OnaKhabar

ଫେକ ଭିଡ଼ିଓ ଭାଇରାଲ କରି ଗିରଫ ହେଲେ ଯୁବକ

253
ବଲାଙ୍ଗିର : ସୋସିଆଲ ମିଡିଆରେ କରୋନା ବିଷୟ ରେ ମିଥ୍ୟା ଖବର ପ୍ରଚାର କରି ଜଣେ ଯୁବକଙ୍କୁ ଆଜି ବଲାଙ୍ଗିର ପୋଲିସ ଗିରଫ କରିଛି ।  ଗିରଫ ଯୁବକ ଜଣକ ହେଲେ ବଲାଙ୍ଗିର ପ୍ରତାପ ସାଗର ପଡ଼ା ର ଗୌରଚନ୍ଦ୍ର ପ୍ରଧାନଙ୍କ ପୁଅ ସନ୍ତୋଷ କୁମାର ପ୍ରଧାନ । ସନ୍ତୋଷ କରୋନା ସମ୍ବନ୍ଧୀୟ ଏକ ଫେକ ଭିଡ଼ିଓକୁ ଭାଇରାଲ କରିଥିବା ପୋଲିସ ସୂଚନା ଦେଇଛି । ଏହି ଭିଡ଼ିଓରେ ଜଣେ ଇଟାଲୀର ନାଗରିକ କରୋନା ସଂକ୍ରମଣରେ ନିଜର ସମସ୍ତ ପରିବାର ବର୍ଗଙ୍କୁ ହରାଇବା ପରେ, ନିଜେ ଏକ  ବିଲ୍ଡିଂଗରୁ ଡେଇଁ ଆତ୍ମହତ୍ୟା କରିଥିବା ଦେଖାଯାଇଛି । ଯାହା ମିଥ୍ୟା ହୋଇଥିବା ସଂଗେ ସଂଗେ କରୋନା ସହ ଲଢେ଼ଇ ର ଏଭଳି ଘଡି ସନ୍ଧି ମୁହୂର୍ତ୍ତରେ ଜଣ ସାଧାରଣଙ୍କ  ମନୋବଳ କୁ ଦୁର୍ବଳ କରିବ ବୋଲି ଅଭିଯୋଗ ହୋଇଛି । ତେବେ ବଲାଙ୍ଗିର ପୋଲିସ ଏହି ମାମଲା ରେ ସନ୍ତୋଷଙ୍କୁ ଗିରଫ କରିବା ସହ 136/20  ମାମଲା ରୁଜୁ କରି ତାଙ୍କୁ କୋର୍ଟ ଚାଲାଣ କରିଛି ।
କରୋନା ସମ୍ବନ୍ଧୀୟ ମିଥ୍ୟା ଗୁଜବକୁ ଗୁରୁତ୍ୱ ନଦେବା ତଥା ଗୁଜବ ଗୁଡିକୁ ଫରୱାର୍ଡ କରି ଏହାର ଭାଗିଦାର ନହେବା ପାଇଁ ସରକାର ବାରମ୍ବାର  ଅନୁରୋଧ କରିଆସିଛନ୍ତି । ବିଭିନ୍ନ ଗଣମାଧ୍ୟମ ରେ ମଧ୍ୟ ଏହା ପ୍ରକାଶ ପାଇଛି । କରୋନା ସମ୍ବନ୍ଧୀୟ ବେସରକାରୀ ମେସେଜ ବା ଭିଡ଼ିଓ କୌଣସି ସାମାଜିକ ଗଣ ମାଧ୍ୟମରେ ପ୍ରକାଶ କରିବାରୁ ଲୋକେ ନିବୃତ୍ତ ରୁହନ୍ତୁ । ଏଭଳି ମିଥ୍ୟା ତଥ୍ୟ  ଜନ ସାଧାରଣଙ୍କ ମଧ୍ୟରେ ଅଯଥା ଆତଙ୍କର କାରଣ ହୋଇପାରେ , ଆହୁରି ମଧ୍ୟ ଏହା ଓଡିଶା ସରକାରଙ୍କ  କରୋନା -2019 ନିୟମର ଖିଲାପ ବୋଲି  କହିବା ସହ  ଗୁଜବକାରୀ ଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି    ପୋଲିସ ଚେତାଇ ଦେଇଛି ।