OnaKhabar

ଏଥର ଚାଲେଞ୍ଜପୂର୍ଣ୍ଣ ହେବ ବଜେଟ ୨୦୨୦

ନୂଆଦିଲ୍ଲୀ : ରାତି ପାହିଲେ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଦ୍ୱିତୀୟ ପର୍ଯ୍ୟାୟ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଉଦ୍ଦିଷ୍ଟ ଏହି ବଜେଟ୍‌ରେ ଦେଶ ପାଇଁ କଣ ରହିବ ତାକୁ ନେଇ ଉତ୍କଣ୍ଠା ଜାରିରହିଛି । ଦେଶର ବର୍ତ୍ତମାନର ଆର୍ôଥକସ୍ଥିତି ଯାହା ସେଥିରେ ଭାବିଚିନ୍ତି ବଜେଟ ନ କଲେ ସରକାର ଲୋକଙ୍କ ରୋଷର ଶୀକାର ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଏଣୁ ମୋଦି ସରକାରଙ୍କ ପାଇଁ ଆସନ୍ତା ଆର୍ôଥକ ବର୍ଷର ବଜେଟ ବେଶ ଚ୍ୟାଲେଞ୍ଜପୂର୍ଣ୍ଣ ରହିବ ବୋଲି ଅର୍ଥନୀତିଜ୍ଞମାନେ ମତ ରଖୁଛନ୍ତି ।
ସାଧାରଣ ଅର୍ଥନୀତି ବ୍ୟବସ୍ଥାକୁ ତ୍ୱରାନ୍ୱିତ କରି ଦ୍ରୁତ ଅଭିବୃଦ୍ଧି ହାସଲ କରିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଛି ସତ, ହେଲେ ଏହି ବଜେଟ୍ ପାଇଁ ଅନେକ ଚାଲେଞ୍ଜପୂର୍ଣ୍ଣ ଦିଗ ରହିଛି । ବିଶେଷକରି ସାଂପ୍ରତିକ ଆର୍ଥିକ ସ୍ଥିତିକୁ ନେଇ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବା ସବୁଠାରୁ ଚାଲେଞ୍ଜପୂର୍ଣ୍ଣ ବୋଲି କୁହାଯାଉଛି । ୨୦୧୯-୨୦ ଆର୍ଥିକ ବର୍ଷର ଜିଡିପି ୫ ପ୍ରତିଶତ ହେବ ବୋଲି କେନ୍ଦ୍ର ସରକାରଙ୍କ ଆଗୁଆ ଆକଳନ ଅନୁସାରେ କୁହାଯାଇଥିବା ବେଳେ ଏହା ବିଗତ ୧୦ ବର୍ଷ ମଧ୍ୟରେ ସବୁଠାରୁ ନିମ୍ନ ଅଭିବୃଦ୍ଧି ହେବ । ଏହାଛଡ଼ା ଆର୍ଥିକ ମାନ୍ଦାବସ୍ଥା ଏବଂ ନିମ୍ନ ଅଭିବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କ ରାଜସ୍ୱ ଆୟରେ ହ୍ରାସ ଘଟିବା ବିତୀୟ ବ୍ୟବସ୍ଥା ପ୍ରତି ପ୍ରତିକୂଳ ସ୍ଥିତି ସୃଷ୍ଟି କରିଛି । ଚଳିତ ଆର୍ଥିକ ବର୍ଷରେ ଅନ୍ୟୂନ ୨ଲକ୍ଷ କୋଟି ଟଙ୍କାର ବିତୀୟ ନିଅଂଟକୁ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଗାମୀ ବଜେଟରେ କିଭଳି ସମତୁଲତା ରକ୍ଷା କରିବେ ତାହା ହିଁ ସବୁଠାରୁ ବଡ଼ ପ୍ରଶ୍ନ ହୋଇଛି । କେବଳ ବିତ୍ତୀୟ ବ୍ୟବସ୍ଥା ନୁହେଁ ବର୍ଦ୍ଧିତ ଅର୍ଥନୀତିର ବିଭିନ୍ନ ଦିଗ ଏବେ ଚାପଗ୍ରସ୍ତ ହୋଇଥିଲା ବେଳେ ବିଗତ ବର୍ଷଗୁଡ଼ିକ ତୁଳନାରେ ଅଧିକାଂଶ ସୂଚକାଙ୍କ ନିମ୍ନଗାମୀ ହୋଇଛି । ତ୍ୱରିତ ଅର୍ଥନୀତି ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରହିଥିବା ନିବେଶ ଅଭିବୃଦ୍ଧି ସର୍ବନିମ୍ନ ଭାବେ ୧ ପ୍ରତିଶତକୁ ହ୍ରାସ ପାଇଥିଲା ବେଳେ ବିଗତ ୧୭ ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ଥିତିରେ ପହଂଚିଛି । ସେହିପରି ଘରୋଇ ଉପଯୋଗ ହାର ବିଗତ ୭ ବର୍ଷ ମଧ୍ୟରେ ସବୁଠାରୁ ନିମ୍ନରେ ରହିବା ସହିତ ଏହି କ୍ଷେତ୍ରର ଅଭିବୃଦ୍ଧି ୫.୮ ପ୍ରତିଶତକୁ ଖସି ଆସିଛି । ଅନ୍ୟପକ୍ଷରେ ମାନୁଫାକଚରିଂ କ୍ଷେତ୍ରର ଅଭିବୃଦ୍ଧି ୨୦୧୯-୨୦ ବର୍ଷରେ ୨ ପ୍ରତିଶତ ରହିଥିଲା ବେଳେ ଏହା ମଧ୍ୟ ୧୫ ବର୍ଷର ନିମ୍ନସ୍ତରରେ ପହଂଚିଛି । ସେହିପରି କୃଷି କ୍ଷେତ୍ରର ଅଭିବୃଦ୍ଧି ବିଗତ ୪ ବର୍ଷ ମଧ୍ୟରେ ସର୍ବନିମ୍ନସ୍ତରରେ ପହଂଚିବା ସହିତ ୨.୮ ପ୍ରତିଶତ ରହିଛି । ଆସନ୍ତା ୫ ବର୍ଷ ମଧ୍ୟରେ ଅର୍ଥନୀତିକୁ ୫ ଟ୍ରିଲିୟନ ଡଲାରରେ ପହଂଚାଇବା ପାଇଁ କେନ୍ଦ୍ର ସରକାର ଯେଉଁ ସଙ୍କଳ୍ପ ନେଇଛନ୍ତି ତାହାକୁ ସଫଳ କରିବା ନିମନ୍ତେ ଦ୍ରୁତ ଅଭିବୃଦ୍ଧିର ଆବଶ୍ୟକତା ରହିଛି । ତେଣୁ ସାଧାରଣ ଅର୍ଥନୀତି ବ୍ୟବସ୍ଥା ଠାରୁ ଆରମ୍ଭ କରି ବିତୀୟ ବ୍ୟବସ୍ଥା ଏବଂ ବାଣିଜ୍ୟିକ କାରବାରକୁ ନେଇ ବଜେଟରେ ସମତୁଲ ରକ୍ଷା କରିବା ନିର୍ମଳାଙ୍କ ପାଇଁ ସବୁଠାରୁ ଚାଲେଞ୍ଜ ସୃଷ୍ଟି କରିଛି ବୋଲି ଅର୍ଥନୀତିଜ୍ଞମାନେ କହିଛନ୍ତି ।