OnaKhabar

ଲକ୍‌ଡାଉନ୍‌ ସାବିତ୍ରୀ

ସାବିତ୍ରୀ ବ୍ରତ ପାଖ ହେଇଆସିଲେ ରତ୍ନାକର ବାବୁ ଟିକେ ଆଡ ଆଡ ହେଇ ରୁହନ୍ତି ପତ୍ନୀ ସୁପ୍ରୀତି ଦେବୀ ଙ୍କ ଠାରୁ ।କେତେବେଳେ ଯେ ଶାଢୀ କିଣାକୁ ନେଇ ତେରିମେରି ଲାଗିଯିବ ସ୍ଵାମୀ ସ୍ତ୍ରୀ ଙ୍କ ଭିତରେ, ସେଥିପାଇଁ ଡରି ଡରି ଥାଆନ୍ତି ସେ ।ପତ୍ନୀ ତାଙ୍କ କୋମଳ କଣ୍ଠରେ “ହେଇ ଶୁଣୁଛ” ବୋଲି ଡାକିଦେଲେ ହାର୍ଟବିଟ୍ ବଢିଯାଏ ତାଙ୍କର। ରାତିରେ ଶୋଇଲା ବେଳେ ବି ପତ୍ନୀ ଆସିବା ପୂର୍ବରୁ ମିଛିମିଛିକା ଘୁଙ୍ଗୁଡି ମାରି ଶୋଇବାର ଛଳନା କରନ୍ତି ସେ ।ହେଲେ ଗୋଟିଏ ଘରେ ସ୍ଵାମୀଟିଏ କେତେଦିନ ବା ସ୍ତ୍ରୀକୁ ଆଭଏଡ୍ କରି ରହି ପାରିବ । ସେ ଦିନ ଚା ପିଉ ପିଉ ଅତି ଶରଧାରେ ତାଙ୍କ ଗାଲ ଚିପି ଦେଇ ହସି ହସି ପାଖରେ ବସି ପଡିଲେ ସୁପ୍ରୀତି ଦେବୀ। ରତ୍ନାକର ବାବୁ ପ୍ରମାଦ ଗଣିଲେ ମନେ ମନେ। ସଇଲା କଥା। ଆଉ ରକ୍ଷା ନାହିଁ। ଆଜି ମଣିଷ ଧରା ପଡିଲା। ଗେଲେଇ ହେଇ ପତ୍ନୀ ଆରମ୍ଭ କଲେ —

–ହେଇ ଶୁଣୁଛ ।ଏଥରକ ମୋର ବିଂଶ ତମ ସାବିତ୍ରୀ ବ୍ରତ। ଦଶହଜାର ଟଙ୍କା ଦିଅ ।ଖଣ୍ଡେ ଶାଢୀ କିଣିବି ।

ଧେତ୍ ତେରି। ଯୋଉ କଥାକୁ ମଣିଷ ଡରୁ ଥିଲା ସେଇ କଥାରେ ପଡିଲା ।ତଥାପି ଯଥା ସମ୍ଭବ କଣ୍ଠ କୋମଳ କରି ରତ୍ନାକର ବାବୁ କହିଲେ

–ଲକ୍ ଡାଉନ୍ ପାଇଁ ପରା ସବୁ ଦୋକାନ ବନ୍ଦ। ଶାଢୀ କୋଉଠୁ କିଣିବ? ଘରେ ଥିବା ନୂଆ ଶାଢୀରେ କାମ ଚଳେଇ ଦିଅ। ବରଂ ଆମ ଆନିଭର୍ସାରୀ ବେଳକୁ ଅବସ୍ଥା ଭଲ ଥିଲେ ତମ ମନ ମୁତାବକ ଶାଢୀ ଟିଏ କିଣିବା ।

