OnaKhabar

ପାଠ ପଢ଼ାଇବା ନିଶା : ଅନ୍ ଲାଇନ୍ ପାଠ୍ୟକ୍ରମ ସମ୍ଭବ ନହେବାରୁ ଗାଁ ବୁଲି ବୁଲି ପାଠପଢ଼ାଇଲେ ଶିକ୍ଷୟତ୍ରୀ

ମାଲକାନଗିରି(ପ୍ରଭାତ ଶାହା)-କରୋନା ସଂକ୍ରମଣ ଯୋଗୁ ସାରା ଦେଶରେ ଲକ୍ ଡାଉନ ଘୋଷିତ ହେବା ପରେ ସମସ୍ତ ଦୋକାନ ବଜାର ସହ ସରକାରୀ ଓ ବେସରକାରୀ ସଂସ୍ଥା ବନ୍ଦ କରାଯାଇ ଥିଲା । ବର୍ତମାନ ଲକ୍ ଡାଉନ କୁ କହଳ କରି କିଛି ସାମାଜିକ ଦୂରତା ରକ୍ଷା, ମାସ୍କର ବ୍ୟବହାର କଡ଼ାକଡ଼ି ନିୟମ ପାଳନ କରି ଏକ ନିର୍ଦ୍ଧିଷ୍ଟ ସମୟ ପାଇଁ ଏହିସବୁକୁ ଖୋଲିବାକୁ ସରକାର ନିର୍ଦ୍ଧେଶ ଦେଇଥିଲେ । କିନ୍ତୁ ରାଜ୍ୟର ଶିକ୍ଷା ବିଭାଗ ଯଥା ବିଦ୍ୟାଳୟ, ମହାବିଦ୍ୟାଳୟ ମାନଙ୍କୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ଓଡ଼ିଶା ସରକାର । ଏହାଫଳରେ ଛାତ୍ର ଛାତ୍ରୀ ଶିକ୍ଷା ଏବଂ ପାଠ୍ୟ ପୁସ୍ତକ ଠାରୁ ବଞ୍ଚିତ ହେଇଥିଲେ ତେଣୁ ବହୁ ଦିନର ଅନ୍ତରାଳ ପରେ ସରକାର ଇଣ୍ଟରନେଟ ମାଧ୍ୟମରେ ଅନ୍ ଲାଇନ୍ ପାଠ୍ୟକ୍ରମ ଆରମ୍ଭ କରି ଛାତ୍ର ଛାତ୍ରୀ ଙ୍କ ପାଇଁ ଏକ ନୂତନ ଆଶାର ଆଲୋକ ପ୍ରଦାନ କରିଥିଲେ । ଏହା ବହୁମାତ୍ରାରେ ସଫଳ ହୋଇଥିଲେ ମଧ୍ୟ ଇଣ୍ଟରନେଟ ବିହୀନ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ କାର୍ଯ୍ୟକାରୀ ହେଇପାରିନଥିଲା । ବର୍ତମାନ ସରକାର ଙ୍କ ନିର୍ଦ୍ଦେଶ କ୍ରମେ ଶିକ୍ଷକ, ଶିକ୍ଷୟତ୍ରୀ ମାନେ ଗାଁ ଗାଁ ବୁଲି ଶିକ୍ଷା ଦାନ କରିବାକୁ ନିର୍ଦେଶ ଅଛି । ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି କାଲିମେଳା ବ୍ଲକ ଭୁବନପଲ୍ଲୀ ପଞ୍ଚାୟତ ଠାରେ । କାଲିମେଳା ବାଳିକା ଏସ୍ ଏସ୍ ଡି ବିଦ୍ୟାଳୟର ଶିକ୍ଷୟତ୍ରୀ ଗୀତାଞ୍ଜଳି ସ୍ୱାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦେଶ କ୍ରମେ ଭୁବନପଲ୍ଲୀ ଠାରେ ବାଳିକା ବିଦ୍ୟାଳୟର ଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରୁଛନ୍ତି । ଉକ୍ତ ଛାତ୍ରୀ ମାନେ ଗରିବ ପରିବାରର ହୋଇଥିବାରୁ ଦୁଇ ଓଳି ଖାଇବା ଯୋଗାଡ଼ କରିବା କଷ୍ଟ ସାଧ୍ୟ ହେଉଥିବାବେଳେ ଅନ୍ ଲାଇନ୍ ଶିକ୍ଷା ପାଇଁ କୋମ୍ପୁଟର ଓ ମୋବାଇଲ ଭଳି ଦାମୀ ବସ୍ତୁ କିଣିବା ଏମାନଙ୍କ ପାଇଁ ସ୍ୱପ୍ନ ମାତ୍ରକେ । ଏଭଳି ପରିସ୍ଥିତି ରେ ଗାଁ ଗାଁ ବୁଲି ଶିକ୍ଷକ ଏବଂ ଶିକ୍ଷୟତ୍ରୀ ଙ୍କ ଏପରି କାମକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି ।