OnaKhabar

୨୧ ଦିନ ଲକ୍‌ଡାଉନ୍: ନିୟମ ଭାଙ୍ଗିଲେ ୨ ବର୍ଷ ଯାଏ ଜେଲ୍

546

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ ବ୍ୟାପୁଥିବା ଦେଖି ୨୧ ଦିନ ଲକ୍‌ଡାଉନ କରାଯାଇଛି | ଗତକଲି ମଧ୍ୟରାତ୍ରୀରୁ ଲକ୍‌ଡାଉନ୍ ଘୋଷଣା କରାଯାଇଛି । ୨୧ ଦିନ ଯାଏ ଘରୁ ବାହାରିବା ଉପରେ କଟକଣା ଲାଗୁ କରାଯାଇଛି। ଜରୁରୀ ନ ଥିଲେ ଘରୁ ବାହାରିବାକୁ ବାରଣ କରାଯାଇଛି । ନିୟମ ଭାଙ୍ଗିଥିବା ବ୍ୟକ୍ତି କିମ୍ୱା ସଂସ୍ଥା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆବଶ୍ୟକ ପଡ଼ିଲେ ଜୋରିମାନା ସହିତ ଦଣ୍ଡାଦେଶ ହେବ ବୋଲି ଜଣାପଡ଼ିଛି। ଯଦିଓ ଲକ୍‌ଡାଉନ୍ ଘୋଷଣା କରିଛନ୍ତି ସରକାର ହେଲେ କର୍ଫ୍ୟୁ ଭଳି ନିୟମ ଲାଗୁ କରାଯାଇଛି ବୋଲି ସରକାର କହିଛନ୍ତି। ମଙ୍ଗଳବାର ସଂଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲକ୍‌ଡାଉନ୍ ନେଇ ଘୋଷଣା କରିବା ପରେ ମଧ୍ୟରାତ୍ରୀରୁ ନିୟମ କଡ଼ାକଡ଼ି ହୋଇଛି।
ଏହି ୨୧ ଦିନ ଭିତରେ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଧାରା ୫୧ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯେଉଁଥିରେ ଉଭୟ ଜୋରିମାନା ଏବଂ ସଜା ବ୍ୟବସ୍ଥା ରହିଛି। ଲକ୍‌ଡାଉନ୍ ନମାନିଲେ ୨୦୦ ଟଙ୍କା ଜୋରିମାନା ସହିତ ମାସେ ପାଇଁ ଜେଲ୍ ଦଣ୍ଡାଦେଶ ରହିଛି।
ଯଦି ନିୟମ ଉଲ୍ଲଂଘନକାରୀ ଦଙ୍ଗା ଭଳି ସ୍ଥିତି ସୃଷ୍ଟି କରିବେ ତା’ହେଲେ ୬ ମାସ ପର୍ଯ୍ୟନ୍ତ ଜେଲ୍ ଦଣ୍ଡାଦେଶ ବଢ଼ିପାରେ। ସେହିପରି ଆଇନ ଉଲ୍ଲଂଘନକାରୀ ଅନ୍ୟ କାହାର କ୍ଷତି ପହଞ୍ଚାଇଲେ ୨ ବର୍ଷ ଯାଏ ଜେଲ୍ ଦଣ୍ଡାଦେଶ ବଢ଼ାଇବାକୁ ସରକାର ନିର୍ଦ୍ଦେଶ ଦେଇଥିବା ସୂଚନା ରହିଛି।