ପତ୍ନୀ ଙ୍କର ମଖମଲିଆ ସୁର ଟିକିଏ ଟାଆଁସିଆ ଧରିଲା।

ମୁଁ ଜାଣେପରା ତୁମେ କିଛି ନା କିଛି କହି ନିଶ୍ଚୟ ମତେ ମନା କରିବ। କିଏ ତୁମ ନାମ ରତ୍ନାକର ଦେଇଥିଲା କେଜାଣି। ନାମ ରତ୍ନାକର ହେଲେ କପର୍ଦକ ନାସ୍ତି । ସବୁବେଳେ କଣ ନା ଡାବୁ ଲେଦୁ।

ତୁମ ନାମ କିଏ ସୁପ୍ରୀତି ଦେଇଥିଲା କେଜାଣି। ପ୍ରୀତି ଘର ତୁମର ଶୂନ। ଜିଭ ଅଗକୁ ଚାଲି ଆସୁଥିବା ଏଇ ଦୁଇ ଧାଡିକୁ ଢୋକି ଯଥା ସମ୍ଭବ ସହଜ ହେଇ ରତ୍ନାକର ବାବୁ କହିଲେ ––ଆରେ, ନାଇଁ ମ !ଦୋକାନ ସବୁ ବନ୍ଦ। ସେଇଥି ପାଇଁ ସେମିତି କହିଲି ।

–ଦୋକାନ ବନ୍ଦ କଥା ଚିନ୍ତା କରନି। ଟଙ୍କା ଦିଅ ଶାଢୀ ଆଣିବା ଦାୟିତ୍ଵ ଟା ମୋର। ଆମ କଲୋନୀର ମିସେସ୍ ହାଲଦାର୍ ଯିଏ କଲିକତାରୁ ଶାଢୀ ଆଣି ବିଜନେସ୍ କରନ୍ତି। ଖବର ପାଇଛି ତାଙ୍କ ପାଖରେ କୁଆଡେ ଭଲ କଲେକ୍ସନ୍ ଅଛି। ନ ହେଲେ “ମାଧୁରୀ ଶାଢୀ ସେଣ୍ଟର”କୁ ଚାଲିଯିବି। ସେ ଦୋକାନ ନ ଖୋଲିଲେ ବି ପଛପଟେ ଗରାଖ ନେଇ ଶାଢୀ ଦେଖାଉଛି ।ମୋର କେତେଜଣ ସାଙ୍ଗ ପରା ସେଇଠୁ ଶାଢୀ ଆଣି ସାରିଲେଣି ।

–କଥାଟା ଠିକ୍ ଯେ, ହେଲେ ଶାଢୀର ବଜେଟ୍ ଟିକୁ ଟିକେ କମ୍ କରନ୍ତ ନାହିଁ। ଏଥରକ ପରା କରୋନା ପାଇଁ ତିନିଦିନର ସାଲାରୀ କଟିଛି ।ତା ସାଙ୍ଗକୁ ଲକ୍ ଡାଉନ୍ ର ଜଷ୍ଟ୍ ପୂର୍ବରୁ ବୋଉ ର ଗଲ୍ ବ୍ଲାଡ଼ର ଷ୍ଟୋନ ଅପରେସନ୍ ହେଇଥିଲା ଯେ ଟଙ୍କା କିଛି ଖର୍ଚ ହେଇଥିଲା। ପୁଣି ଲକ୍ ଡାଉନ୍ ସରୁ ସରୁ ବାପା ଙ୍କର ହାରନିଆ ଅପରେସନ୍ କରିବାକୁ ପଡିବ। ବିଚରା କେବେଠୁ ଯନ୍ତ୍ରଣା ସହି ସହି ଚୁପ୍ ଚାପ୍ ଅଛନ୍ତି ।

–ସେ କଥା ମୁଁ ଜାଣିନି। ଆମ କ୍ଲବ ର କିଂଗ୍ସ ନାଇଟ୍ ପ୍ରୋଗ୍ରାମ୍ କରୋନା ପାଇଁ ବନ୍ଦ ହେଇଗଲା। ନ ହେଲେ ସେଥିପାଇଁ ଖଣ୍ଡେ ଦାମୀ ଶାଢୀ କିଣା ହେଇଥାଆନ୍ତା କି ନାହିଁ ।ସେ ଶାଢୀର ଟଙ୍କା ଓ ସାବିତ୍ରୀ ବ୍ରତ ପାଇଁ ଶାଢୀର ଟଙ୍କା ମିଶେଇ ମତେ ଦଶହଜାର ଟଙ୍କା ଦେଇଦିଅ।

