OnaKhabar

ବୟସର ଅପରାହ୍ନରେ ସଂସାରର ବୋଝ

16

ମୁନିଗୁଡ଼ା : ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍ ଅନ୍ତର୍ଗତ କୁଟ୍ରାଗଡ଼ ପଞ୍ଚାୟତ ଲାହରାଗୁଡ଼ି ଗ୍ରାମର ଜଣେ ୭୦ବର୍ଷର ବୃଦ୍ଧ ବ୍ୟକ୍ତି ଆଜିକୁ ୫୦ ବର୍ଷ ହେବ ନିଜ ପରିବାରର ପେଟ ପାଟଣା ପାଇଁ କମାରର କାମ କରିଚାଲିଛନ୍ତି । କୌଳିକ ବୃତ୍ତିକୁ ପାଥେୟ କରି ପେଟ ପୋଷିବାକୁ ଆରମ୍ଭ କରିଥିବା ସେଦିନର ଏହି ଲୁହା ଓ ନିଆଁର ମଣିଷଟିର କାମ ଆଜି ଅର୍ଦ୍ଧଶତାବ୍ଦୀ ପରେ ତା’ର ପ୍ରାସଙ୍ଗିକତା ହରାଇଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଲାହରାଗୁଡ଼ି ଗ୍ରାମରେ ରହୁଥିବା ଅମିନ କୁଲେସିକା(୭୫)ଙ୍କ ଠାରେ ।
ଅମିନ ପତ୍ନୀ କାନ୍ଦ୍ରୀ କୁଲେସିକା( ୬୮) ଓ ୧୧ଜଣ ପୁଅଝିଅଙ୍କୁ ନେଇ ତାଙ୍କ ପରିବାର । ଲୁହା କାମ(କମାର ବୃତ୍ତି)କରି ପରିବାର ଚଳାଉଥିଲେ । ହେଲେ ପିଲାମାନେ ବଡ଼ ହୋଇଯିବା ପରେ ୬ଜଣ ଝିଅ ବାହା ହୋଇସାରିଲେଣି । ଅବଶିଷ୍ଟ ୩ପୁଅ ୨ଝିଅ ବାପା ମା’ଙ୍କ ପାଖରେ ରହିଛନ୍ତି । ବାପା, ଜେଜେ ବାପା ଅମଳର କୌଳିକ ବୃତ୍ତିକୁ ଧରି ଅମିନ ଝିଅ, ପୁଅ ମାନଙ୍କ ସହ କାମ କରି ପେଟ ପୋଷୁଛି । ଅଙ୍ଗାର, କୋଇଲା ଆଉ ଲୁହାକୁ ନେଇ ଚାଲିଛି ତା ତେଲ ଲୁଣର ଦୁଃଖ ସୁଖ ସଂସାର । ହେଲେ ଆଗ ଭଳି ଆଉ କାମ ଆସୁନି । ବଦଳି ଗଲାଣି ଗାଁର ଚଳଣି । ଏବେ ଆଉ ଟାଙ୍ଗିଆ, କଟୁରୀ, ଦାଆ, ଲଙ୍ଗଳ, ଘର ତିଆରି କଣ୍ଟା, ଶାବଳ,କାଡ଼ି, ଫାଉଡ଼ା ଓ ଅନ୍ୟାନ ଲୁହାଉପକରଣ ସାମଗ୍ରୀର ଗାଁରେ ଚାହିଦା ନାହିଁ । ଏସବୁ ରେଡିମେଡ୍ ସାମଗ୍ରୀ କମ୍ ଦାମରେ ବଜାରରେ ମିଳୁଛି । ଦିନ ଥିଲା ୫ ଖଣ୍ଡ ଗାଁର ଲୋକେ ତାଙ୍କ କମାରଶାଳ ଉପରେ ନିର୍ଭର କରି ଚଳୁଥିଲେ ।

ସେତେବେଳେର ଏହି ୫ହାତିଆ ବଳୁଆ ପୁରୁଷ ଅମିନର ହାମର ମାଡ଼ରେ ଟାଣୁଆ ଲୁହାଗୁଡ଼ା ଅନେକ ରୂପ ନେଉଥିଲା, ହୁତୁହୁତୁ ଜଳୁଥିବା ଅଙ୍ଗାରର ତାପକୁ ଶରୀର ହଜମ କରୁଦେଉଥିଲା । ହେଲେ ଆଜି କାମ କରିବାକୁ ବଳ ପାଉନି । ପରିବାର ପେଟ କଥା ଭାବିଲା ବେଳକୁ ନିଜ ପେଟ ଓ ସ୍ତ୍ରୀ ପେଟ ଭୁଲିଯାଉଛି । ପେଟ ପିଠି ଲାଗି ଗଲାଣି, ଅଣ୍ଟା ନଇଁ ଗଲାଣି । ସରକାରୀ ସହଯୋଗ ନାହିଁ କି ଗ୍ରାମ୍ୟ କାରିଗରୀ ପ୍ରୋତ୍ସାହନ ଭତ୍ତା ଟିଏ ମଧ୍ୟ ମିଳିଲା ନାହିଁ । ଶେଷ ଜୀବନରେ ସେ ଓ ତାଙ୍କ ପରିବାର କିପରି ଚାଲିବେ, ପେଟ ପାଇଁ ଦାନା, ଅସୁସ୍ଥ ଶରୀର ପାଇଁ ଚିକିତ୍ସା ଆଜି ତାଙ୍କ ପାଇଁ ମିଳିବା କଷ୍ଟ । ଅମିନଙ୍କ କହିବା କଥା ୩୫୦ ଟଙ୍କାରେ ଗୋଟିଏ ବସ୍ତା ଅଙ୍ଗାର କିଣି, ୨ଦିନ ଲୁହା କାମ କଲେ ମିଳେ ୪୫୦ ଟଙ୍କା । ସେଥିରୁ ୩୫୦ ଟଙ୍କା କାଠ ଅଙ୍ଗାର ବାବଦକୁ ଗଲେ ବଳକା ୧୦୦ ଟଙ୍କାରେ ୫ପିଲା ଆମେ ୨ଜଣ ମିଶି ୭ ଜଣ ଚଳିବୁ କିପରି ବୋଲି ଦୁଃଖ ବଖାଣିଥିଲେ ବୃଦ୍ଧ ଅମିନ । ସେମାନଙ୍କ ପାଖରେ କାମ ନାହିଁ, କୌଳିକ ବୃତ୍ତିରେ ପେଟ ପୁରୁନି, ସରକାରୀ ପ୍ରୋତ୍ସାହନ ବି ନାହିଁ । ତାଙ୍କ ସଂସାର ଚଳିବ କିପରି? ଏଣୁ ବୁଡ଼ିଯିବାକୁ ବସିଥିବା ଏହି କମାର ସମ୍ପ୍ରଦାୟର କୁଟୀର ଶିଳ୍ପକୁ ପୁନରୁଦ୍ଧାର ସହ ଗରିବ ବୃଦ୍ଧ ଅମିନଙ୍କ ପରିବାରକୁ ସହଯୋଗ ପାଇଁ ସାଧାରଣରେ ଦାବି ହେଉଛି ।