OnaKhabar

ଶିଶୁ ଚାଲାଣ ରୋକିବା ପାଇଁ ସଚେତନତା ଆବଶ୍ୟକ

17

 

ବଲାଙ୍ଗିର, – ସାରା ଦେଶରେରେ ଶିଶୁ ଚାଲାଣ ଏକ ଗମ୍ଭୀର ଜନକ ପରିସ୍ଥିତିରେ ପହଞ୍ଚିଥିବାବେଳେ ଏଥିପାଇଁ ଶାସନଗତ ସ୍ତରରେ ସେ ରକମର ଉଦ୍‌ବେଗ ଏପର୍ଯ୍ୟନ୍ତ ପ୍ରକାଶ ପାଇ ପାରିନାହିଁ । ଚାଲାଣ ହେଉଥିବା ୩୫ ପ୍ରତିଶତ ଶିଶୁ ଯୌନ ନିର୍ଯ୍ୟାତନା କ୍ଷେତ୍ରରେ ନିର୍ଯ୍ୟାତିତ ହେଉଥିବା ବେଳେ ୫୦ ପ୍ରତିଶତରୁ ଅଧିକ ଶିଶୁ ବିପଦ ଜନକ କାର୍ଯ୍ୟକ୍ଷେତ୍ରରେ ନିର୍ଯ୍ୟାତନାର ଶିକାର ହେଉଛନ୍ତି । ବିଶେଷ କରି ବଲାଙ୍ଗିର ଜିଲ୍ଲାରେ ଦାଦନ ଶ୍ରମିକ ଚାଲାଣ ସହ ଶିଶୁ ଚାଲାଣ ଯୋଡି ହୋଇ ରହିଛି । ଶିଶୁ ଚାଲାଣ ଓ ନିର୍ଯ୍ୟାତନାରେ ବଲାଙ୍ଗିର ଓ ଆଖପାଖ ଜିଲ୍ଲା ବିଷମ ସ୍ଥିତିରେ ରହିଛି । ଶିଶୁମାନଙ୍କୁ ନିଜ କ୍ଷେତ୍ରରୁ ଅନ୍ୟତ୍ର ନିଆ ନଗଲେ ତଥା ଏ ଦିଗରେ ସେମାନଙ୍କ ପ୍ରତି ଯତ୍ନବାନ ହେଲେ ଶିଶୁ ଚାଲାଣକୁ ରୋକାଯାଇ ପାରିବ ବୋଲି ଆଜି ସାମ୍ବାଦିକ ଭବନଠାରେ ପଲ୍ଲୀ ଆଲୋକ ପାଠାଗାର, ନଅଗାଁ (ଖ)ର ଆୟୋଜନରେ ପିଇସିୟୁସି ଭୁବନେଶ୍ୱର ଓ କୈଳାସ ସତ୍ୟାର୍ଥୀ ଫାଉଣ୍ଡେସନ୍ ନୁଆଁ ଦିଲ୍ଲୀ ଙ୍କ ସହଯୋଗିତାରେ ଶିଶୁ ଚାଲାଣ ମୁକ୍ତ ଭାରତ ଶିର୍ଷକ କର୍ମଶାଳାରେ ଏହି ମତ ପ୍ରକାଶ ପାଇଛି । ସାମ୍ବାଦିକ ସନ୍ଦୀପ କୁମାର କୁଅଁରଙ୍କ ପରିଚାଳନାରେ ଏହି କର୍ମଶାଳାକୁ ଉଦ୍‌ଘାଟନ କରିଥିଲେ ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ । ତାଙ୍କର ଉଦ୍‌ଘାଟନି ବକ୍ତବ୍ୟରେ ସେ ରାଜ୍ୟ ତଥା ଦେଶ ସ୍ତରରେ ଶିଶୁ ମାନଙ୍କ କ୍ଷେତ୍ରରେ ବଜେଟରେ ହେଉଥିବା ବ୍ୟୟ ବରାଦ ନୈରାଶ୍ୟ ଜନକ ବୋଲି କହି ସରକାର ମାନସିକତାରେ ପରିବର୍ତ୍ତନ ଆଣି ଦେଶର ଭବିଷ୍ୟତ ଶିଶୁମାନଙ୍କୁ ସେମାନଙ୍କର ଅଧିକାର ପ୍ରଦାନ କରିବାର ସମୟ ଆସିଛି ବୋଲି କହିଥିଲେ । ବଲାଙ୍ଗିର ତଥା ରାଜ୍ୟର ଶିଶୁ ଚାଲାଣର ସ୍ଥିତି ଓ ସମସ୍ୟା ସମ୍ପର୍କରେ ଶିଶୁମଙ୍ଗଳ ସମିତିର ସଦସ୍ୟା ସୁନୀତା ତ୍ରିପାଠୀ ଓ ସଦସ୍ୟ ଡ. ଗୋଦାବରିଶ ରଥ ଉପସ୍ଥାପନ କରି ବ୍ୟବସ୍ଥାଗତ କ୍ଷେତ୍ରରେ ବିଭିନ୍ନ ସୁବିଧାକୁ ଉପଲବ୍ଧ କରାଇବା, ଜିଲ୍ଲାରେ ଦାଦନ ଶ୍ରମିକମାନଙ୍କ ସନ୍ତାନ ମାନଙ୍କୁ ଚାଲାଣ ସ୍ଥିତିରୁ ମୁକୁଳାଇବାକୁ ସିଜନାଲ ହଷ୍ଟେଲକୁ ବାତ୍ୟା ଆଶ୍ରୟ ସ୍ଥଳ ଢ଼ାଞ୍ଚାରେ ତିଆରି କରି ସେମାନଙ୍କୁ ଶିକ୍ଷା ଓ ମୁକ୍ତ ଜୀବନଯାପନ ପାଇଁ ସୁଯୋଗ ଦେବାକୁ କହିଥିଲେ । ବିଭିନ୍ନ ଅନୁଷ୍ଠାନରୁ ପ୍ରତିନିଧି ମାନଙ୍କୁ ନେଇ ମୁକ୍ତ ଆଲୋଚନାରେ ବରିଷ୍ଠ ନାଗରିକ ନୀଳମଣୀ ମିଶ୍ରଙ୍କ ପରିଚାଳନା କ୍ରମେ ଡିସିପିୟୁ ତରଫରୁ ଦିଗାମ୍ବର କର, ଅରୁଣ ଖୁଆସ, ବରିଷ୍ଠ ସାମ୍ବାଦିକ ସୁଧିର ମିଶ୍ର, ୱାସିଡିଏରୁ ଆନନ୍ଦିନି, ସତର୍କ ତରଫରୁ ଶଙ୍କର ପାଣିଗ୍ରାହୀ, ପଲ୍ଲୀ ଆଲୋକ ପାଠାଗାରର ସମ୍ପାଦକ ପ୍ରଶାନ୍ତ ନାୟକ ପ୍ରମୁଖ ଅଂଶଗ୍ରହଣ କରି ଜିଲ୍ଲାରେ ଶିଶୁ ଚାଲାଣକୁ ରୋକିବା ପାଇଁ ଥିବା ବିଭିନ୍ନ ଅନୁଷ୍ଠାନ ଓ ବିଭାଗକୁ କ୍ରିୟାଶିଳ ତଥା ଅଧିକ ସକ୍ଷମ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହାସହ ବ୍ୟବସ୍ଥାପନା କ୍ଷେତ୍ରରେ ଜନପ୍ରତିନିଧିମାନେ ଆଇନ ପ୍ରଣୟନ ଓ ତାର କାର୍ଯ୍ୟକାରିତା ସମ୍ପର୍କରେ ଧ୍ୟାନ ଦେବା ପାଇଁ ମଧ୍ୟ ଆହ୍ୱାନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ପଲ୍ଲୀ ଆଲୋକ ପାଠାଗାରର ସମ୍ପାଦକ ପ୍ରଶାନ୍ତ ନାୟକ, ଭାଗିରଥି ସାହୁ, ଗୋବିନ୍ଦ ଚନ୍ଦ୍ର ବିଶି, ପ୍ରହ୍ଳାଦ ପଧାନ, ଅଜୟ ବାଦି, ପ୍ରଶାନ୍ତ କୁଅଁର ପ୍ରମୁଖ ପରିଚାଲନା କରିଥିବାବେଳେ ଏଡ୍ ଏଟ୍ ଏକ୍ସନର ଦୟାସାଗର ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।