OnaKhabar

ଅସହାୟଙ୍କୁ ମାନବତାର ହାତ ବଢାଇଲା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ

19

ବଲାଙ୍ଗିର : ସାରା ବିଶ୍ୱ କରୋନା ମହାମାରୀ ର କବଳରେ । ଏହି ମହାମାରୀ ସଂକ୍ରମଣରୁ ଦେଶବାସୀଙ୍କୁ ସୁରକ୍ଷିତ ରଖିବା ପାଇଁ ସରକାର ଦେଶ ତମାମ ଲକ ଡାଉନ ଜାରି କରିଛନ୍ତି । ଲକ ଡାଉନ ଦ୍ୱାରା ଦେଶବାସୀଙ୍କୁ ଏହି ସମୟରେ ସାମାଜିକ ଦୁରତ୍ୱର ଲାଭ ମିଳୁଥିଲା ବେଳେ ଘରକୁ ଫେରୁଥିବା ଯାତ୍ରୀ, ଶ୍ରମିକ ତଥା ନିରାଶ୍ରୟ ଭୋକ ଉପାସରେ ଦିନ କାଟୁଛନ୍ତି । ଏଭଳି ପରିସ୍ଥିତିରେ କରୋନା ସଂକ୍ରମଣକୁ ଭୟ ନକରି ଯାତ୍ରୀ, ଶ୍ରମିକ ଓ ନିରାଶ୍ରୟଙ୍କ ପାଇଁ ମାନବତା ର ହାତ ବଢାଇଛି ବଲାଙ୍ଗିର ସ୍ଥିତ ସାମାଜିକ ଅନୁଷ୍ଠାନ ବିଙ୍ଗ ହ୍ୟୁମାନ ଫାଉଣ୍ଡସନ । ଏହି ସଂଗଠନ ତରଫରୁ ଏଭଳି ଅସହାୟ ଗରିବ ଶ୍ରେଣୀ ର ଲୋକମାନଙ୍କ ଖାଇବା ବ୍ୟବସ୍ଥା କରାଯାଇଛି। ସଙ୍ଗଠନ ଗତ କାଲି ଅପରାହ୍ନ ରେ ସହର ରେ ବୁଲୁଥୁବା ମାନସିକ ରୋଗୀ ମାନଙ୍କୁ ଖାଇବା ପାଇଁ ଦିଆଯାଇଥିଲା ପରେ ଅନୁଷ୍ଠାନ ର କର୍ମକର୍ତ୍ତା ମାନେ ପୁଇଁତଳା ବ୍ଲକ ମଲମୁଣ୍ଡା ପାଖରେ ଥିବା କମାର ବସ୍ତି କୁ ଯାଇ ପ୍ରାୟ ପନ୍ଦର ଟି ପରିବାର ର ଷାଠିଏ ଜଣଙ୍କୁ ୩ ଦିନ ପାଇଁ ରୋଷେଇ ସାମଗ୍ରୀ ଯଥା ଚାଉଳ, ଡାଲି, ପନିପରିବା ସହ ଚୁଡା, ସାବୁନ ଆଦି ବଣ୍ଟନ କରିଥିଲେ ।

ସେହିପରି ଆଜି ମଧ୍ୟ ସହରର ବିଭିନ୍ନ ସ୍ଥାନରେ ଥିବା ଅସହାୟ ଗରିବ ଓ ଯାତ୍ରୀଙ୍କ ପାଇଁ ରନ୍ଧା ଖାଦ୍ୟ ଓ ରନ୍ଧା ସାମଗ୍ରୀର ବଣ୍ଟନ ବ୍ୟବସ୍ଥା କରାଯାଇଛି । ଆହୁରି ମଧ୍ୟ ଏହି ଲକ ଡାଉନ ସମୟରେ ସଂଗଠନର ଚାରି ଜଣ ସକ୍ରିୟ ସଦସ୍ୟ ବିକ୍ରମ ପାତ୍ର, ପ୍ରତ୍ୟୁଷ ଯୋଶୀ, ଅଜିତ ମହାନନ୍ଦ, ଦେବାଶିଷ ଦାସ ଅସହାୟ ରୋଗୀଙ୍କୁ ରକ୍ତଦାନ କରି ଚାରୋଟି ଅମୁଲ୍ୟ ଜୀବନ ବଞ୍ଚାଇଥିଲେ । ତେବେ ଆଗକୁ ମଧ୍ୟ ସହର ଭିତରେ ଓ ବାହାରେ ଅସହାୟ ଭୋକିଲା ଙ୍କୁ ଖାଦ୍ୟ ଯୋଗାଇ ଦିଆଯିବା ସହ ସବୁ ପ୍ରକାର ଜରୁରୀ ସେବା ଯୋଗେଇ ଦେବା ପାଇଁ ଅନୁଷ୍ଠାନ ତରଫରୁ କୁହାଯାଇଛି । ଏହି କାର‌୍ୟ୍ୟକ୍ରମ ରେ ଅନୁଷ୍ଠାନ ର ସୋମନାଥ ମିଶ୍ର, ବିବେକ ପଟେଲ, ତାପସ ମହାନ୍ତି, ପ୍ରିତମ ବରକ୍ଷଡ଼, ଵାପିନା ମହାରଣା, ମୋହିତ ତ୍ରିପାଠୀ ଆଦି ସହଯୋଗ କରିଥିଲେ ।

ପ୍ରକାଶ ଯୋଗ୍ୟ ଯେ, ଗତ ୪ ବର୍ଷ ହେଲା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ଅଂଚଳର ଆଵଶ୍ୟକତା ଅନୁଯାୟୀ ବିଭିନ୍ନ ସମୟରେ ବିଭିନ୍ନ ଲୋକାଭିମୁଖୀ କାର‌୍ୟ୍ୟକ୍ରମ କରି ଆସୁଅଛି । ବର୍ଷ ତମାମ ରକ୍ତ ଦାନ, ଶବ ସତ୍କାର , ମାନସିକ ରୋଗୀଙ୍କ ଚିକିତ୍ସା ତଥା ଛୁଟି ଦିନ ମାନଙ୍କରେ ରୋଗୀ ଓ ସମ୍ପର୍କୀୟଙ୍କୁ ରନ୍ଧା ଖାଦ୍ୟ ଆଦି ସେବା ଯୋଗାଇ ଦେଇ ଆସୁଛି । ଏହି ସଂଗଠନ ନିଜର ସମାଜ ସେବାରେ ଅନେକ ଯୁବକ ଯୁବତୀ ତଥା ଅନେକ ସଂଗଠନ ପାଇଁ ପ୍ରେରଣାର ଉତ୍ସ ପାଲଟିଛି ।