–ହେଲେ ମୁଁ ବୁଝି ପାରୁନି ଏ ଲକ୍ ଡାଉନ୍ ରେ ତୁମ ଶାଢୀ ଦେଖିବ କିଏ? ମନ୍ଦିର ତ ବନ୍ଦ। ଯେଝା ଘରେ ଯିଏ ପୂଜାକରିବେ। ସଙ୍ଗ ରୋଧ ପାଇଁ ବାହାରେ ବୁଲା ବୁଲି ମଧ୍ୟ ମନା।

–ଅସଲ କଥା ଟା ତ ସେଇଠି। ମନ୍ଦିର ବନ୍ଦ। ଏଣୁ ଆମ କଲୋନୀ ସ୍ତ୍ରୀ ଲୋକ ମାନଙ୍କ ଭିତରେ ଭାଳେଣି ପଡ଼ିଥିଲା କେମିତି ବ୍ରତ ପୂଜା କରିବେ। ବାହାବା ନେବା ପାଇଁ ମୁଁ ଆଗତୁରା ବାହାରି ପଡି କହିଲି କେହି ବ୍ୟସ୍ତ ହୁଅନାହିଁ। ଆମଘରେ ପୂଜା କରିବା। ଆମର ତ ବ୍ରାହ୍ମଣ ଘର। ୟେ ବ୍ରତ ପୂଜା କରିଦେବେ। ମୁଁ ବହି ପଢିଦେବି। ବାସ୍ କାମ ଖତମ୍ ।ସମସ୍ତେ ଖୁସି ହେଇ ମତେ କେତେ ତାରିଫ୍ କଲେ ବୁଝିଲ !!

କରେଣ୍ଟ୍ ଖାଇଲା ପରି ଚମକି ପଡି ରତ୍ନାକର ବାବୁ କହିଲେ –

–ମତେ ସେ ଝାମେଲାରେ ପୁରାଅନି ବାବା। ମୋ ପଇତା ଫଇତା କିଛି ଠିକ ନାହିଁ। ସେଥିରେ ପୁଣିଏତେ ସ୍ତ୍ରୀ ଲୋକଙ୍କ ଗହଣରେ—ଛିଃ ଛିଃ । ତୁମର ଅକଲ ବୋଲି କିଛି ନାହିଁ ।ମତେ କୋଉ ପୂଜା ପାଠ ଆସେ ?ସେଥିରେ ପୁଣି କରୋନା ସମୟରେ ଘରେ ଏତେ ଲୋକ ରୁଣ୍ଡ ହେଲେ କଥାଟା ଅରଣ୍ୟ ଅଗ୍ନି ପରି ମାଡିଯିବ। ଜଣା ଗଲାଣି ତୁମ ଲାଗି ମୋ ଚାକିରୀ ଖଣ୍ଡିକ ମଧ୍ୟ ଯିବ।

–ଚାକିରୀ କାହିଁକି ଯିବ ମ। ଆମେ ସବୁ ଦୁରତ୍ଵ ମେଣ୍ଟେନ କରି ବସିବୁ । ମୁହଁରେ ମାସ୍କ ପିନ୍ଧିବୁ। ବାହାରେ ଗୋଟେ ସାନିଟାଇଜର ରଖି ଦେଇଥିବା ଯେ ଯିଏ ଆସିବ ହାତ ସାନିଟାଇଜ କରି ଭିତରକୁ ପଶିବ। ଠାକୁର ଘର କଞ୍ଜସ୍ଟେଡ୍ ହେବ ବୋଲି ହଲ୍ ଟିରେ ପୂଜା କରିବାକୁ ଡିସାଇଡ୍ କରିଛି। ପୂର୍ବ ଦିନରୁ କାମବାଲୀକୁ କହି ଜିନିଷ ଆଡାଆଡି କରି ଘର ପୋଛେଇ ଦେଇଥିବି। ଖାଲି ଠାକୁର ସ୍ଥାପନ କରି ପାଣି ଛଡେଇ ଦେଲେ କାମ ଫତେ। ତୁଛାକୁ ବିରୁଡି ମାରିଲା ପରି ହେଉଛ। ଦିନ ବାରଟା ସୁଦ୍ଧା ସବୁ କାମ ଶେଷ।

