ୍ଥାରେ ଉନ୍ନତି ଅଣାଯିବା ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି । ବୌଦ୍ଧ ବ୍ଲକ୍ ଟିକରପଡା ପଞ୍ଚାୟତର ଗୁରୁଜୀମୁଣ୍ଡା ଠାରେ ଏକ ହାଇଡ୍ରୋ ପାୱାର ପ୍ରକଳ୍ପ ନିର୍ମାଣ ପାଇଁ ଜିଲ୍ଲାର ଅନେକ ଚାଷୀ ସଂଗଠନ ପକ୍ଷରୁ ପ୍ରସ୍ତାବ ଦିଆଯିବାପରେ ଏହାକୁ ନେଇ ପ୍ରାଥମିକ ପର୍ଯ୍ୟାୟ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଥିଲା । ତେବେ ଏହି ବହୁ ପ୍ରତୀକ୍ଷିତ ପ୍ରକଳ୍ପର ଭବିଷ୍ୟତ ଏବେ ଅନ୍ଧାରରେ ରହିଛି । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହୋଇପାରିଲେ ବର୍ତ୍ତମାନ ସାଲୁଙ୍ଖୀ ପ୍ରକଳ୍ପ ଦ୍ୱାରା ଜଳସେଚିତ ଜମିରେ ଦୁଇଥର ଫସଲ ଉତ୍ପାଦନ ସମ୍ଭବ ହେବା ସହିତ ଜିଲ୍ଲାରେ ପ୍ରାୟ ୪୦ ହଜାର ହେକ୍ଟର ଜମିରେ ସ୍ଥାୟି ଜଳସେଚନର ସୁବିଧା ମିଳିପାରିବ ବୋଲି ଆକଳନ କରାଯାଉଅଛି । ସେହିପରି କଣ୍ଟାମାଳ ବ୍ଲକରେ ମଧ୍ୟ ସ୍ଥାୟୀ ଜଳସେଚନ ବ୍ୟବସ୍ଥା ପାଇଁ ଅନେକ ସୁଯୋଗ ରହିଛି । କିନ୍ତୁ ଏଥିପାଇଁ ରାଜନୈତିକ ସଦିଛା ସହିତ ନିରନ୍ତର ଉଦ୍ୟମ କରାନଗଲେ ପ୍ରକଳ୍ପ ଯୋଜନା ସରକାରୀ ଶିତଳ ଭଣ୍ଡାରରେ ସ୍ଥାନ ନେବାକୁ ବେଶି ସମୟ ଲାଗିବ ନାହିଁ । ସ୍ଥାୟୀ ଜଳସେଚନର ସୁବିଧା ନହେଲେ ଏହି କୃଷିଭିତିକ ଜିଲ୍ଲାର ଚାଷୀପରିବାରଙ୍କ ଆର୍ଥିକ ମାନଦଣ୍ଡରେ କେବେ ମଧ୍ୟ ଉନ୍ନତି ହୋଇପାରିବ ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଉଛି ।