OnaKhabar

ମହାଶିବରାତ୍ରିରେ ଝଲସିବ ଶ୍ରୀଲିଙ୍ଗରାଜ ମନ୍ଦିର

6

ଭୁବନେଶ୍ୱର: ଆସନ୍ତା ୨୧ ତାରିଖରେ ମହାଶିବରାତ୍ରି । ମହାଶିବରାତ୍ରିକୁ ଆଖି ଆଗରେ ରଖି ଚଳ ଚଞ୍ଚଳ ହେଉଛି ବିଭିନ୍ନ ଶୈବ ପୀଠ ଗୁଡିକ । ତେବେ ଶିବରାତ୍ରିରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଜମିିଥାଏ । ଭିଡକୁ ଦୃଷ୍ଟିରେ ରଖି ବ୍ୟାପକ ପ୍ରସ୍ତୁତି କରାଯାଏ । ଶିବରାତ୍ରିକୁ ନେଇ ଶ୍ରୀଲିଙ୍ଗରାଜ ମନ୍ଦିରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଶ୍ରୀଲିଙ୍ଗରାଜ ମନ୍ଦିର ରଙ୍ଗିନ ଆଲୋକମାଳାରେ ଝଲସିବା ସହ ମନ୍ଦିରର ସିଂହଦ୍ବାର ଯେପରି ଅଧିକ ଆକର୍ଷଣୀୟ ହେବ, ସେନେଇ ପ୍ରସ୍ତୁତି ଚାଲିଛି । ମନ୍ଦିର ସମ୍ମୁଖରେ ଭକ୍ତଙ୍କ ଯାତାୟାତ ପାଇଁ ଫାଇବର ସେଡ୍ କରାଯିବା ସହ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି ।

 

ମନ୍ଦିରର ସିଂହଦ୍ବାର ସମ୍ମୁଖରୁ ପର୍ଯ୍ୟଟକଙ୍କ ଯାତାୟାତ ପାଇଁ ଫାଇବର୍ ସେଡ୍ ଲଗାଯାଉଛି । ଏହା ସର୍ବଦା ରହିବ ବୋଲି ଓବିସିସି ପକ୍ଷରୁ କୁହାଯାଇଛି । ପ୍ରାୟ ୨୦ଫୁଟ୍ ଚଉଡ଼ା ୧୩୦ ଫୁଟ୍ ଲମ୍ବରେ ଏହି ସେଡ୍ କରାଯାଉଛି । ଭକ୍ତମାନଙ୍କୁ ବର୍ଷା ଓ ଖରାରୁ ରକ୍ଷା ପାଇଁ ଏହି ସେଡ୍ ସହାୟକ ହେବ। ମନ୍ଦିର ସମ୍ମୁଖ ଉଭୟ ପାର୍ଶ୍ବରେ ଖାଲିଥିବା ସ୍ଥାନରେ ଛାମୁଣ୍ଡିଆ କରାଯିବ । ଏହି ଅଞ୍ଚଳ ଚାରିପଟେ ବ୍ୟାରିକେଡ୍ କାମ ଆରମ୍ଭ ହୋଇଛି । ଦେବୀପାଦହରା ପୁଷ୍କରିଣୀ ଭିତରେ ଅଧିକ ଲାଇଟ୍ ଲଗାଯିବା ସହ ପୁଷ୍କରିଣୀ ଚାରିପଟେ ଆଲୋକମାଳାରେ ସଜା ହେବ । ସେହିପରି ଶ୍ରୀଲିଙ୍ଗରାଜଙ୍କ ମେଘନାଦ ପାଚେରି ଆଲୋକମାଳାରେ ସଜ୍ଜିତ ହେବ । ଏହି ଲାଇଟକୁ ପିଡବ୍ଲୁଡି ପକ୍ଷରୁ ଲଗାଯିବ । ଗତବର୍ଷ ପରି ଚଳିତ ବର୍ଷ ମନ୍ଦିର ସିଂହଦ୍ବାରକୁ ଫୁଲରେ ସଜା ହେବ । ମନ୍ଦିର ଭିତରେ ବିଭିନ୍ନ ମଣ୍ଡପ ରଙ୍ଗ କାମ ଆରମ୍ଭ ହୋଇଥିବା ବେଳେ ସିଂହ ରଙ୍ଗ ଆରମ୍ଭ ହୋଇଛି । ମନ୍ଦିର ପ୍ରଶାସନ ପକ୍ଷରୁ ଚିତ୍ରଶିଳ୍ପୀ ଶିବ ନାରାୟଣ ସେନାପତି ତାଙ୍କ ସହଯୋଗୀଙ୍କ ଦ୍ବାରା ରଙ୍ଗ କାମ ଆରମ୍ଭ ହୋଇଛି । ସେହିପରି ବେହରଣ ମଣ୍ଡପ ଓ ଚାହାଣି ମଣ୍ଡପକୁ ମଧ୍ୟ ରଙ୍ଗ କରାଯାଇଛି ।