OnaKhabar

ବ୍ୟାସନଗର ଆମ ସାହିତ୍ୟ ପରିବାରର ୧ମ ବାର୍ଷିକଉତ୍ସବ

39

କେବଳ ସାହିତ୍ୟ ହିଁ ପଥଭ୍ରଷ୍ଟ ସମାଜକୁ ଦିଶା ଦେବ: ବରିଷ୍ଠ ସାହିତିକଙ୍କ ଅନୁଚିନ୍ତା

ଯାଜପୁର: ସାହିତ୍ୟ ଏକ ନିରନ୍ତର ସାଧନା । ସମାଜର ହିତସାଧନ ପାଇଁ ସାଧକ ଭାବରେ ସାହିତ୍ୟକ ସାଜିଥାନ୍ତି ଏକ ସୁସ୍ଥ ସମାଜ ଗଠନର କର୍ଣଧାର । ସାହିତ୍ୟ ହେଉଛି ଅମୃତର ସ୍ୱର ଆଉ ଭାଷାର ଗନ୍ତାଘର । ସେହି ଅସୀମ ଅସରନ୍ତି ଗନ୍ତା ଘରରୁ ସାହିତ୍ୟକଙ୍କ ଦ୍ୱାରା ଆବିଷ୍କୃତ ହୋଇଥାଏ କେତେ ଯେ କାବ୍ୟ କବିତା , ଗଳ୍ପ ଆଉ ପ୍ରବନ୍ଧ । ସୃଷ୍ଟି ହୋଇଥାଏ ନୂଆ ନୂଆ ଉଦ୍ଭାଭନା । ରାଜତନ୍ତ୍ର ପରେ ଏବେ ଗଣତନ୍ତ୍ରର ଶାସନ ଚାଲିବା ସହିତ ସମାଜରେ ଦିନକୁ ଦିନ ଭ୍ରାଷ୍ଟାଚାର, ଶୈଳାଚାର ଓ ବ୍ୟଭିଚାର ବଢିବଢି ଚାଲିଛି । ସାମାଜିକ ତତ୍ୱମାନେ ଏଭଳି କୃପ୍ରବୃତିରେ ଲିପ୍ତ ହୋଇ ସମାଜକୁ କଳୁଷିତ କରି ଚାଲିଛନ୍ତି । ଅନେକ ସମୟରେ ଶାସକ, ପ୍ରଶାସକ ବା ନେତା ମଧ୍ୟ ଏହାକୁ ପ୍ରୋତ୍ସାହନ ଦେବାକୁ ପଛାଉ ନାହାନ୍ତି । ଏଭଳି ଘଡି ସନ୍ଧିମୁହୁର୍ତରେ ସାହିତ୍ୟକ ହିଁ ତାର କଲମ ମୁନରେ ସତ୍ୟର ପୂଜାରୀ ସାଜି ସମାଜକୁ ଦୀଗଦର୍ଶନ ଦେଇଥାଏ । ସାହିତ୍ୟକ ହିଁ ଏକ ବୈପବ୍ଲିକ ଧାରାରେ ସମାଜରେ ସେଭଳି ବହୁରୂପି ଏଣ୍ଡୁଅ ମାନଙ୍କର ମୁଖା ଖୋଲିଥାନ୍ତି ।

