OnaKhabar

୧୨୫ଟି ହୀରାଖଣ୍ଡ ଜବତ,୨ଗିରଫ

ନୂଆପଡ଼ା : ଛତିଶଗଡ ରାଜ୍ୟ ଗରିଆବନ୍ଧ ଜିଲ୍ଲା ପୁଲିସ ଓଡିଶାର ୨ ଜଣ ହୀରା ବ୍ୟବସାୟୀଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ୧୨୫ ଖଣ୍ଡ ହୀରା ଜବତ କରାଯାଇଛି । ଏହି ହୀରାର ମୂଲ୍ୟ ୩୦ ଲକ୍ଷରୁ ଅଧିକ ହେବ ବୋଲି ଆକଳନ କରାଯାଇଛି । ଗିରଫ ୨ ଜଣ ହେଲେ ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅଂଚଳର ବ୍ୟବସାୟୀ ବିକାଶ ମାଝୀ(୨୭) ଓ ଯୋଖୋ ମେହେର (୪୦) । ଏହି ୨ ଜଣ ବିଭିନ୍ନ ରାଜ୍ୟକୁ ହୀରା ଚୋରା ଚାଲାଣ କରୁଥିବା ଗରିଆବନ୍ଧ ଏସପି ଭୋଜରାମ ପଟେଲ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।
ସୂଚନା ଅନୁଯାୟୀ, ଛତିଶଗଡ ରାଜ୍ୟ ଗରିଆବନ୍ଧ ଜିଲ୍ଲାରେ ଏକ ହୀରାଖଣି ରହିଛି । ଏଠାରୁ ବହୁ ପରିମାଣର ହୀରା ଉତୋଳନ ହୋଇଥାଏ । ଏହି ଖଣି ଓଡିଶା ସୀମା ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକରୁ ୮ କି.ମି ଦୂରରେ ଥିବାବେଳେ ଓଡିଶାର ବ୍ୟବସାୟୀ ବେଆଇନ ଭାବେ ସେଠାରୁ ହୀରା ସଂଗ୍ରହ କରିଥାନ୍ତି । ବ୍ୟବସାୟୀ ବିକାଶ ମାଝୀ ଓ ଯୋଖୋ ମେହେର ଗରିଆବନ୍ଧ ହୀରା ଖଣିରୁ ୧୨୫ ଖଣ୍ଡ ହୀରା ସଂଗ୍ରହ କରି ବିକ୍ରି କରିବା ପାଇଁ ଏକ ଲାଲ ସୁପର ସ୍ପେଲେଣ୍ଡରରେ ଛତିଶଗଡର ମେନପୁର ଯାଇଥିଲେ । ଏ ସମ୍ପର୍କରେ ଗରିଆବନ୍ଧ ଏସପି ଖବର ପାଇ ଏକ ପୁଲିସ ଟିମ ଗଠନ କରି ମେନପୁର ଥାନା ଜରାପଦର ଠାରେ ଚଢଉ କରି ଏହି ବ୍ୟବସାୟୀଙ୍କୁ ଗିରଫ କରିଥିଲେ । ସେମାନଙ୍କ ଠାରୁ ୧୨୫ ଖଣ୍ଡ ହୀରା ଜବତ କରାଯାଇଥିଲା । ଯାହାର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ ବୋଲି ପୁଲିସ କହିଛି । ଏହି ଦୁଇ ବ୍ୟବସାୟୀଙ୍କ ବିଭିନ୍ନ ରାଜ୍ୟରେ ଲିଙ୍କ ଥିବା ପୁଲିସ ଅନୁମାନ କରୁଛି । ଏହାଛଡା ପୁଲିସ ସେମାନଙ୍କ ବାଇକ୍ ଓ ମୋବାଇଲ ଜବତ କରି ଏକ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି । ପୂର୍ବରୁ ମଧ୍ୟ ଏହି ବ୍ୟବସାୟୀଙ୍କ ଠାରୁ ୫୬ ଖଣ୍ଡ ହୀରା ଜବତ କରାଯିବା ସହ ଗିରଫ କରାଯାଇଥିଲା । ଅନ୍ୟପକ୍ଷରେ, ଏହି ଦୁଇଜଣ ସିନାପାଲି ଥାନା ଅଂଚଳରେ ହୀରା ବ୍ୟବସାୟ କରୁଥିଲେ ମଧ୍ୟ ନୂଆପଡ଼ା ଜିଲ୍ଲା ପୁଲିସ ପାଖରେ ସୂଚନା ନଥିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।