OnaKhabar

କରୋନା ମୁକାବିଲା ଲାଗି ସହରାଞ୍ଚଳରେ କ୍ୱାରେଣ୍ଟାଇନ ସେଣ୍ଟର

ଭୁବନେଶ୍ୱର -କରୋନା ମୁକାବିଲା ଲାଗି ସହରାଞ୍ଚଳରେ କ୍ୱାରେଣ୍ଟାଇନ ସେଣ୍ଟର ଖୋଲିବା ପାଇଁ ରାଜ୍ୟ ସରକାର ପୌର ପ୍ରଶାସକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି.ମାଥି ଭାଥନନ୍ ଆଜି ଏ ନେଇ ସମସ୍ତ ମହାନଗର ନିଗମର କମିଶନର ଏବଂ ପୌର ନିର୍ବାହୀ ଅଧିକରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ନିର୍ଦ୍ଦେଶନାମାରେ କଲ୍ୟାଣ ମଣ୍ଡପ, କମ୍ୟୁନିଟି ସେଣ୍ଟର, ବାତ୍ୟା ଆଶ୍ରୟସ୍ଥଳୀ, ଆଶ୍ରୟଗୃହ କିମ୍ବା ସେହିଭଳି ଘରୋଇ ଓ ସରକାରୀ କୋଠାଗୁଡ଼ିକରେ କ୍ୱାରେଣ୍ଟାଇନ ସେଣ୍ଟର ଖୋଲିବା ଲାଗି କୁହାଯାଇଛି । ଏହିସବୁ କୋଠାରେ ଯେଭଳି ନିୟମିତ ବିଜୁଳି ଯୋଗାଣ ସହିତ ଜେନେରେଟର ସେଟ, ଜଳଯୋଗାଣ ଆଦି ରହିବ । ଏହି କେନ୍ଦ୍ରଗୁଡ଼ିକୁ ଲୋକ ଯୋଗାଇଦେବା ଲାଗି ସେବା ଯୋଗାଣକାରୀ ସଂସ୍ଥାଗୁଡ଼ିକ ତୁରନ୍ତ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ଏହି ସମସ୍ତ କୋଠା ଠିକଣା ଭାବେ ପରିସ୍କାର ପରିଚ୍ଛନ୍ନତା ସହିତ ସାନିଟାଇଜ କରିବାକୁ କୁହାଯାଇଛି । କ୍ୱାରେଣ୍ଟାଇନ ସେଣ୍ଟରଗୁଡ଼ିକର ଠିକଣା ପରିଚାଳନା ସହିତ ସୁରକ୍ଷାକର୍ମୀ ଓ ସେବା ଯୋଗାଣକାରୀଙ୍କୁ ମୁତୟନ ଲାଗି ସରକାର କହିଛନ୍ତି । ପ୍ରତ୍ୟେକ ୱାର୍ଡ ଅଫିସରମାନଙ୍କୁ ସେମାନଙ୍କ ଇଲାକାର ସର୍ଭିଲାନ୍ସ ଅଫିସର ଭାବେ ବିବେଚନା କରାଯିବ । ଏହି ଅଫିସର ବିଭିନ୍ନ ଗୋଷ୍ଠୀ ସହ ସମ୍ପର୍କ ରକ୍ଷା କରି ବାସ୍ତବ ସ୍ଥିତିର ଅନୁଧ୍ୟାନ କରିବେ ।
ପୌରାଞ୍ଚଳରେ ଥିବା ସ୍ୱଚ୍ଛ ସାଥୀମାନଙ୍କୁ ବର୍ଜ୍ୟବସ୍ତୁ ନିୟନ୍ତ୍ରଣରେ ମୁତୟନ କରାଯିବା ସଙ୍ଗେ ସଙ୍ଗେ ବିଗତ ୧୫ ଦିନ ମଧ୍ୟରେ ଯଦି ସହରକୁ କୌଣସି ବ୍ୟକ୍ତି ବିଦେଶରୁ ଆସିଥାନ୍ତି ସେମାନଙ୍କ ସଂକ୍ରାନ୍ତରେ ପୌର ଅଧିକାରୀଙ୍କୁ ଖବର ଦେବାକୁ କୁହାଯାଇଛି ।
