OnaKhabar

ଦାନାପାଣିରେ କରୋନା କଣ୍ଟା : ଶ୍ରମିକଙ୍କ କୋଳାହଳରେ ଫାଟିପଡୁଥିବା ବହାକୁଦ ଘାଟ ଶୂନଶାନ୍

24

କେନ୍ଦ୍ରାପଡ଼ା : କରୋନା ସଂକ୍ରମଣ ଆଶଙ୍କାରେ ଲଗାଯାଇଥିବା କଟକଣା ପାଇଁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି । ଏପରିକି ଆବଶ୍ୟକତା ନଥିଲେ ଘରୁ ଗୋଡ଼ ନକାଢିବାକୁ ଜନସାଧାରଣଙ୍କୁ ସରକାରଙ୍କ ପକ୍ଷରୁ କଡ଼ା ନିର୍ଦ୍ଦେଶ ମିଳିଛି । ତେବେ ପ୍ରତିଦିନ ସକାଳେ ଘରୁ ବାହାରକୁ ଗୋଡ଼ ନକାଢିଲେ ଯେଉଁମାନଙ୍କ ଘରେ ଚୁଲି ଜଳେ ନାହିଁ ଏବେ ସେହି ଶ୍ରମଜୀବୀମାନେ ନିଜ ଘରେ ଲକଡାଉନ ହୋଇ ରହିବା ସହ ଚିନ୍ତାରେ ଥିବା ଜଣାପଡିଛି । ପାରାଦୀପ ବନ୍ଦର ନଗରୀର କଳକାରଖାନାକୁ ପ୍ରତିଦିନ ଜଳପଥରେ ମହାକାଳପଡାର ବିଭିନ୍ନ ପଞ୍ଚାୟତରୁ ମୂଲ ମଜୁରି ଲାଗିବାକୁ ଯାଉଥିବା ପ୍ରାୟ ସାଢେ ୩ ହଜାର ମେହନତି ମଣିଷ କରୋନା ସଂକ୍ରମଣର ଆଶଙ୍କାକୁ ନେଇ ଲକଡାଉନ ସମୟରେ ରୋଜଗାର ହରାଇ ଚିନ୍ତାରେ ଥିବା ଜଣାପଡିଛି ।
କି ଖରା କି ବର୍ଷା କି ଶୀତ ଓ କୁହୁଡ଼ିଆ ସକାଳେ ମହାକାଳପଡା ବହାକୁଦ ଘାଟ ଶ୍ରମିକମାନଙ୍କ କୋଳାହଳରେ ଫାଟିପଡୁଥିଲା । ପ୍ରତିଦିନ ସକାଳ ୭ଟା ମଧ୍ୟରେ ଶ୍ରମିକମାନଙ୍କୁ ଏହି ଫେରିଘାଟରେ ଥିବା ମେସିନ ଡଙ୍ଗା ଦା୍ୱରା ଗଭୀର ମହନଦୀ ବକ୍ଷରେ ଜଗତସିଂହପୁର ଜିଲ୍ଲାର ଶିଳ୍ପନଗରୀ ପାରଦୀପକୁ ପାରି ହେବାକୁ ପଡୁଥିଲା । ରାମନଗର, ବଉଳକଣି, ଖରିନାସୀ, ପେଟଛେଲା, ଜମ୍ବୁ, ସୁନିତି, ବାରଡାଙ୍ଗ ଓ ମଙ୍ଗଳପୁର ପଞ୍ଚାୟତ ଅଧୀନ ବିଭାନ୍ନ ଗ୍ରାମର ଶ୍ରମିକମାନେ ପ୍ରତିଦିନ ଏହି ପଥରେ ଯାଇ ଇଫକୋ, ପାରାଦୀପ ଅଏଲ ରିଫାଇନାରୀ, ପିପିଏଲ୍‌, ଏସାର ଷ୍ଟିଲ ପ୍ରଭୃତି ସଂସ୍ଥାରେ ଠିକାଦାରଙ୍କ ଅଧୀନରେ ଦିନ ମଜୁରିଆଭାବେ କାମ କରୁଥିଲେ । ସେଠାରୁ ମଜୁରିନେଇ ପ୍ରତିଦିନ ସନ୍ଧ୍ୟାରେ ଫେରିବା ପରେ ସେମାନଙ୍କ ଘରେ ଚୁଲି ଜଳୁଥିଲା । ଗତ ରବିବାରଠାରୁ ପ୍ରଶାସନର ନିର୍ଦ୍ଦେଶରେ ଏହି ଫେରିଘାଟର ଯନ୍ତ୍ରଚାଳିତ ଡଙ୍ଗାଟିକୁ ବନ୍ଦ କରିଦିିଆଯିବାରୁ ଏହିଘାଟ ଏବେ ସଂପୂର୍ଣ୍ଣ ନିରବ ପଡିଛି । କରୋନା ସଂକ୍ରମଣ ରୋକିବାକୁ ପ୍ରଶାସନ ଏହି ଘାଟକୁ ବନ୍ଦ ରଖିବା ପାଇଁ ପଦକ୍ଷେପ ନେଇଥିବା କଥା କହୁଥିବାବେଳେ ଶ୍ରମିକମାନଙ୍କ ରୋଜଗାର ବନ୍ଦ ଦିଗରେ ସେମାନଙ୍କ ପାଇଁ ବିଶେଷ କିଛି ବ୍ୟବସ୍ଥା କରାଯାଇନଥିବା ଜଣାପଡିଛି । ଅଣସଂଗଠିତ କ୍ଷେତ୍ରରେ କାମ କରୁଥିବା ଏହି ଶ୍ରମିକ ବା ଦିନ ମଜୁରିଆମାନେ ଜୀବିକା ହରାଇ ଚିନ୍ତାରେ ପଡ଼ିଛନ୍ତିି । ତେବେ କରୋନା ସଂକ୍ରମଣକୁ ନେଇ କରାଯାଇଥିବା ଏହି କଟକଣା ଅବଧି ଆବଶ୍ୟକତା ଅନୁସାରେ ବୃଦ୍ଧି କରାଯାଉଥିବାରୁ ପୁଣି ସେମାନେ କେବେ କାମ କରିବାର ସୁଯୋଗ ପାଇବେ ଓ ସେମାନଙ୍କୁ କେବେ ପ୍ରତିଦିନ ରୋଜଗାର କରିବାର ଅବସର ମିଳିବ ଏହାକୁ ନେଇ ଶ୍ରମିକମାନେ ଅନିଶ୍ଚିତତାରେ ଥିବା ପ୍ରକାଶ କରିଛନ୍ତି । ଏହି ଶ୍ରମିକମାନଙ୍କ ଦେହରୁ ଦିନେ ଝାଳ ନଗଡିଲେ ଏମାନଙ୍କ ପରିବାରର ପେଟ ପୁରୁନଥିବାରୁ ଏହି ଅଭାବି ମଣିଷ ମାନଙ୍କର କଥା ପ୍ରଶାସନ ବୁଝିବାକୁ ଦାବି ହେଉଛି ।