OnaKhabar

ମାଟ୍ରିକ ପରିକ୍ଷା ପ୍ରସ୍ତୁତି

11

ଯାଜପୁର: ଆସନ୍ତା ୧୯ ତାରିଖରୁ ସାରା ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ ପରିକ୍ଷା । ଏଥିପାଇଁ ପରିକ୍ଷାର୍ଥୀ ଙ୍କ ଠାରୁ ଆରମ୍ଭ କରି ଅଭିଭାବକ ସମସ୍ତଙ୍କ ମଧ୍ୟରେ ଦେଖାଦେଇଛି ତତ୍ପରତା । ଚଳିତ ବର୍ଷ ଯାଜପୁର ଜିଲାରେ ୨୭ହଜାର ୨୫୦ ଜଣ ଛାତ୍ର ଛାତ୍ରୀ ମାଟ୍ରିକ ପରିକ୍ଷା ଦେବେ । ପରିକ୍ଷା ପାଖେଇ ଆସୁଥିବାରୁ ଛାତ୍ର ଛାତ୍ରୀ ସେମାନଙ୍କ ପ୍ରସ୍ତୁତି ଜାରି ରଖିଛନ୍ତି । ସେପଟେ ମାଟ୍ରିକ ପରିକ୍ଷା ପରିଚାଳନା ପାଇଁ ବିଶେଷ ବନ୍ଦୋବସ୍ତ କରିଛି ଜିଲା ପ୍ରଶାସନ ।

ଆଉ ହାତରେ ରହିଲା ଦିନ କେଇଟା ।  ଆରମ୍ଭ ହେବ ମାଟ୍ରିକ ପରିକ୍ଷା । ଛାତ୍ର ଜୀବନର ସବୁଠାରୁ ବଡ ପରିକ୍ଷା ଭାବେ ଜଣାଶୁଣା ଏହି ପରିକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ପରିକ୍ଷାର୍ଥୀ । ବର୍ତମାନ ସ୍କୁଲରେ କ୍ଲାସ ନଥିବାରୁ ହଷ୍ଟେଲରେ ଅଭ୍ୟାସ କରୁଛନ୍ତି ପରିକ୍ଷାର୍ଥୀ । ଏ ହେଉଛି ଯାଜପୁର ଜିଲାସ୍କୁଲ ଛାତ୍ରାବାସର ଦୃଶ୍ୟ । ଯେଉଁଠି ଛାତ୍ର ମାନେ ପୁରୁଣା ପ୍ରଶ୍ନପତ୍ର କୁ ଅଭ୍ୟାସ କରିବା ସହିତ ନିଜର ସନ୍ଦେହ ଦୂର କରୁଛନ୍ତି ନିଜ ଶିକ୍ଷକଙ୍କ ଠାରୁ । ସର୍ଟ କୋଶ୍ଚିନ ଠାରୁ ଆରମ୍ଭ କରି ଲଂଗ କୋଶ୍ଚିନ ସବୁ କିଛି ଅଭ୍ୟାସ ଜାରିରଖିଛନ୍ତି ପରିକ୍ଷାର୍ଥୀ । ଯେପରି ଗୋଟିଏ ମାର୍କ ବି ଛଡାନଯାଏ ସେଥିପ୍ରତି ସ୍ୱତନ୍ତ୍ର ଅଭ୍ୟାସ କରୁଛନ୍ତି ପରିକ୍ଷାର୍ଥୀ ।

ଗୋଟିଏ ପଟେ ପରିକ୍ଷା ଦେବା ପାଇଁ ଛାତ୍ର ଛାତ୍ରୀ ପ୍ରସ୍ତୁତି ଚଳାଇଥିବା ବେଳେ ଅନ୍ୟପଟେ ପରିକ୍ଷା ପରିଚାଳନା ପାଇଁ ପୁରା ପ୍ରସ୍ତୁତ ରହିଛି ଜିଲାପ୍ରଶାସନ । ଯାଜପୁର ଜିଲାର ମୋଟ ୧୪୫ ଟି ପରିକ୍ଷା କେନ୍ଦ୍ରରେ ୨୭ହଜାର ୨୫୦ ଜଣ ଛାତ୍ର ଛାତ୍ରୀ ପରିକ୍ଷା ଦେବେ । ଏଥିପାଇଁ ୦୯ଟି ନୋଡାଲ କେନ୍ଦ୍ରରେ ପ୍ରଶ୍ନପତ୍ର ରହିବ ଏବଂ ସମସ୍ତ ପରିକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ନେବା ପାଇଁ ୨୪ଟି ଡେସପାଚ ଟିମ ନିୟୋଜିତ ହୋଇଛନ୍ତି । ଚଳିତ ବର୍ଷ ପରିକ୍ଷାର୍ଥୀଙ୍କୁ ଚାପ ମୁକ୍ତ କରିବା ପାଇଁ ରାଜ୍ୟସରକାର ପ୍ରୋଟୋକଲ ଜାରି କରିଛନ୍ତି । ଏହି ପରିକ୍ଷାକୁ ଏକ ପର୍ବ ଭାବେ ପାଳନ କରିବା ପାଇଁ ନିର୍ଦ୍ଧେଶ ଦିଆଯାଇଛି । ପରିକ୍ଷା କେନ୍ଦ୍ରରେ ପରିକ୍ଷାର୍ଥୀ ମାନଙ୍କ ପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ଜିଲା ସଂସ୍କୃତି ଭବନରେ ପ୍ରତ୍ୟେକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ନେଇ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଛି ।

ଚଳିତ ବର୍ଷ କପି ରୋକିବା ଏବଂ ପ୍ରଶ୍ନପତ୍ର ଲିକ ରୋକିବା ପାଇଁ ସ୍ୱତନ୍ତ୍ର ବନ୍ଦୋବସ୍ତ ମଧ୍ୟ କରାଯାଇଛି ।