OnaKhabar

ହୋଲ୍ଡିଂ ଟ୍ୟାକ୍ସ ଖିଲାପକାରୀଙ୍କ ପାଣି – ବିଜୁଳି ବନ୍ଦ

4

ଭୁବନେଶ୍ୱର : ହୋଲ୍ଡିଂ ଟ୍ୟାକ୍ସ ଖିଲାପକାରୀଙ୍କୁ ବଡ଼ ଝଟକା । ଆସନ୍ତାକାଲିଠୁ ଖିଲାପକାରୀଙ୍କ ପାଣି-ବିଜୁଳି ବନ୍ଦ କରିବାକୁ ନୋଟିସ ଜାରି କଲା ବିଏମସି । ବାରମ୍ବାର ନୋଟିସ୍ ଦେବା ସତ୍ତ୍ବେ ବି ହୋଲଡିଂ ଟିକସ ଦେଉନଥିବା ୧୩ଜଣଙ୍କ ଘରୁ ଏବଂ ୫ଟି ସଂସ୍ଥାର ପାଣି ଓ ବିଦ୍ୟୁତ ସଂଯୋଗ କଟାଯିବ । ଆଜି ଏନେଇ ବିଏମସି ଉତ୍ତର ଜୋନ୍ ଡେପୁଟି କମିସନର ସେସୁର ନୂଆପଲ୍ଲୀ ଓ ରସୁଲଗଡ଼ ଡିଭିଜନ ନିର୍ବାହୀ ଯନ୍ତ୍ରୀ ଏବଂ ୱାଟକୋ ଡିଭିଜନ-୧ର ମହାପ୍ରବନ୍ଧକଙ୍କୁ ଚିଠି ଲେଖିଛନ୍ତି ।

ତେବେ ହଠାତ୍ ଏଭଳି ନୋଟିସ କଥା ପ୍ରଚାରିତ ହେବା ପରେ ଲୋକଙ୍କ ମନରେ ଅସନ୍ତୋଷର ବାତାବରଣ ଖେଳିଯାଇଛି । ବିଏମସିର ନର୍ଥ ଜୋନରେ ଥିବା ମୋଟ ୧୮ ଜଣ ଖିଲାପକାରୀଙ୍କ ନାମ ସହ ସେମାନଙ୍କର ବକେୟା ଥିବା ହୋଲଡିଂ ଟିକସର ବିବରଣୀ ମଧ୍ୟ ଦେଇଛନ୍ତି । ୧୮ଜଣଙ୍କର ୧କୋଟି ୮୩ଲକ୍ଷ ୯୪ହଜାର ୩୧୭ଟଙ୍କା ହୋଲଡିଂ ଟିକସ ବାକି ଅଛି । ପୂର୍ବରୁ ୧କୋଟି ୫୪ଲକ୍ଷ ୮୧ହଜାର ୯୧୧ଟଙ୍କା ବାକି ଥିବା ବେଳେ ଚଳିତ ବର୍ଷର ୨୯ଲକ୍ଷ ୧୨ହଜାର ୪୦୬ଟଙ୍କା ବାକି ଅଛି । ଏହି ୧୮ଜଣଙ୍କୁ ବିଏମସି ପକ୍ଷରୁ ବାରମ୍ବାର ନୋଟିସ୍ ଦିଆଯିବା ସହ କିନ୍ନରମାନଙ୍କୁ ବକେୟା ଟିକସ ଆଦାୟ ପାଇଁ ପଠାଯାଇଥିଲା । ଏପରିକି ୱାର୍ଡ ଅଫିସରମାନେ ଟିକସ ଖିଲାପକାରୀଙ୍କ ପାଖକୁ ଯାଇଥିଲେ ହେଁ ସେମାନେ ହୋଲଡିଂ ଟିକସ ଦେଇନାହାନ୍ତି। ତେଣୁ ପୂର୍ବ ଘୋଷଣା ଅନୁଯାୟୀ, ସେମାନଙ୍କ ଘରୁ ପାଣି ଓ ବିଦ୍ୟୁତ୍ ସଂଯୋଗ କାଟିବାକୁ ନିଷ୍ପତ୍ତି ହୋଇଛି ।

ତେବେ ଗତବର୍ଷ ମୋଟ ୬୦ କୋଟି ଟଙ୍କାର ହୋଲଡିଂ ଟିକସ ଆଦାୟ ପାଇଁ ବିଏମସି ଲକ୍ଷ ରଖିଥିବା ବେଳେ ଚଳିତ ଜାନୁଆରୀ ଶେଷ ସୁଦ୍ଧା ଆଦାୟ ହୋଇଥିଲା ମୋଟ ୧୬ କୋଟି । ବକେୟା ଟିକସ ଆଦାୟ ପାଇଁ ବିଏମସି ପକରୁ ଚଳିତ ଫେବୃଆରୀ ମାସରେ ୧୦ ଜଣ ଟ୍ରାନ୍ସଜେଣ୍ଡରଙ୍କୁ ସ୍ୱିକୃତୀ ନାମରେ ନାମିତ କରାଯାଇ ମଧ୍ୟ ନିୟୋଜିତ କରାଯାଇଥିଲା । ଏସବୁ ସତ୍ତ୍ୱେ ମଧ୍ୟ ଏ ପର୍ଯ୍ୟନ୍ତ ବି ହୋଲଡିଂ ଟିକସ ଆଦାୟ କରିବାରେ ନିଜ ଲକ୍ଷସ୍ଥଳରେ ପହଞ୍ଚି ପାରିଲାନାହିଁ ବିଏମସି ।