OnaKhabar

ରୋଜ୍ ଡେ’ରେ ପ୍ରେମୀଯୁଗଳଙ୍କ ବିବାହ

381

କେନ୍ଦ୍ରାପଡା : ଏବେ ଚାଲିଛି ପ୍ରେମ ସପ୍ତାହ । ଏହି ଅବସରରେ ଦୁଇ ପ୍ରେମୀ ଯୁଗଳ ପରସ୍ପରର ହାତଧରି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏମିତି ଏକ ପ୍ରେମୀଯୁଗଳ ହେଲେ କେନ୍ଦ୍ରାପଡା ନିକିରାଇ ଥାନା ଅନ୍ତର୍ଗତ ନିଳିକଣା ଗ୍ରାମର ସୁଶିଲ ପରିଡା ଓ ପଳସିଂହା ଗ୍ରାମର ସ୍ନିିଗ୍ଧାରାଣୀ ସାହୁ । ଦୁଇବର୍ଷର ପ୍ରେମ ସଂପର୍କକୁ ନେଇ ଚଳିତ ବର୍ଷର ଭାଲେଣ୍ଟାଇନ ସପ୍ତାହରେ ବିବାହ କରିବାକୁ ଯୋଜନା କରିଥିବା ଏହି ପ୍ରେମୀଯୁଗଳ ପରିବାରର ବିରୋଧ ସତ୍ତ୍ୱେ ରୋଜ ଡେ’ରେ ମନ୍ଦିରରେ ବିବାହ କରିଥିଲେ । ତେବେ ସ୍ନିଗ୍ଧାଙ୍କ ପରିବାର ଏନେଇ ଅଭିଯୋଗ କରିବା ପରେ ମଙ୍ଗଳବାର ପ୍ରପୋଜ ଡେ’ ରେ ମାଜିଷ୍ଟ୍ରେଟଙ୍କ ଆଗରେ ଉଭୟ ନିଜ ଭଲ ପାଇବାକୁ ବଖାଣିବା ସହିତ ସୁଶିଲ ସହିତ ସାରାଜୀବନ ରହିବାକୁ ସ୍ନିଗ୍ଧା ପ୍ରକାଶ କରିବା ପରେ ପ୍ରେମିକର ହାତ ଧରି ନିଜଶାଶୂ ଘରକୁ ଯାଇଛନ୍ତି ସ୍ନିଗ୍ଧା । ଏହି ଘଟଣାଟି କେନ୍ଦ୍ରାପଡାରେ ଚର୍ଚ୍ଚାର ବିଷୟ ପାଲଟିଛି ।
ସୂଚନା ଅନୁଯାୟୀ, ଦୁଇ ବର୍ଷ ତଳେ କଲେଜକୁ ବସରେ ଫେରିବା ସମୟରେ ସୁଶିିଲଙ୍କ ସହିତ ତାଙ୍କର ପ୍ରଥମ ଦେଖା ହୋଇଥିଲା । ଏହି ସ୍ୱଳ୍ପ ଦେଖା ଓ ଅଳ୍ପ କଥା ଉଭୟ ଭୁଲିପାରିନଥିଲେ । ଦ୍ୱିତୀୟ ଦେଖାରେ ସେମାନଙ୍କ ପ୍ରେମର ମୂଳଦୁଆ ପଡିଥିଲା । ଏହାପରେ ଫୋନ୍ ନମ୍ବର ଦିଆନିଆ ଓ ଗପରେ ଗପରେ ସଂପର୍କର ଗାଡି ଆଗକୁ ଗଡିଚାଲିଥିଲା । ତେବେ ଏହି ସଂପର୍କ ଜଣାପଡିବା ପରେ ବଡଘର ଝିଅ ସ୍ନିିଗ୍ଧାଙ୍କ ପରିବାର ଓ ମାମୁଁଘର ଲୋକ ଏହାକୁ ବିରୋଧ କରିଥିଲେ । ଏପରିକି ସ୍ନିଗ୍ଧାଙ୍କ କଲେଜ ଯିବା ବନ୍ଦ କରି ଦେଇଥିଲେ । ମାତ୍ର ଯେତେ ଯେତେ ସେମାନେ ବିରୋଧ କଲେ ଏହି ସଂପର୍କ ସେତେ ବେଶୀ ବଳିଷ୍ଠ ହୋଇଥିବା ସ୍ନିିଗ୍ଧା କହିଥିଲେ । ଭାଲେଣ୍ଟାଇନ ସପ୍ତାହରେ ବିବାହ କରିବାକୁ ସେମାନଙ୍କ ଯୋଜନା ଥିବାରୁ ଗତ ଫେବୃୟାରୀ ୫ ତାରିଖରେ +୨ ଦ୍ୱିତୀୟ ବର୍ଷ ପରୀକ୍ଷା ଦେବାକୁ ଉଷାଦେବୀ ମହିଳା କଲେଜ ଦାଣ୍ଡିସାହିକୁ ଆସି ସ୍ନିଗ୍ଧା ଆଉ ଘରକୁ ଫେରିନଥିଲେ । ସେମାନେ ଫେବୃୟାରୀ ୭ ତାରିଖ ରୋଜ ଡେ’ ରେ ଯୋଜନା ମୁତାବକ କେନ୍ଦ୍ରାପଡାର ଗୋପାଳଜୀଉ ମନ୍ଦିରରେ ବିବାହ କରିଥିଲେ । ଏ ସଂପର୍କରେ ନିକିରାଇ ଥାନାରେ ସ୍ନିିଗ୍ଧାଙ୍କ ପରିବାର ପକ୍ଷରୁ ଅଭିଯୋଗ ହେବା ପରେ ପୁଲିସ ଉଭୟଙ୍କୁ ଆଣି ଆଜି ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ହାଜର କରିଥିଲେ । ତେବେ ନିଜ ଇଛାରେ ସୁଶିଲଙ୍କୁ ବିବାହ କରିବା ସହିତ ଆଉ ନିଜ ଘରକୁ ଫେରିବାକୁ ଚାହୁଁନଥିବା ମାଜିଷ୍ଟ୍ରେଟଙ୍କ ଆଗରେ ସ୍ନିିଗ୍ଧା ପ୍ରକାଶ କରିଥିଲେ । ଜୀବନପ୍ରତି ବିପଦ ଥିବାରୁ ତାର ଶାଶୁଘରେ ସୁରକ୍ଷିତ ଭାବରେ ଛାଡିବାକୁ ମାଜିଷ୍ଟ୍ରେଟ ନିକିରାଇ ପୁଲିସକୁ ଆଦେଶ ଦେଇଥିଲେ ।