— ହେ ଭଗବାନ !ତୁମ ମୁଣ୍ଡକୁ ଏମିତି ଝକାସ୍ ଆଇଡିଆ ଗୁଡାକ କେମିତି ଆସେ କେଜାଣି? ସେ ମିଛ ବାହାବା ନେବାରେ କଣ ଆମର ଲାଭ କହିଲ ?

–କୋଉ କଥା ଆଜିକାଲି ସତରେ ଚାଲିଛି କହିବ? ତୁମେ ପରା ଦଶ ବର୍ଷ ହେଲାଣି ସେଇ ଗୋଟିଏ ପୋଷ୍ଟରେ ବସିଛ। ପ୍ରମୋଶନ ନାହିଁ। ତୁମ ତଳିଆ ଯାଇ କୋଉଠି ପହଞ୍ଚିଲେଣି । କାହାକୁ ତ ତେଲେଇ କରି କଥା ପଦେ କହିବନି। ଭାବିଥିଲି ଏଇ ଥରକ ପ୍ରମୋଶନ ହେଇଗଲେ ମୋର ବି ଷ୍ଟାଟସ ଟିକେ ବଢି ଯାଇ ଥାନ୍ତା। ଫଙ୍କସନ୍ ସବୁରେ ପୁରସ୍କାର ବିତରଣ ପାଇଁ ମତେ ଷ୍ଟେଜ୍ ଉପରକୁ ଡକା ଯାଇ ଥାନ୍ତା। ଲେଡିଜ କ୍ଲବ ତରଫରୁ ହେଉଥିବା ସୋସିଆଲ ୱାର୍କରେ ଯାଇ ଫଟୋ ଉଠେଇ ଫେସବୁକରେ ଛାଡି ଲାଇକ କମେନ୍ଟ୍ସ ଗୋଟେଇଥାନ୍ତି। ମାତ୍ର ସବୁ ଇଚ୍ଛା ମୋର ସ୍ଵପ୍ନରେ ରହିଗଲା ।

ରତ୍ନାକର ବାବୁ ଦେଖିଲେ କଥାଟା ଅଡୁଆ ହେବାକୁ ଯାଉଛି। ଏଣୁ ପତ୍ନୀଙ୍କ ପାଖରେ ହାତ ଟେକି ଦେଇ କହିଲେ —

–ତୁମର ଯାହା ମନ ହେଉଛି ତୁମେ ତାହା କର। ଖାଲି ମତେ କହିଦିଅ ମୁଁ ତୁମକୁ କି ପ୍ରକାରେ ସାହାଯ୍ୟ କରି ପାରିବି। ଯାହାହେଲେ ବି ବ୍ରତ ଟା ତୁମେ ମୋ ପାଇଁ କରୁଛ ନା। ସୁପ୍ରୀତି ଦେବୀ ସାମାନ୍ୟ ପ୍ରୀତ ହେଲାପରି ଲାଗିଲେ। କହିଲେ–

