OnaKhabar

କରୋନା ସଂକ୍ରମଣ ଭୟ ଠାରୁ ବଳିଗଲା ଝାଡଖଣ୍ଡୀ ହାତୀପଲକୁ ନେଇ ଆତଙ୍କ

9

ମୟୂରଭଞ୍ଜ: ବିଶ୍ୱ ଆତଙ୍କ ସାଜିଥିବା କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସମସ୍ତେ ଚିନ୍ତିତ। ଏହାର ସଂକ୍ରମଣ ରୋକିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ସାରାଦେଶରେ ଲାଗୁ ହୋଇଛି ଲକଡାଉନ ବ୍ୟବସ୍ଥା। ରାସ୍ତାଘାଟରେ ପୋଲିସ ମୁତୟନ ହୋଇଛି। ଲୋକଙ୍କୁ ଘର ଭିତରେ ସୀମାବଦ୍ଧ ରହି ସଂକ୍ରମଣରୁ ସୁରକ୍ଷିତ ରହିବାକୁ ପରାମର୍ଶ ଦିଆଯାଇଛି। ଯାହାକୁ ପାଳନ କରିବାକୁ ଯାଇ ଲୋକମାନେ ନିଜନିଜ ପରିବାର ମଧ୍ୟରେ ସୀମିତ ରହୁଛନ୍ତି। ଦେଶ ତଥା ରାଜ୍ୟରେ ଦେଖାଦେଇଥିବା କରୋନା ସଂକ୍ରମଣ ରୋକିବା ପାଇଁ ସରକାରୀ ବ୍ୟବସ୍ଥାକୁ ସବୁ ସ୍ତରରେ ସହଯୋଗ କରୁଛନ୍ତି ସାଧାରଣ ଲୋକମାନେ। ହେଲେ ପଶ୍ଚିମବଙ୍ଗ ସୀମାନ୍ତକୁ ଲାଗିଥିବା ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଓ ରାସଗୋବିନ୍ଦପୁର ଥାନା ଅଞ୍ଚଳରେ ଏବେ କରୋନା ଭୟକୁ ବଳିଯାଇଛି ଝାଡ଼ଖଣ୍ଡି ହାତୀପଲ ଆତଙ୍କ। ତେବେ ପ୍ରାୟ ୨୫ଟିରୁ ଅଧିକ ଥିବା ଗୋଟିଏ ହାତୀପଲ ପୋଡ଼ାଶୀ ପଶ୍ଚିମବଙ୍ଗ ଦେଇ ଓଡ଼ିଶା ସୀମାରେ ଥିବା ଗାଁ ନିକଟ ଜଙ୍ଗଲକୁ ପଶି ଆସିଛନ୍ତି। ବର୍ତ୍ତମାନ ଏହି ହାତୀପଲ ମୋରଡ଼ା ଠାରେ ଥିବା ରାସଗୋବିନ୍ଦପୁର ବନାଞ୍ଚଳ ଅନ୍ତର୍ଗତ କାଞ୍ଜିଆମୁଣ୍ଡା ଜଙ୍ଗଲରେ ଡେରା ପକାଇଛନ୍ତି। ଏହି ହାତୀପଲରେ ୨୫ରୁ ଅଧିକ ହାତୀଥିବା ଲୋକମାନେ କହିଛନ୍ତି। ଫଳରେ ମୋରଡ଼ା ଥାନା ଅନ୍ତର୍ଗତ ଟୁକପଳାସିଆ,କାଞ୍ଜିଆମୁଣ୍ଡା ଏବଂ ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ଭଦୁଆଶୋଳ ସହିତ ଏହାର ଆଖପାଖ ୨/୩ଟି ଗାଁର ଲୋକ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଏଭଳି ଦ୍ଵନ୍ଦାତ୍ମକ ସ୍ଥିତିରେ ସ୍ଥାନୀୟ ଲୋକମାନେ କରୋନା ଭୟରୁ ବାହାରି ହାତୀପଲ ଘଉଡାଇବାକୁ ଏକଜୁଟ ହେଉଛନ୍ତି। ରାତିର ଅନ୍ଧକାରରେ ଗାଁକୁ ପଶିଲେ ବ୍ୟାପକ ଧନଜୀବନ ନଷ୍ଟ କରିବାର ଭୟ ଲୋକଙ୍କୁ ଘାରିଛି। ହାତୀ ଆକ୍ରମଣରେ ଭୟାନକ ମୃତ୍ୟୁ ଅଧିକ ଆତଙ୍କିତ ଅବସ୍ଥା ସୃଷ୍ଟି କରିଛି। କରୋନା ସଂକ୍ରମଣରେ ଚିକିତ୍ସା ପରେ ହୁଏତ ଜୀବନ ବଞ୍ଚିଯିବ କିନ୍ତୁ ହାତୀ ଆକ୍ରମଣରେ ସେଇଠି ଜୀବନ ଚାଲିଯିବ ବୋଲି ଲୋକମାନେ ଅଭିଯୋଗ କରି କହିବା ସହିତ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି। ତେବେ ସ୍ଥାନୀୟ ବନବିଭାଗ ପକ୍ଷରୁ ହାତୀପଲ ଉପରେ ନଜର ରଖାଯିବା ସହିତ ଘଉଡାଇବାକୁ ଉଦ୍ୟମ ହେଉଥିବାନେଇ ମିଳିଥିବା ସୂଚନାରୁ ଜଣାପଡ଼ିଛି।