ଆଜିର ସମାଜରେ ସାହିତ୍ୟକ ବା କବିମାନେ ନିଜ ଲେଖନୀ ଚାଳନାରେ ସମାଜକୁ ଜାଗ୍ରତ କରିବା ପାଇଁ ନିଜର ଅବିରତ ପ୍ରୟାସ ଜାରି ରଖିବାକୁ ସାହିତ୍ୟ ମଂଚରେ ପ୍ରବିଣ ବକ୍ତାମାନେ ଆହ୍ୱାନ ଦେଇଛନ୍ତି । ସ୍ଥାନୀୟ ବ୍ୟାସଦେବ ଟାଉନହଲ ଠାରେ ଅନୁଷ୍ଠିତ ଆମ ସାହିତ୍ୟ ପରିବାରର ପ୍ରଥମ ସ୍ୱନକ୍ଷତ୍ର ଉତ୍ସବରେ ଯୋଗଦେଇ ବିଶିଷ୍ଟ ବକ୍ତା ଗଣ ଏଭଳି ଦୀଗଦର୍ଶନ ଦେଇଛନ୍ତି । ଏହି ଉତ୍ସବକୁ ବିଶ୍ୱ ଭାରତୀଶାନ୍ତି ନିକେତନର ଅବସରପ୍ରାପ୍ତ ପ୍ରାଧ୍ୟାପକ ବୈଷବ ଚରଣ ସାମଲ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ମୁଖ୍ୟଅତିଥି ଭାବେ ବିଶିଷ୍ଟ ସାହିତ୍ୟକ ତଥା ସ୍ତମ୍ଭକାର ନିରଂଜନ ପାଢୀ, ମୁଖ୍ୟ ବକ୍ତା ଭାବେ କେନ୍ଦ୍ରସାହିତ୍ୟ ଏକାଡେମୀର ପୁରଷ୍କାର ପ୍ରାପ୍ତ ବିଶିଷ୍ଟ ସାହିତ୍ୟକ ପଣ୍ଡିତ ସୂର୍ଯ୍ୟମଣି ଖୁଂଟିଆ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଅତିଥି ମାନଙ୍କ ଦ୍ୱାରା ଆମସାହିତ୍ୟ ପରିବାରର ମୁଖପାତ୍ର ‘ଉବଦ୍ଭ’ ଲୋକାର୍ପିତ ହୋଇଥିଲା । ଉକ୍ତ ଉତ୍ସବରେ ଅନୁଷ୍ଠାନର ସଭାପତି ଅଲେଖ ପରିଡା ମହାରଣା ଅଧକ୍ଷତା କରିଥିବା ବେଳେ ସଂଗଠନ ସମ୍ପାଦକ ସାମ୍ବାଦିକ ସୁଜିତ୍ କୁମାର ମଲ୍ଲିକ୍ ମଂଚ ପରିଚାଳନା କରିଥିଲେ । ସାହିତ୍ୟ ପରିବାରର ସମ୍ପାଦକ ସରୋଜ କୁମାର ଶତପଥି ବିବରଣୀ ପାଠ କରିଥିଲେ । କବି ଅଧ୍ୟାପିକା ରୀନା ମହାପାତ୍ର ଅତିଥି ପରିଚୟ କରିଥିବା ବେଳେ କବି ସନ୍ଧ୍ୟା ରାଣୀ ଘଡାଇ ସ୍ୱାଗତ ଭାଷଣ ଦେଇଥିଲେ । ବକ୍ତାମାନେ ସେମାନଙ୍କର ବକ୍ତବ୍ୟରେ କହିଥିଲେ ଯେ ସାହିତ୍ୟ ଏକ ପଥଭ୍ରଷ୍ଟ ସମାଜକୁ ଦେଇଥାଏ ବିବର୍ତନର ବାର୍ତା । ସେମାନେ ସମାଜର କୁସଂସ୍କାର ଓ ଅନ୍ଧ ବିଶ୍ୱାସକୁ ଦୂରକରିବା ପାଇଁ କଲମ ମୁନରେ ସମାଜକୁ ଦିଗଦର୍ଶନ ଦେବା ସହ ସମାଜ ଗଠନରେ ସେମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ମନର ଅକୁହା କଥା ସାହିତ୍ୟକ ମାନେ ଲେଖା ମାଧ୍ୟମରେ ପ୍ରକାଶକରିବା ପାଇଁ ବକ୍ତାମାନେ ଆହ୍ୱାନ ଦେଇଥିଲେ । ସାହିତ୍ୟକ ବା କବିମାନଙ୍କର ସମ୍ମାନ ଯୁଗେ ଯୁଗେ ରହିଆସିଛି । ସେମାନେ ନାନା ପ୍ରକାରର ବାଧାବିଘ୍ନକୁ ଖାତିର ନକରି ସମାଜର ଜାଗ୍ରତ ପ୍ରହରୀ ଭଳି କାର୍ଯ୍ୟ କରିଥାନ୍ତି । ସେମାନେ ହେଉଛନ୍ତି କାଳଜୟୀ । ନିରନ୍ତର ସାହିତ୍ୟ ସାଧନା ହିଁ ତାଙ୍କୁ ଅମର କରି ରଖିଥାଏ । ପ୍ରଶାସକ ଓ ରାଜନେତାଙ୍କ ପ୍ରଭାବବା ପ୍ରକୋପକୁ ନଡରି କଲମ ମୁନକୁ ମଜବୁତ କରି ଲେଖିବାକୁ ଆହ୍ୱାନ ଦେଇଥିଲେ । ଉତ୍ସବ ଆରମ୍ଭରେ ମୁଣ୍ଡମାଳ ସରସ୍ୱତୀ ଶିଶୁମନ୍ଦିର ଓ ସୁକିନ୍ଦା କଳା ପରିଷଦର ଛାତ୍ରୀ ମାନଙ୍କ ଦ୍ୱାରା ବନ୍ଦେ ଉତ୍କଳୀ ଜନନୀ ଗାନ କରାଯାଇଥିଲା ।

