OnaKhabar

ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ କେଜ୍ରିଓ୍ଵାଲ

35

ନୂଆଦିଲ୍ଲୀ: ତୃତୀୟ ଥର ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଅରବିନ୍ଦ କେଜ୍ରିଓ୍ଵାଲ ଆସନ୍ତା ୧୬ ତାରିଖ, ରବିବାର ଦିନ ୧୦ଟାରେ ଶପଥ ଗ୍ରହଣ କରିବେ। ଶପଥ ଗ୍ରହଣ ସମାରୋହ ନୂଆଦିଲ୍ଲୀର ଐତିହାସିକ ରାମଲୀଲା ମୈଦାନ ଠାରେ ଆୟୋଜିତ ହେବ। ପୂର୍ବରୁ କେଜ୍ରିଓ୍ଵାଲଙ୍କ ଶପଥ ଗ୍ରହଣ ଉତ୍ସବକୁ ଅନ୍ୟ ରାଜନୈତିକ ଦଳର ନେତାଙ୍କୁ ଆମନ୍ତ୍ରଣ କରାଯିବ ନାହିଁ ବୋଲି ଆପ୍‌ ପକ୍ଷରୁ ଘୋଷଣା କରାଯାଇଥିଲା।

କିନ୍ତୁ ତା ପୂର୍ବରୁ ନିଷ୍ପତ୍ତିରେ ପରିବର୍ତ୍ତନ ଆଣିଛି। ଏବଂ କେଜ୍ରିଓ୍ଵାଲଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ଆପ୍‌ ପକ୍ଷରୁ ଆନୁଷ୍ଠାନିକ ଭାବେ ନିମନ୍ତ୍ରଣ ପତ୍ର ପଠାଯାଇଛି ବୋଲି ଦଳର ବରିଷ୍ଠ ନେତା ଗୋପାଲ ରାଏ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ହାସଲ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ କରି ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଥିଲେ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟତୀତ ଦିଲ୍ଲୀରୁ ଲୋକସଭାରେ ପ୍ରତିନିଧିତ୍ୱ କରୁଥିବା ୭ ଜଣ ସାଂସଦ ଓ ଦିଲ୍ଲୀ ବିଧାନସଭା ସଭା ନିର୍ବାଚନରେ ବିଜୟଲାଭ କରିଥିବା ୮ ଜଣ ବିଧାୟକଙ୍କୁ ମଧ୍ୟ କେଜ୍ରିଓ୍ଵାଲଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବା ପାଇଁ ନିମନ୍ତ୍ରଣ ପତ୍ର ପଠାଯାଇଛି। ତେବେ, କେଜ୍ରିଓ୍ଵାଲଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବା ପାଇଁ ଅନ୍ୟ କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇ ନଥିବା କହିଛନ୍ତି ଆପ୍‌ର ବରିଷ୍ଠ ନେତା ଗୋପାଲ ରାଏ।