OnaKhabar

ବିଧବା ମା’ ଉପରେ ପୁଅର ବୋଝ : ଆଶ୍ରା ବିଧବା ଭତ୍ତା

3

ନୟାଗଡ଼ : ଅଜଣା ରୋଗରେ ଆକ୍ରାନ୍ତ ୧୮ବର୍ଷିୟ ପୁଅର ବୋଝକୁ ବୋହୁଛି ବିଧବା ମାଆ । ପୁଅର ବେକ ମୁହଁ ଫୁଲି ଯାଉଥିବାବେଳେ କ’ଣ ରୋଗ ହୋଇଛି ତାହା ଡାକ୍ତର କହିପାରୁନହାନ୍ତି । ୫ ବର୍ଷକାଳ ବିଭିନ୍ନ ଆଡ଼େ ଚିକିତ୍ସା କରିବା ପରେ ମା’ ଅଣ୍ଟାରେ ଆଉ ଦମ୍ଭ ନଥିବାରୁ ଏବେ କିଭଳି ପୁଅକୁ ଭଲ କରିବେ ସେ ନେଇ ଚିନ୍ତାରେ ପଡ଼ିଛନ୍ତି । ଏଭଳି ଦୟନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ୍ ଅନ୍ତର୍ଗତ ଗୁଣ୍ଠୁଣୀ ଗ୍ରାମରେ ।
ଗୁଣ୍ଠୁଣୀ ଗ୍ରାମର ପୁଅର ବୋଝ ବୋହିବା ସହ ପେଟକୁ ମୁଠାଏ ଦାନା ଯୋଗାଡ଼ କରିବା ପାଇଁ ସେ ଅକ୍ଲାନ୍ତ ପରିଶ୍ରମ କରୁଥିବା ନଜରକୁ ଆସିଛି । ଯୁବାବସ୍ଥାରେ ସ୍ୱାମୀ ଅର୍ଜୁନ ବିଶ୍ୱାଳ ପରକରି ଆରପାରିକୁ ଚାଲି ଯାଇଥିବାବେଳେ ପୁଅ ସନ୍ତୋଷକୁ ମଣିଷ କରିବା ପାଇଁ ଅଣ୍ଟାରେ ଲୁଗା ଖୋସିଥିଲେ ଶଶୀମଣି । ହେଲେ ପୁଅର ବୟସ ବଢ଼ିବା ସହ ୧୪ବର୍ଷ ବୟସରେ ନବମ ଶ୍ରେଣୀରେ ପଢ଼ୁଥିବାବେଳେ ସନ୍ତୋଷ ଏକ ଅଜଣା ରୋଗରେ ଆକ୍ରାନ୍ତ ହେଲେ । ହାତ ଓ ଗୋଡ଼ ଅକାମୀ ହୋଇପଡ଼ିବା ସହ ଧୀରେ ଧୀରେ ଦେହ ହାତ ଫୁଲିବାକୁ ଲାଗିଲା । ଚିକିତ୍ସା ପାଇଁ ମା’ ବନ୍ଧୁବାନ୍ଧବଙ୍କ ସହାୟତାରେ ସନ୍ତୋଷଙ୍କୁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ମାତ୍ର କିଛି ସୁଫଳ ନମିଳିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଗଲା । ଭଲ ଚିକିତ୍ସା ଆଶାରେ ଶଶୀମଣି ସନ୍ତୋଷଙ୍କୁ ଏମ୍ସ ନେଲେ । ହେଲେ ରୋଗ କମିବା ପରିବର୍ତ୍ତେ ବଢ଼ିବାକୁ ଲାଗିଲା ।
ଦୀର୍ଘ ୫ବର୍ଷ ହେବ ଏହି ଅଜଣା ରୋଗରେ ଆକ୍ରାନ୍ତ ହୋଇ ସନ୍ତୋଷ ଆଉ ଚାଲିପାରୁ ନଥିବାବେଳେ ଏବେ ବେଳେବେଳେ ନିଶ୍ୱାସ ନେବା ତାଙ୍କ ପାଇଁ କଷ୍ଟକର ହୋଇପଡ଼ୁଛି । ଏହା ଭିତରେ ଯାହା କିଛି ସମ୍ବଳ ଥିଲା ସବୁ ଶେଷ ହୋଇଯିବା ପରେ ଏବେ ଦେଢ଼ବର୍ଷ ହେବ ପୁଅର ବୋଝକୁ ମୁଣ୍ଡାଇଛନ୍ତି ମାଆ ଶଶୀମଣି । ଏହା ଭିତରେ ଅନେକ ଦିଅଁ ଦେବତାଠାରୁ ଆରମ୍ଭ କରି କେତେ ପୂଜାର୍ଚ୍ଚନା କରି ସାରିଲେଣି । ସାହିପଡ଼ିଶାଙ୍କ କଥାରେ ତଥା ପୁଅ ଭଲ ହୋଇଯିବା ଆଶାରେ କେତେ ବୁଲି ସାରିଲେଣି । ମାତ୍ର ପୁଅର ରୋଗ ଭଲ ହେଉନାହିଁ । ସନ୍ତୋଷ ହାତରେ ପାଣି ଗ୍ଲାସ୍ ଉଠାଇବାକୁ ସକ୍ଷମ ନଥିବାବେଳେ ମା’ ଉପରେ ନିର୍ଭର କରି ବଞ୍ଚୁଛନ୍ତି । କେହି ଖୁଆଇଦେଲେ ପେଟକୁ ଦାନା ଯାଉଛି, କେହି ପିନ୍ଧାଇଦେଲେ ଦେହର ଲଜ୍ଜା ଲୁଚୁଛି । ପୁଅର ଭଲ ଚିକିତ୍ସା କରାଇବା ପାଇଁ ତାଙ୍କୁ ବାହାରକୁ ନେବା ଆବଶ୍ୟକ ହୋଇ ପଡ଼ିଥିବାବେଳେ ପାଖରେ ସମ୍ବଳ ନଥିବା କହିଛନ୍ତି ଶଶୀମଣି । ଏହାବ୍ୟତୀତ ସରକାରଙ୍କ ଠାରୁ ମିଳୁଥିବା ଦଶକିଲୋ ଚାଉଳ ଓ ପାଞ୍ଚ ଶହ ଟଙ୍କା ବିଧବା ଭତ୍ତାରେ ପରିବାର ଚଳେଇବା କଷ୍ଟକର ହୋଇପଡ଼ୁଛି ବୋଲି ସେ କହିଛନ୍ତି । ସରକାରଙ୍କ ଠାରୁ କିଛି ସହାୟତା ଅଥବା ପ୍ରଶାସନ ପୁଅର ଚିକିତ୍ସା କରାଇବା ପାଇଁ ସେ ଆଶା ବାନ୍ଧି ରହିଥିଲେ ମଧ୍ୟ ସରକାରଙ୍କ ପାଖରେ ଏ ଖବର ପହଞ୍ଚାଇବା ପାଇଁ ଘରେ କେହି ପୁରୁଷ ଲୋକ ନଥିବା ସେ କୋହଭରା କଣ୍ଠରେ କହିଛନ୍ତି । ଭାଗ୍ୟକୁ ଆଦରି ଜୀବନ ବଞ୍ଚୁଛୁ ବୋଲି ସେ କହିବା ସହ ପୁଅର ଚିକିତ୍ସା ଲାଗି ସହାୟତା ପାଇଁ ନିବେଦନ କରିଛନ୍ତି ।