ଯାଜପୁର ସମେତ କେନ୍ଦୁଝର, ଢେଙ୍କାନାଳ, ଭଦ୍ରକ, ବାଲେଶ୍ୱର, ବାରିପଦା, କଟକ, କେନ୍ଦ୍ରାପଡା, ଜଗତସିଂହପୁର ଆଦି ଜିଲ୍ଲାରୁ ୨୦୦ରୁ ଉର୍ଧ କବି, କବିୟତ୍ରୀ ଯୋଗଦେଇ ସେମାନଙ୍କର ସ୍ୱର ଚିତକବିତା ପାଠକରିଥିଲେ । କବିତା ଆସର ପ୍ରଥମ ଅଧିବେଶନରେ କବି ସନ୍ଧ୍ୟାରାଣୀ ଘଡାଇ ସଭାପତିତ୍ୱ କରିଥିବା ବେଳେ ଅଧ୍ୟାପିକା ମାଙ୍ଗଳିକା ଦାସ ଓ ରୀନା ମହାପାତ୍ର ସଂଯୋଜିକା ଭାବେ ମଂଚ ପରିଚାଳନା କରିଥିଲେ । ଦ୍ୱିତୀୟ ଅଧିବେଶନରେ କବି ମଧୁସ୍ମିତା ନାୟକ, ଲବଙ୍ଗଲତା ପରିଡା, ଅନିନ୍ଦିତା ଦାସ ସଂଯୋଜିକା ଭାବେ ସ୍ଥାନ ପାଇଥିଲେ । ଏହି ଅବସରରେ ଜିଲ୍ଲା ତଥା ଜିଲ୍ଲା ବାହାରର ବହୁ ପ୍ରତିଭା ବାନ୍ ଲେଖକ,ପ୍ରାବନ୍ଧିକ, ଗାଳ୍ପିକ, କବି, କବିୟତ୍ରୀଙ୍କୁ ଅନୁଷ୍ଠାନ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ସ୍ମୃତିଲିପି, ଚିରନ୍ତିନି, ବଉଳ ଫୁଲ, ବ୍ୟାସ ସରୋବର ସାହିତ୍ୟ ବାଟିକା, ନୀଳାଚଳ ସାହିତ୍ୟ ସଂସଦ, ଆଗ୍ନ୍ୟା ନମସ୍କାର, ସଂଯୋଗୀ ସାହିତ୍ୟ ସଂସଦ, କାଶତଣ୍ଡି, ଅନନ୍ୟା ସାହିତ୍ୟ ସଂସଦ, କାମୁଡେଇ ସାହିତ୍ୟ ସଂସଦ, ଲିଙ୍ଗେଶ୍ୱର ସାହିତ୍ୟ ସଂସଦ, କୁଶଳେଶ୍ୱର ସାହତ୍ୟ ସଂସଦ, ସୁକିନ୍ଦା ସାହିତ୍ୟ ସମାଜ ଆଦି ଆହୁରି ଅନେକ ଜିଲ୍ଲାର ସାହିତ୍ୟ ସଂଗଠନର କର୍ମକର୍ତା ମାନେ ଯୋଗ ଦେଇଥିଲେ । ଯାଜପୁର ଜିଲ୍ଲାରେ ତଥା ବ୍ୟାସନଗର ସହରରେ ଏଭଳି ଏକ ଭବ୍ୟ ସାହିତ୍ୟ ସମାରୋହର ସୁନ୍ଦର ଅୟୋଜନ ପାଇଁ ଅତିଥି ମାନେ ଆୟୋଜକଙ୍କୁ ମଧ୍ୟ କୃତଜ୍ଞତା ଜଣାଇଥିଲେ । ଶେଷରେ ମହେଶ୍ୱର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।