OnaKhabar

ଆଇନର ଗଳାବାଟ ବନ୍ଦ ହେଲେ ରାଜ୍ୟରେ ଅନେକ ପୀଡିତାଙ୍କୁ ତ୍ୱରିତ ନ୍ୟାୟ ମିଳିପାରିବ : ମହିଳାମୋର୍ଚ୍ଚା

 ଆଜି ସତ୍ୟର ବିଜୟ ହୋଇଛି ଏବଂ ଆଜିର ଦିନ ଆମ ସମସ୍ତଙ୍କ ପାଇଁ ଏକ ଖୁସିର ଦିନ
 ମହିଳାଙ୍କ ଅଧିକାର ଏବଂ ମହିଳାଙ୍କ ସୁରକ୍ଷା ପାଇଁ ଆଜି ଗୋଟିଏ ବଡ ଦିନ
 ଗଣତନ୍ତ୍ରର ନ୍ୟାୟିକ ବ୍ୟବସ୍ଥା ଉପରେ ଲୋକଙ୍କ ବିଶ୍ୱାସ ବଢିଛି
 ଦୁଷ୍କର୍ମ କରୁଥିବା ଅପରାଧୀମାନଙ୍କୁ ତୁରନ୍ତ ସଜ୍ଜା ଶୁଣାଇବା ପାଇଁ ନୂଆ ନିୟମ ଆଣିବା ଦରକାର
 ଦେଶରେ ଯେତେ ମହିଳା ଓ ନାବାଳିକାଙ୍କ ଉପରେ ଦୁଷ୍କର୍ମ ମାମଲା ବାକି ଅଛି ସେଗୁଡିକୁ ତୁରନ୍ତ
ଫାଷ୍ଟଟ୍ରାକ୍ କୋର୍ଟ ମାଧ୍ୟମରେ ଶୁଣାଣି କରି ଅଭିଯୁକ୍ତ ମାନଙ୍କୁ ଦଣ୍ଡ ଦେବାର ବ୍ୟବସ୍ଥା କରାଯାଉ
 ଯେଉଁ ପୀଡିତାମାନେ ନିଜ କେସ ଲଢିବା ପାଇଁ ସମର୍ଥ ନଥିବେ ସେମାନଙ୍କୁ ନ୍ୟାୟ ଦେବା ପାଇଁ
ମହିଳାମୋର୍ଚ୍ଚା ବିନା ପାରିଶ୍ରମିକରେ ଓକିଲ ସାଜି କେସ୍ ଲଢିବେ

