OnaKhabar

ଗରିବଙ୍କୁ ନା’ ଠିକାରଦାରଙ୍କୁ ମିଳୁଛି ଖାଦ୍ୟ ପୁଡ଼ିଆ

ବଇଣ୍ଡା : ଲକ୍ ଡାଉନ ସମୟରେ ରାଜ୍ୟ ବାହାରୁ ଆସିଥିବା ଶ୍ରମିକ, ଦିନ ମଜୁରିଆ ବିଶେଷ କରି ଗରିବ ଲୋକମାନଙ୍କୁ ସରକାରଙ୍କ ପକ୍ଷରୁ ଖାଦ୍ୟ ବଣ୍ଟନ କରାଯିବାର ବ୍ୟବସ୍ଥା କରାଯାଇଛି । ତେବେ ଅଧିକାଂଶ ସ୍ଥାନରେ ପ୍ରକୃତ ଗରିବଙ୍କୁ ଖାଦ୍ୟ ମିଳୁନଥିବାବେଳେ ସେମାନଙ୍କ ଖାଦ୍ୟରେ ଠିକଦାର ଭାଗ ପକାଉଥିବା ଅଭିଯୋଗ ହେଉଛି । ସେମାବାର ସ୍ଥାନୀୟ ନୁନୁକାପଶି ପଞ୍ଚାୟତରେ କିଛି ଅଣଓଡ଼ିଆ ଠିକା ଶ୍ରମିକମାନଙ୍କୁ ଖାଦ୍ୟ ପୁଡ଼ିଆ ଯଥା- ଚାଉଳ, ଡାଲି ଓ ଆଳୁ ଆଦି ବଣ୍ଟନ କରାଯାଇଥିଲା । ତେବେ ବଇଣ୍ଡା ଅଞ୍ଚଳର କିଛି ଅନାଥ, ଭୋକିଲା ଓ ଗରିବମାନଙ୍କୁ ଖାଦ୍ୟ ପୁଡ଼ିଆ ଦିଆଯାଇନଥିଲା । ସେମାନେ ଖାଦ୍ୟ ପୁଡ଼ିଆ ନପାଇ ଖାଲି ହାତରେ ଫେରିଯାଇଥିଲେ ।
ସେହିପରି ଆମ୍ବପାଳ ପଞ୍ଚାୟତରେ ମଧ୍ୟ କିଛି ଅଣଓଡ଼ିଆ ଠିକଦାରଙ୍କୁ ଖାଦ୍ୟ ପୁଡ଼ିଆ ବଣ୍ଟନ କରାଯାଇଥିବାବେଳେ ପ୍ରକୃତ ଗରିବଙ୍କୁ ଏଥିରୁ ବଞ୍ଚିତ କରାଯାଇଥିଲା । ଏନେଇ ଆଠମଲ୍ଲିକ ଉପଜିଲ୍ଲାପାଳ ଡ. ରଜନୀକାନ୍ତ ବିଶ୍ୱାଳ ଓ କିଶୋରନଗର ଜିପିଓ ସୁଜାତା ତ୍ରିପାଠୀଙ୍କୁ ଅବଗତ କରାଯାଇଥିଲା । ତେବେ ଠିକାଦାର ଶ୍ରେଣୀର ଲୋକମାନଙ୍କୁ ଖାଦ୍ୟପୁଡ଼ିଆ କି ରନ୍ଧା ଖାଦ୍ୟ ବଣ୍ଟନ କରାଯିବାର ବ୍ୟବସ୍ଥା ନଥିବା କିଶୋରନଗର ଜିପିଓ ସୁଜାତା ତ୍ରିପାଠୀ କହିଥିଲେ । ଅନ୍ୟପକ୍ଷରେ ବହୁ ଗରିବ ଶ୍ରେଣୀର ଲୋକ ଦୁଇ ଓଳି ଖାଦ୍ୟ ପାଇଁ ଡହଳବିକଳ ହେଉଥିବାବେଳେ ପ୍ରତିଦିନ ସନ୍ଧ୍ୟାରେ ମଦ ଓ ମାଂସର ଆସର ଜମାଇ ବାଇକରେ ବୁଲୁଥିବା ଅଣଓଡ଼ିଆ ଠିକାଦାରଙ୍କୁ ଖାଦ୍ୟ ପୁଡ଼ିଆ ବଣ୍ଟନ କରାଯିବା ଘଟଣାକୁ ସାଧାରଣରେ ନିନ୍ଦା କରାଯାଇଛି ।