–ତୁମେତ ଭୁଲା ମଣିଷ। ସବୁ କଥା କଣ ତମର ମନେ ରହିବ। ଲିଷ୍ଟ କରିଦେବି। ହେଲେ ଏବେ ଖାଲି ଟିକେ ଶୁଣି ଦେଇଥାଅ। ମୁଁ ଭାବୁଥିଲି ଏ ଥରକ ସାବିତ୍ରୀ ବ୍ରତ ଟିକୁ ଟିକେ ନୂଆ ଢଙ୍ଗରେ ଆମଘରେ କରିବା। ଯେମିତି ସମସ୍ତେ ତାଟକା ହେଇଯିବେ। ଯେଉଁ ମାନେ ଓଷେଇତି ସେମାନେ ତ ଆସିବେ ତା ଛଡା ମୁଁ ଭାବୁଥିଲି ମୋର ଚିହ୍ନା ପରିଚୟ ଯେଉଁ କେତେଜଣ ତେଲୁଗୁ ଓ ବିହାରୀ ସାଙ୍ଗ ଅଛନ୍ତି ସେମାନଙ୍କୁ ମଧ୍ୟ ପୂଜା ଦେଖିବା ପାଇଁ ନିମନ୍ତ୍ରଣ କରିଦେବି।

–ହଇଓ ସେମାନଙ୍କୁ କଣ ପାଇଁ ଡାକିବ?

–କାଇଁ, ସେମାନେ ତ ପୁଣି ସେମାନଙ୍କର ଛଟ ପୂଜା,ଲକ୍ଷ୍ମୀ ପୂଜାରେ ଆମଙ୍କୁ ଡାକୁଛନ୍ତି ନା ନାହିଁ। ଏଥରକ ମୁଁ ନୂଆକରି ସେମାନଙ୍କୁ ଡାକିବି।ଆମର ସିନା ଉପବାସ ।ହେଲେ ଯେଉଁମାନେ ଦେଖିବାକୁ ଆସିବେ ସେମାନଙ୍କର ତ ଉପବାସ ନୁହେଁ ନା। ତା ଛଡା କିଛି ଛୋଟ ପିଲା ବି ମା ମାନଙ୍କର କାନି ଧରି ଆସି ପାରନ୍ତି। ଏଇଥି ପାଇଁ ଭାବୁଥିଲି ଅମୂଲ କୁଲ ରୁ ଭଲ ଆଇସିକ୍ରିମ୍ ପେଟିଟିଏ ଆଣିବା ।ତା ଛଡା ପୂଜା ସରିବା ପରେ ସମସ୍ତେ ଆମଘରେ ପଣା ପାଣି ଟିକିଏ ପିଇବେ। ଏଣୁ ହାଣ୍ଡିଏ ପଣା ପାଇଁ ଆବଶ୍ୟକୀୟ ଜିନିଷ ସବୁ ନେଇ ଆସିବ। ଦୁଇ ବୋତଲ କୋଲ୍ଡ ଡ୍ରିଂକ୍ସ ମଧ୍ୟ ରଖିଥିବା। ଯଦି କିଏ ଚା କଫି ପିଇବାକୁ ଇଚ୍ଛା କରିବେ ତାର ବ୍ୟବସ୍ଥା ମଧ୍ୟ କରିବାକୁ ପଡିବ। ଯେତେବେଳେ ଖାଲି ପେଟରେ ପୂଜା ପାଇଁ ଆସିଥିବେ ଏସବୁ ବ୍ୟବସ୍ଥା ନ କଲେ କେମିତି ହେବ। ମୁଁ ଖାଏ ନ ଖାଏ ଏଥରକ ସବୁ ପ୍ରକାର ଫଳରୁ କିଛି କିଛି ଆଣିଥିବା ।ଡ୍ରାଗନ ଫୃଟ୍ ,ପ୍ଲମ୍ ପରି କିଛି ଏକ୍ସୋଟିକ୍ ଫଳ ମଧ୍ୟ ତା ଭିତରେ ପୁରେଇ ଦେଇଥିବ ।ବିଭିନ୍ନ ପ୍ରକାର ଫଳ ନେଇ ପୂଜା ନ କଲେ ମତେ ଖରାପ ଲାଗିବ। ସମସ୍ତେ କହିବେ କୃପଣ ଟା।

–ହଉ ହଉ ଏତିକି ନା ଆଉ କିଛି ?

–ଆରେ ଆଗକୁ ଟିକେ ଶୁଣ ।ଚାନ୍ସ ମିଳିଛି ଯେତେବେଳେ ଏମିତି ପୂଜା ଆୟୋଜନ କରିବା ଯେ ଯେମିତି ଲୋକ ରିଟାୟାର୍ଡ ଯାଏଁ ମନେ ରଖିଥିବେ ଆମକୁ। ପୂଜା ଦିନ ଦୁଇଟି କଦଳୀ ଗଛ ପୋତାହେବ ଗେଟ ପାଖରେ। ଦୁଆର ବନ୍ଧରେ ଗେଣ୍ଡୁ ମାଳ ଓ ଆମ୍ବ ତୋରଣ। ଫୁଲ ତ ଲକ୍ ଡାଉନ୍ ପାଇଁ ମିଳିବ ନ ମିଳିବ ଡାଉଟ୍। ଏଣୁ ଘର ଭିତର ବେଲୁନରେ ସଜାଡିଦେବା । ମା ମାନଙ୍କ ସାଙ୍ଗରେ ଆସିଥିବା କୁନି କୁନି ପିଲା ମାନେ ଆଉ ମା ମାନଙ୍କୁ ହଇରାଣ ନ କରି ବେଲୁନ ଛିନ୍ଡେଇ ଖେଳିବେ ।ପୂଜା ସୁରୁ ଖୁରୁରେ ହେଇଯିବ।

ରାଗକୁ ଯଥା ସମ୍ଭବ ଚାପି ହସ ହସ ମୁହଁ ରେ ରତ୍ନାକର ବାବୁ କହିଲେ – କି ସୁପର୍ବ ଆଇଡିଆ। ତୁମକୁ ତ ଇଭେନ୍ଟ ମାନେଜର ହେବା କଥା।

ରତ୍ନାକର ବାବୁ ଙ୍କର କଥାରେ ଆଉଟିକେ ଉତ୍ସାହିତ ହେଇ ସୁପ୍ରୀତି ଦେବୀ କହିଲେ —

–ଆରେ ମୋ କଥା ସରିନି ମ । ସବୁଠୁ ଈମ୍ପୋଟାନ୍ଟ କଥା ହେଲା ଯେତିକି ଜଣ ପୂଜା ପାଇଁ ଆସିବେ ସେମାନଙ୍କ ପାଇଁ ଷ୍ଟୋନଫିଟିଙ୍ଗ ଚୁଡି,ଲିକୁଇଡ ସିନ୍ଦୁର,ରକ୍ତ ଜବ ଅଳତା,ଆଇଟେକ୍ସ ବିନ୍ଦି ତଥା ଲାକ୍ମିର ନେଲପଲିସ୍ ଆଣି ପ୍ୟାକେଟ କରି ରଖିଥିବା ।ଗଲାବେଳକୁ ସମସ୍ତଙ୍କୁ ଗୋଟିଏ ଗୋଟିଏ ପ୍ୟାକେଟ ଧରେଇ ଦେବା। ମୁଁ ଲିଷ୍ଟରେ ଚୁଡିର ସାଇଜ ଓ କେତେ ଡର୍ଜନ ଆସିବ ତାହା ଲେଖି ଦେବି। ଜାଣିଲ ଏଥରକ ଆମଘରେ ଏ ନିଆରା ଢଙ୍ଗର ସାବିତ୍ରୀ ପୂଜା ଦେଖି ସମସ୍ତେ ଆଚମ୍ବିତ ହେଇଯିବେ। ସାଙ୍ଗ ସାଥିଙ୍କ ମେଳରେ ମୋର ବି ଟିକେ ପ୍ରେଷ୍ଟିଜ୍ ବଢିଯିବ। ଆଉ ଯଦି ତୁମେ ରାଜି ହୁଅନ୍ତ ଗଲାବେଳକୁ ଘର ପାଇଁ କିଛି ଆରବିଆନ ଡେଟ୍ସ ପଲିଥିନରେ ବାନ୍ଧିଦେଲେ କେମିତି ହୁଅନ୍ତା। ସବୁରି ଘରେ ତ ଫଳ ମୂଳ ଥିବ। ଖାଲି ଗୋଟେ ଖୁସି ପାଇଁ ଦେବା କଥା ।