ଭୁବନେଶ୍ୱର : ଆଜି ଦିନଟି ଆମ ସମସ୍ତଙ୍କ ପାଇଁ ଏକ ଖୁସିର ଦିନ । ବିଳମ୍ବ ହେଲେ ମଧ୍ୟ ନ୍ୟାୟିକ
ପ୍ରକ୍ରିୟାରେ ବିଶ୍ୱାସ ରଖିଥିବା ଆମ ସମସ୍ତଙ୍କୁ ନ୍ୟାୟ ମିଳିଛି ଏବଂ ନିର୍ଭୟା ଦୋଷୀ ମାନଙ୍କୁ ଫାଶୀ ମିଳିଛି । ଗଣତନ୍ତ୍ରର ନ୍ୟାୟିକ
ବ୍ୟବସ୍ଥା ଉପରେ ଲୋକଙ୍କ ବିଶ୍ୱାସ ବଢିଛି ବୋଲି ମହିଳାମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ପ୍ରଭାତି ପରିଡା କହିଛନ୍ତି ।
ଶ୍ରୀମତୀ ପରିଡା କହିଛନ୍ତି ଯେ, ନିର୍ଭୟା କେସ ରେ ସୁପ୍ରିମକୋର୍ଟ ରାୟ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ । ନିର୍ଭୟାଙ୍କ ପିତା ମାତା ଏବଂ
ପରିବାର ଲୋକଙ୍କୁ ଆଜି ନ୍ୟାୟ ମିଳିଛି । ନିର୍ଭୟା ପରିବାର ୭ ବର୍ଷ ଧରି ନ୍ୟାୟ ପାଇବା ପାଇଁ ଯେପରି ଲଢେଇ କରିଥିଲେ ତାହା
ସମସ୍ତଙ୍କୁ ଏକ ପ୍ରେରଣା ଯୋଗାଇବ । ଆଜି ସତ୍ୟର ବିଜୟ ହୋଇଛି । ଏହି ଦଣ୍ଡ ବିଧାନରୁ ଅନ୍ୟ ଦୁଷ୍କର୍ମକାରୀମାନେ ସତର୍କ ହେବେ
ଏବଂ ଏପରି ହୀନ କାର୍ଯ୍ୟ କରିବାରୁ ଦୂରେଇ ରହିବେ ।
ପୋଲିସ ଏବଂ ଆଇନ ବ୍ୟବସ୍ଥାରେ କିଛି ତ୍ରୁଟି ଅବା ଗଳାବାଟ ଥିବାରୁ ଅପରାଧୀମାନଙ୍କୁ ଫାଶୀରେ ଝୁଲାଇବା ପାଇଁ ୭ ବର୍ଷ
ସମୟ ଲାଗିଗଲା । ଦୁଷ୍କର୍ମ କରୁଥିବା ଅପରାଧୀମାନଙ୍କୁ ତୁରନ୍ତ ସଜ୍ଜା ଶୁଣାଇବା ପାଇଁ ନୂଆ ନିୟମ ଆଣିବା ଦରକାର । ଯେଉଁପରି
ନିର୍ଭୟା କେସ୍‌ରେ ଅଭିଯୁକ୍ତମାନଙ୍କୁ ଫାଶୀ ମିଳିଛି, ଠିକ୍ ସେହିପରି ନାବାଳିକା ଦୁଷ୍କର୍ମକାରୀମାନଙ୍କୁ ପୋକସୋ ଆକ୍ଟ ଆଧାରରେ ଫାଶୀ
ଦିଆଯାଉ ବୋଲି ଶ୍ରୀମତୀ ପରିଡା ଦାବି କରିଛନ୍ତି ।
ମହିଳାଙ୍କ ଅଧିକାର ଏବଂ ମହିଳାଙ୍କ ସୁରକ୍ଷା ପାଇଁ ଆଜି ଗୋଟିଏ ବଡ ଦିନ ଅଟେ । ଆଇନର ଗଳାବାଟ ବନ୍ଦ ହେଲେ
ନିର୍ଭୟା ପରି ରାଜ୍ୟରେ ଇତିଶ୍ରୀ,ବେବିନା, କୁନ୍ଦୁଳି ପିଡୀତା ଭଳି ଅନେକ ପୀଡିତାଙ୍କୁ ତ୍ୱରିତ ନ୍ୟାୟ ମିଳିପାରିବ । ରାଜ୍ୟରେ ଯେଉଁ
ପୀଡିତାମାନେ ନିଜ କେସ ଲଢିବା ପାଇଁ ସମର୍ଥ ନଥିବେ ସେମାନଙ୍କୁ ନ୍ୟାୟ ଦେବା ପାଇଁ ଭାରତୀୟ ଜନତାପାର୍ଟିର ମହିଳାମୋର୍ଚ୍ଚା
ବିନା ପାରିଶ୍ରମିକରେ ଓକିଲ ସାଜି କେସ୍ ଲଢିବେ ବୋଲି ଶ୍ରୀମତୀ ପରିଡା କହିଛନ୍ତି ।
ଏହି ଅବସରରେ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ଏବଂ ସୋନାଲି ସାହୁ
ପ୍ରମୁଖ ଉପସ୍ଥିତ ଥିଲେ ।