OnaKhabar

କରୋନା ମୁକାବିଲାରେ ରାଜ୍ୟ ସରକାରଙ୍କୁ ପ୍ରଶଂସା କଲେ ପ୍ରଦୀପ୍ତ ନାଏକ

7

ଭୁବନେଶ୍ୱର: କରୋନା ମୁକାବିଲରେ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି କରୋନା ମୁକାବିଲା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଉଥିବା ବଳିଷ୍ଠ ପଦକ୍ଷେପକୁ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଜନତା କର୍ଫ୍ୟୁ ଏବଂ ୨୧ ଦିନର ଲକ୍‌ଡାଉନ ଆହ୍ୱାନକୁ ରାଜ୍ୟବ୍ୟାପୀ ସମର୍ଥନ ମିଳୁଥିବାରୁ ଏହା କରୋନା ମୁକାବିଲା ଦିଗରେ ବିଶେଷ ସହାୟକ ହେଉଥିବା ସେ କହିଛନ୍ତି । ତେବେ ଭୂତାଣୁଜନିତ ସଂକ୍ରମଣ ବିରୋଧରେ ରାଜ୍ୟବ୍ୟାପୀ ଅଭିଯାନକୁ ନେଇ ଶ୍ରୀ ନାଏକ ମୁଖ୍ୟମନ୍ତ୍ରୀଙ୍କୁ କେତେକ ପରାମର୍ଶ ଦେବା ସହ ଏନେଇ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି । ଶ୍ରୀ ନାଏକ ଚିଠିରେ ଉଲ୍ଲେଖ କରିଛନ୍ତି ଯେ କରୋନା ଭୂତାଣୁଜନିତ ପରିସ୍ଥିତି ଏବଂ ରାଜ୍ୟରେ ଏହାର ମୁକାବିଲା ନେଇ ଗୃହରେ ବିସ୍ତୃତ ଆଲୋଚନା ହେଉ । ରାଜ୍ୟ ସରକାର ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ଏମିତି କିଛି ପଦକ୍ଷେପ ଗ୍ରହଣ ନକରନ୍ତୁ ଯାହା ତାଙ୍କୁ ପରବର୍ତ୍ତୀ ମୁହୂର୍ତ୍ତରେ ଏକଚ୍ଛତ୍ରବାଦର ପରିଚୟ ଦେବ । ରାଜ୍ୟରେ ବର୍ତ୍ତମାନ ଲକ୍ଷ ଲକ୍ଷ ସଂଖ୍ୟାରେ ଅସଂଗଠିତ ଶ୍ରମିକ, ଦିନ ମଜୁରିଆ, ନିର୍ମାଣ ଶ୍ରମିକ, ଖଣିଖାଦାନରେ କାର୍ଯ୍ୟରତ ଶ୍ରମିକ ରହିଛନ୍ତି । ଲକ୍‌ଡାଉନ୍ ଘୋଷଣା ଯୋଗୁଁ ସେମାନେ ଜୀବିକା ହରାଇ ବେରୋଜଗାର ହୋଇପଡ଼ିଛନ୍ତି । ତେଣୁ ସେମାନଙ୍କ ପାଇଁ ସରକାର ଖୁବ୍‌ଶୀଘ୍ର ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି ବିରୋଧୀଦଳ ନେତା ।