OnaKhabar

ଜଗତସିଂହପୁର ଜିଲ୍ଲା ଲକଡାଉନ : ଦରଦାମ ବୃଦ୍ଧି

ଜଗତସିଂହପୁର : ରାଜ୍ୟ ସରକାର ଜଗତସିଂହପୁର ଜିଲ୍ଲାକୁ ଲକଡାଉନ୍ ଘୋଷଣା କରିବା ପରେ ଜଗତସିଂହପୁର ପୌରପରିଷଦ ଓ ପୁଲିସ ପକ୍ଷରୁ ଗତ ସୋମବାର ସନ୍ଧ୍ୟାରେ ପ୍ରଚାର କରାଯାଇ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା । ଦୋକାନ ବଜାର ବନ୍ଦ ରଖିବା, ଲୋକମାନେ ଜରୁରୀ ଆବଶ୍ୟକ ନଥିଲେ ଘରୁ ବାହାରିବେ ନାହିଁ, ଯଦି କୌଣସି ବ୍ୟକ୍ତି ଏହି ନିୟମକୁ ଉଲଘଂନ କରେ ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସଚେତନ କରାଯାଇଥିଲା । ଫଳରେ ଆଜି ସକାଳ ୫ଟାରୁ ଜଗତସିଂହପୁର ସଦର ମହକୁମାରେ ଜନଗହଳି ଏକପ୍ରକାର କମ୍ ଥିବାର ଦେଖିବାକୁ ମିଳିଥିଲା । କାଁଭାଁ କେତେକ ଚାରିଚକିଆ ଯାନ ଯାଉଥିବାବେଳେ ମଟରସାଇକେଲ ସଂଖ୍ୟା ଅଧିକ ଥିଲା । ଜିଲ୍ଲାର ମୁଖ୍ୟ ଭାଗରେ ସୋମନାଥ ହାଟ ରହିଥିବାରୁ ପୂର୍ବଭଳି ଚାଲୁଥିଲା । ଆଜି ହାଟରେ ପରିବାପତ୍ର ଯେଉଁ ପରିମାଣରେ ଆସିବା କଥା ସେ ପରିମାଣରେ ଆସିନଥିଲା । ସକାଳ ୮ଟାରେ ଆଳୁ କିଲୋ ପ୍ରତି ୧୮ରୁ ୧୯ଟଙ୍କା ବିକ୍ରି ହେଉଥିବାବେଳେ ଦିବା ୧୧ଟା ବେଳକୁ ତାର ଦାମ୍ ୨୫ଟଙ୍କାକୁ ବୃଦ୍ଧି ପାଇଥିବାର ଦେଖିବାକୁ ମିଳିଥିଲା । ଏନେଇ ଖାଉଟି ଓ ବେପାରୀଙ୍କ ମଧ୍ୟରେ ଯୁକ୍ତିତର୍କ ହେଉଥିବାର ଦେଖିବାକୁ ମିଳିଥିଲା । ଏହି ସମୟ ମଧ୍ୟରେ ଯୋଗାଣ ବିଭାଗର କୌଣସି କର୍ମକର୍ତ୍ତା ଓ ପୌର ପରିଷଦର କୌଣସି କର୍ମକର୍ତ୍ତା ଦିବା ୧୨ଟା ପର୍ଯ୍ୟନ୍ତ ଦେଖିବାକୁ ମିଳିନଥିଲେ । ମୁଖ୍ୟ ରାସ୍ତା ମାନଙ୍କରେ କେବଳ ପୁଲିସ ପାଟ୍ରୋଲିଂ ଦେଖିବାକୁ ମିଳିଥିଲା । ଯେଉଁମାନେ ଅଯଥା ବାହାରେ ବୁଲୁଥିଲେ ପୁଲିସ ପକ୍ଷରୁ ସେମାନଙ୍କୁ ବୁଝାସୁଝା କରାଯାଇ ଘରକୁ ବିଦା କରାଯାଉଥିଲା । ଜିଲ୍ଲାରେ ଅବସ୍ଥିତ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ସମସ୍ତ ବ୍ୟାଙ୍କ ମାନଙ୍କରେ ପୂର୍ବପରି ଭିଡ ଦେଖିବାକୁ ମିଳିନଥିଲା । ସମସ୍ତ କାର୍ଯ୍ୟାଳୟ ଏକ ପ୍ରକାର ତାଲା ପଡିବା ଭଳି ଅବସ୍ଥା ଦେଖିବାକୁ ମିଳିଥିଲା । ସମସ୍ତଙ୍କର ଗୋଟିଏ ଚିନ୍ତା କରୋନାର ମୁକାବିଲା କରିବା । ଦରଦାମ ନିୟନ୍ତ୍ରଣ ଉପରେ ଯୋଗାଣ ବିଭାଗ ଓ ଜିଲ୍ଲା ପ୍ରଶାସନ ଯତ୍ନବାନ ହେବା ଦରକାର ନଚେତ ଆଗକୁ ପରିସ୍ଥିତି ଅସମ୍ଭାଳ ହେବାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ । ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।