ପୂର୍ବରୁ ଦୁଇଦିନ ମଧ୍ୟରେ ଶୌଚାଳୟ ଓ ଆଧାର କେନ୍ଦ୍ର ଲାଗି ୱାଟର ଜେଟିଂ ମେସିନ ଖରିଦ ଲାଗି କୁହାଯାଇଥିଲା । ବର୍ତ୍ତମାନ ଏହିସବୁ ଇଲାକାରେ ପରିସ୍କାର ପରିଚ୍ଛନ୍ନ ଉପରେ ଗୁରତ୍ୱ ଦିଆଯାଇଛି । ସେହିପରି ଧୂଆଁ ଛାଡ଼ିବା ଓ ସିଞ୍ଚନ ଯନ୍ତ୍ର ନିୟମିତ ଭାବେ ବ୍ୟବହାର କରିାବକୁ କୁହାଯାଇଛି । ଆବଶ୍ୟକତା ମେଣ୍ଟାଇବା ଲାଗି ପର‌୍ୟ୍ୟାପ୍ତ ପରିମାଣରେ ମେସିନ କିଣିବାକୁ କର୍ତ୍ତୃପକ୍ଷ କହିଛନ୍ତି । ସହରରେ ଥିବା ସମସ୍ତ ଗୋଷ୍ଠୀ ପାଇଖାନାଗୁଡ଼ିକୁ ବ୍ୟବହାର ଯୋଗ୍ୟ କରିବାକୁ କୁହାଯାଇଛି । ଏଗୁଡ଼ିକୁ ରଙ୍ଗ ମାରିବା ସହିତ ଜଳଯୋଗାଣ, ବିଦ୍ୟୁତ ଏବଂ ଶୌଚାଳୟରେ ହାତ ଧୋଇବା ଲାଗି ସାବୁନ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସହରରେ ଥିବା ସମସ୍ତ ପାର୍କ ଦିନ ୨ଟା ପରଠାରୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଲୋକଙ୍କୁ ସଚେତନ କରିବା ଲାଗି ଆଇଇସି ଅଭିଯାନ ନିୟମିତ ଭାବେ ଚଳାଇବାକୁ କୁହାଯାଇଛି ।
କୌଣସି କ୍ଷେତ୍ରରେ ମିଥ୍ୟା କିମ୍ବା କପୋଳକଳ୍ପିତ ଖବର ସୋସାଲ ମିଡ଼ିଆ କିମ୍ବା ଅନ୍ୟ କୌଣସି ଗଣମାଧ୍ୟମରେ ପ୍ରସାରିତ ହେଲେ ସେ ସଂକ୍ରାନ୍ତରେ ତୁରନ୍ତ କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ କୁହାଯାଇଛି । ପୌରାଞ୍ଚଳଗୁଡ଼ିକୁ ଆବଶ୍ୟକସ୍ଥଳେ ସ୍ଥିତିକୁ ଦୃଷ୍ଟିରେ ରଖି ଅର୍ଥ ଖର୍ଚ୍ଚ କରିବାର କ୍ଷମତା ଦିଆଯାଇଛି । ସେହିଭଳି ପୌରାଞ୍ଚଳରେ ସମସ୍ତ ପ୍ରକାରର ଜନସମାଗମକୁ ନିଷେଧ କରାଯାଇଛି । ପୌର ଅଧିକାରୀମାନେ ଜିଲ୍ଲାପାଳ, ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କଠାରୁ ପରାମର୍ଶ ଗ୍ରହଣ କରିବାକୁ ରାଜ୍ୟ ସରକାର କହିଛନ୍ତି ।