OnaKhabar

ଜ୍ୱରରେ ପୀଡ଼ିତ ଯୁବତୀଙ୍କ ମୃତ୍ୟୁ : ଡାକ୍ତରଖାନାରେ ୧୫ଘଣ୍ଟା ପଡ଼ିରହିଲା ଶବ

ନିଶ୍ଚିନ୍ତକୋଇଲି : ଏବେ ଚାରିଆଡ଼େ କରୋନା ଭୟ ଘାରିଛି । ଯେ କୌଣସି କାରଣରୁ ଥଣ୍ଡା, ଛିଙ୍କ ହେଲେ ବି ଲୋକେ ଭୟଭୀତ ହୋଇପଡ଼ୁଛନ୍ତି । ଏପରିକି ସେଭଳି ରୋଗୀଙ୍କ ପାଖ ମାଡ଼ିବାକୁ ଲୋକେ ଡରୁଛନ୍ତି । ଯାହାର ଉଦାହରଣ ଦେଖିବାକୁ ମିଳିଛି ନିଶ୍ଚିନ୍ତକୋଇଲି ଅଞ୍ଚଳରେ ।
ସୂଚନା ଅନୁଯାୟୀ, ନିଶ୍ଚିନ୍ତକୋଇଲି ବ୍ଲକ୍ ଅନ୍ତର୍ଗତ ବଡ଼କ୍ଷୀର ଗ୍ରାମର ଶ୍ରୀନିବାସ ସ୍ୱାଇଁଙ୍କ କନ୍ୟା ସୁଜାତା ସ୍ୱାଇଁଙ୍କର ଜ୍ୱରରେ ମୃତ୍ୟୁ ହୋଇଥିଲା । ମାତ୍ର ତାଙ୍କର ଶବ ବ୍ୟବଚ୍ଛେଦ ହୋଇନପାରି କଟକ ବଡ଼ ଡାକ୍ତରଖାନାରେ ଦୀର୍ଘ ୧୫ଘଣ୍ଟା ପଡ଼ିରହିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ତାଙ୍କ ପରିବାରର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ପରେ ସ୍ୱେଚ୍ଛାସେବୀଙ୍କ ସହାୟତାରେ ଶବ ଦାହ କରାଯାଇଛି । ଗତ ୨୦ତାରିଖ ରାତିରେ ସୁଜାତା ଥଣ୍ଡା ଓ ଜ୍ୱରରେ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ନିମନ୍ତେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ କଟକ ବଡ଼ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ୨୧ତାରିଖ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା । ମୃତ୍ୟୁ ପରେ ଶବକୁ ସଂରକ୍ଷଣ ଗୃହରେ ରଖିବାର ବ୍ୟବସ୍ଥା ରହିଥିଲେ ମଧ୍ୟ ଡାକ୍ତରଖାନା କର୍ତ୍ତୃପକ୍ଷ ଦୀର୍ଘ ସମୟ ଶବକୁ ବାରଣ୍ଡାରେ ପକାଇ ରଖିଥିଲେ । ପରେ ସମାଜସେବୀ ବିଭୂତି ରାୟଙ୍କ ସହାୟତାରେ ଶବକୁ କଟକରେ ଦାହ କରାଯାଇଥିଲା ।