OnaKhabar

ଲକ୍ ଡାଉନ୍ କଟକଣା : ସ୍ଥିତି ନିୟନ୍ତ୍ରଣ ପାଇଁ ପ୍ରଶାସନର କଡ଼ା କାର୍ଯ୍ୟାନୁଷ୍ଠାନ

5

କୋରାପୁଟ : ମହାମାରୀ “କରୋନା’ର ମୁକାବିଲା ପାଇଁ ସରକାର ସମଗ୍ର ଦେଶରେ ଲକ୍ ଡାଉନ୍ ନିର୍ଦ୍ଦେଶ ଦେଇଥିବାବେଳେ ଏହାର ପ୍ରଭାବ କୋରାପୁଟ ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି । ଲକ୍ ଡାଉନ୍ ମଙ୍ଗଳବାର ମଧ୍ୟ ରାତ୍ରିରୁ ଲାଗୁ ହୋଇଥିବାରୁ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ବ୍ୟତୀତ ଜିଲ୍ଲାରେ ସମସ୍ତ ସରକାରୀ, ବେସରକାରୀ ଅନୁଷ୍ଠାନ ସମେତ ଦୋକାନ ବଜାର ବନ୍ଦ ରହିଛି । ଅତି ଜରୁରୀ ପରିସ୍ଥିତିରେ ଲୋକେ କାଁ ଭାଁ ବାହାରେ ଯାତାୟତ କରୁଥିବାବେଳେ ରାସ୍ତାଘାଟ,ବସ୍ ଷ୍ଟାଣ୍ଡ ପୁରା ଫାଙ୍କା ପଡ଼ିଛି । ସରକାରଙ୍କ ଲକ୍ ଡାଉନ୍ ଆହ୍ୱାନକୁ ଯେପରି ସମସ୍ତେ ପାଳନ କରିବେ ସେଥିପ୍ରତି ଗୁରୁତ୍ୱ ଦେଇ ପ୍ରଶାସନ ଓ ପୁଲିସ୍ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଜିଲ୍ଲାପାଳ ମଧୁସୂଦନ ମିଶ୍ର ଏବଂ ଏସପି ମୁକେଶ କୁମାର ଭାମୁ ପ୍ରତ୍ୟକ୍ଷ ଭାବେ ସ୍ଥିତି ଉପରେ ନଜର ରଖିଛନ୍ତି । ଓଡ଼ିଶା-ଆନ୍ଧ୍ର-ଛତିଶଗଡ଼ ସୀମା, ଆନ୍ତଃଜିଲ୍ଲା ସୀମା ଓ ପ୍ରତି ସହରର ପ୍ରବେଶ ପଥରେ ପୁଲିସ୍ ଦ୍ୱାରା ଯାନ ବାହନ କଡାକଡି ଯାଂଚ୍ କରାଯାଉଛି । କୋରାପୁଟ ଟାଉନ୍ ଥାନା ପୁଲିସ୍ ଗାଡି ଯାଂଚ କରୁଥିବା ବେଳେ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାକୁ ବାଲି ଚାଲାଣ କରୁଥିବା ୨ଟି ଟ୍ରକକୁ ଜବତ କରିଛି । ଅନାବଶ୍ୟକ ଯାତ୍ରାକୁ ବାରଣ କରାଯାଉଥିବା ବେଳେ ଭିଡ଼ ଜମାଉଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆ ଯାଉଛି । ଜିଲ୍ଲା ସଦର ମହକୁମା ସମେତ ଜୟପୁର, କୋଟପାଡ, ବୋରିଗୁମ୍ମା, ସୁନାବେଡା, ସେମିଲିଗୁଡା, ଦାମନଯୋଡି ପ୍ରମୁଖ ସହରର ସବୁ ଛକରେ ପୁଲିସ୍ ଓ ମାଜିଷ୍ଟ୍ରେଟ୍ ଉପସ୍ଥିତ ରହି ସ୍ଥିତି ଉପରେ ନଜର ରଖିଛନ୍ତି । ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ ଗଠିତ ସ୍ୱତନ୍ତ୍ର ଟିମ୍ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଦୋକାନ ଗୁଡିକ ଉପରେ ଦୃଷ୍ଟି ରଖିଥିବାବେଳେ କଳାବଜାରୀ ଓ କୁତ୍ରିମ ଅଭାବ ସୃଷ୍ଟିକାରୀଙ୍କ ପ୍ରତି କଡା ନଜର ରଖିଥିବା ଜଣାପଡ଼ିଛି । କୋରାପୁଟ ଦୈନିକ ବଜାରରେ କିଛି ବ୍ୟବସାୟୀ ଚଢ଼ା ଦରରେ ଆଳୁ ପିଆଜ ବିକ୍ରି କରୁଥିବା ସୂଚନା ପାଇ ଯୋଗାଣ ବିଭାଗ ସ୍କ୍ୱାଡ୍ ସେଠାରେ ପହଞ୍ôଚ ଦୋକାନୀଙ୍କୁ ଚେତାବନୀ ଦେବା ସହ ନିର୍ଦ୍ଧାରଣ ଦରରେ ବିକିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ବୈପାରିଗୁଡାରେ ଲକ୍ ଡାଉନ୍ ସତ୍ତ୍ୱେ ଆଇନ୍ ଅମାନ୍ୟ କରି ଏ.କାଶୀ ନାମକ ବ୍ୟକ୍ତି ୩୨୬ ନଂ ଜାତୀୟ ରାଜପଥ କଡରେ ସ୍ଥାନୀୟ ଚାଷୀଙ୍କ ଠାରୁ ବିଭିନ୍ନ ସାମଗ୍ରୀ କିଣୁ ଥିବାବେଳେ ପୁଲିସ୍ କାଶୀ ବୁରୋଧରେ ମାମଲା ରୁଜୁ କରିଥିବା ଜଣାପଡ଼ିଛି ।