ଏଥରକ ରତ୍ନାକର ବାବୁ ଆଉ ସମ୍ଭାଳି ପାରିଲେ ନାହିଁ। କହିଲେ ଏଇଟା ସାବିତ୍ରୀ ବ୍ରତ ନା ଆଉ କଣ ?ସାବିତ୍ରୀ ତ ନିରାଡମ୍ବର ଭାବରେ ଭକ୍ତି ଓ ଶ୍ରଦ୍ଧାରେ ପୂଜା କରିଥିଲେ। ତୁମର ନା ଶ୍ରଦ୍ଧା ଅଛି ନା ଭକ୍ତି ଅଛି। ଖାଲି ନିଜର ବଡ ପଣ ଦେଖେଇ ହେବା ପାଇଁ ଯୋଜନା ।ଏତେ ଟଙ୍କାର ଶାଢୀ ପିନ୍ଧିବି ଏତେ ପ୍ରକାର ଫଳ କିଣିବି। ତୁମର ଯଦି ଏପରି ଏକ ଗ୍ରାଣ୍ଡ ପ୍ଳାନ ଥିଲା ଭାଇକୁ କହିଲନି ପାଞ୍ଚ ସହ ଟଙ୍କା ନ ପଠେଇ ପନ୍ଦର ହଜାର ଟଙ୍କା ଭଉଣୀ ପାଇଁ ପଠେଇ ଦେଇଥାନ୍ତା ।

ଭାଇ ନା ଶୁଣି କଳ କଳ ହାସିନୀ ସୁପ୍ରୀତି ଦେବୀଙ୍କୁ ଆଉ ସମ୍ଭାଳେ କିଏ। ପାଖରେ ଥିବା ଫ୍ଲାୱାର ଭେଶ୍ ଟିକୁ ଧରି ରତ୍ନାକର ବାବୁଙ୍କ ଆଡକୁ ଫୋପାଡି ବାକୁ ଉଦ୍ୟତ ହୁଅନ୍ତେ ରତ୍ନାକର ବାବୁ ଭୟରେ ସୋଫାରୁ ପଡି ଚିଲେଇଲେ “ମରି ଗଲି ଲୋ ବୋଉ “

ସେପଟୁ ସୁପ୍ରୀତି ଦେବୀଙ୍କର ପାଟି ଶୁଭିଲା ।

–ସକାଳ ସାତଟା ହେଲାଣି। ବାବୁ ସପନ ଦେଖି ଖଟରୁ ପଡି ବିଳିବିଳଉ ଛନ୍ତି। ଜଲ୍ଦି ଉଠ କାମ ସାର। ହଁ ଏଥରକ ମୁଁ ଡିସାଇଡ କରିଛି ସାବିତ୍ରୀ ବ୍ରତ କୁ ଶାଢୀ ନ କିଣି ଘରେ ଥିବା ନୂଆ ଶାଢୀରୂ ଖଣ୍ଡେ ଚଳେଇଦେବି। ବରଂ ତୁମେ ସେତକ ଟଙ୍କା କରୋନା ରିଲିଫ ପାଣ୍ଠିକୁ ଆଜି ପଠେଇ ଦିଅ ।ଲୋକ ମାନଙ୍କ ଅବସ୍ଥା ଦେଖିଲେ କାନ୍ଦ ମାଡୁଛି ।

ଓ ହୋ। ଏ ସବୁ ତାହେଲେ ସ୍ଵପ୍ନ ଥିଲା। ସ୍ଵପ୍ନ ନୁହେଁ ତ ଦୁଃ ସ୍ଵପ୍ନ ଥିଲା। ଆହା ପତ୍ନୀଙ୍କର କି ସୁନ୍ଦର ହୃଦୟ ଟିଏ ସତରେ। ୟା– ହୁ — କହି ସମି କପୁର ଷ୍ଟାଇଲରେ ନାଚି ନାଚି ୱାଶରୁମକୁ ପଶିଗଲେ ରତ୍ନାକର ବାବୁ।

ଶୋସାଲ୍ ମିଡିଆ..