OnaKhabar

କିପରି ରହିବ ବିତ୍ତୀୟ ନୀତି

 

ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୦-୨୧ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବାକୁ ଯାଉଥିବା ବେଳେ ଏହା ଉପରେ ସମସ୍ତଙ୍କ ଦୃଷ୍ଟି ନିକ୍ଷେପ ରହଛି । ବେିଶଷକରି ଏହି ବର୍ଷ ପାଇଁ ଅର୍ଥମନ୍ତ୍ରୀ ବିତ୍ତୀୟ ନୀତିକୁ ନେଇ କିଭଳି ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ତାହା ଅର୍ଥନୀତିଜ୍ଞମାନଙ୍କ ପାଇଁ ସବୁଠାରୁ ବଡ଼ ପ୍ରଶ୍ନ ହୋଇଥôବା କହୁାଯାଉଛି । କାରଣ ବଜେଟରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ନିର୍ମଳା ସଂଶୋଧିତ ବିତୀୟ ଲକ୍ଷ୍ୟ ଘୋଷଣା କରିବା ସହିତ ୨୦୨୦-୨୧ ପାଇଁ ମଧ୍ୟ ନୂତନ ଲକ୍ଷ୍ୟଧାର୍ଯ୍ୟ ସମ୍ପର୍କରେ ଘୋଷଣା କରିବେ । ଚଳିତ ଆର୍ଥିକ ବର୍ଷ ପାଇଁ ବିତୀୟ ନିଅଂଟ ଲକ୍ଷ୍ୟ ଜିଡିପିର ୩.୩ ପ୍ରତିଶତ ରଖାଯାଇଥିଲା ବେଳେ ବିଭିନ୍ନ କାରଣକୁ ନେଇ ଏହି ଲକ୍ଷ୍ୟରେ ପହଂଚାଇବା ସରକାରଙ୍କ ପକ୍ଷେ ସମ୍ଭବ ହୋଇନାହିଁ । ତେଣୁ ଆସନ୍ତା ଆର୍ଥିକ ବର୍ଷରେ ଚଳିତ ବର୍ଷର ଚାପ ରହିବ । ତେବେ ଅର୍ଥନୀତି ବ୍ୟବସ୍ଥାରେ ପରିବର୍ତନ ଆଣିବା ଆଶା ରଖି ମଧ୍ୟବର୍ତୀ ବିତୀୟ ନୀତି ଅନୁସାରେ ୨୦୨୦-୨୧ ଏବଂ ୨୦୨୧-୨୨ ବର୍ଷରେ ନିଅଂଟ ଲକ୍ଷ୍ୟ ୩ ପ୍ରତିଶତ ରହିବ ବୋଲି କୁହାଯାଇଛି । ସରକାରଙ୍କ ବିତୀୟ ନୀତିକୁ ନେଇ ପୁଞ୍ଜି ବଜାର ଏବଂ ନିବେଶ କ୍ଷେତ୍ରର ଅଭିବୃଦ୍ଧି ପାଇଁ ଅନେକ ଦିଗ ନିର୍ଭର କରୁଛି । ୨୦୧୯-୨୦ ବର୍ଷରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କର୍ପୋରେଟ୍ ଟିକସରେ ହ୍ରାସ କରାଯିବା ସହିତ ରାଷ୍ଟ୍ରାୟ ଉଦ୍ୟୋଗ କ୍ଷେତ୍ରରୁ ଲକ୍ଷ୍ୟଧାର୍ଯ୍ୟ ତୁଳନାରେ କମ୍ ଆୟ ଏବଂ ମାନ୍ଦାବସ୍ଥାକୁ ନେଇ ବିଭିନ୍ନ କ୍ଷେତ୍ର ପ୍ରଭାବିତ ହେବା ଯୋଗୁଁ ଟିକସ ଆଦାୟ ମଧ୍ୟ ଯଥେଷ୍ଟ ଭାବେ ପ୍ରଭାବିତ ହୋଇଛି । ତେଣୁ ବିତୀୟ ବ୍ୟବସ୍ଥାରେ ସମତୁଲତା ରକ୍ଷା କରାଯାଇପାରି ନାହିଁ । ବିତୀୟ ଚାହିଦା ପୂରଣ ପାଇଁ ୨୦୧୯-୨୦ ବର୍ଷରେ ବଜାରରୁ ଋଣ ଉଠାଯାଇଥିବା ବେଳେ ୨୦୨୦-୨୧ ବର୍ଷରେ ମଧ୍ୟ ଅଧିକ ପରିମାଣର ଋଣ ଆବଶ୍ୟକତା ପଡ଼ିବ ବୋଲି ଅର୍ଥନୀତିଜ୍ଞମାନେ ଆକଳନ କରିଛନ୍ତି । ଚଳିତ ବର୍ଷ ବିତୀୟ ନିଅଂଟ ହାର ୩.୩ ପ୍ରତିଶତରୁ ବୃଦ୍ଧି ପାଇ ୩.୮ ପ୍ରତିଶତରେ ପହଂଚିବ ବୋଲି ଆକଳନ କରାଯାଇଥିଲା ବେଳେ ୨୦୨୦-୨୧ରେ ଏହି ହାର ୩.୫ ପ୍ରତିଶତ ଲକ୍ଷ୍ୟ ରଖାଯାଇଛି । ଯାହାକୁ ନେଇ ଏହି ବର୍ଷରେ ୭.୯ ଲକ୍ଷ କୋଟିରୁ ୮ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ଋଣର ଆବଶ୍ୟକ ପଡ଼ିବ ବୋଲି ଅର୍ଥନୀତିଜ୍ଞମାନେ କହିଛନ୍ତି । ଅନ୍ୟକେତେକ ବିଶେଷଜ୍ଞମାନଙ୍କ ମତରେ ୨୦୧୯-୨୦ ଆର୍ଥିକ ବର୍ଷରେ ବିତୀୟ ନିଅଂଟ ହାର ୩.୮ ପ୍ରତିଶତ ରହିବ ବୋଲି ଯାହା ଆକଳନ କରାଯାଇଛି ତାହା ବାସ୍ତବ ନୁହେଁ, ବରଂ ଏହା ଆହୁରି ଅଧିକ ହେବ । କେନ୍ଦ୍ର ସରକାରଙ୍କ ଅଣ ବଜେଟ୍ ଖର୍ଚ୍ଚକୁ ସାମିଲ କରାଗଲେ ବିତୀୟ ନିଅଂଟ ହାର ୫ ପ୍ରତିଶତ ଛୁଇଁବ ବୋଲି ସେମାନେ କହିଛନ୍ତି ।
ବିତୀୟ ନିଅଂଟ ଲକ୍ଷ୍ୟ ଫେଲ୍
୨୦୧୯-୨୦ ଆର୍ଥିକ ବର୍ଷର ବଜେଟ୍ ଆକଳନ ଅନୁସାରେ କେନ୍ଦ୍ର ସରକାର ବିତୀୟ  ନିଅଂଟ ଲକ୍ଷ୍ୟପୂରଣ ଦିଗରେ ଫେଲ ମାରିଛନ୍ତି । ଏହି ବର୍ଷରେ ଦେଶର ବିତୀୟ ନିଅଂଟ ହାର ମୋଟ ଜିଡିପିର ୩.୩ ପ୍ରତିଶତ ରହିବ ବୋଲି ଲକ୍ଷ୍ୟ ରଖାଯାଇଥିଲା ବେଳେ ଏହା ୩.୮ ପ୍ରତିଶତକୁ ବୃଦ୍ଧି ପାଇଛି । ଯାହାକି ପରବର୍ତୀ ଅଭିବୃଦ୍ଧି ପାଇଁ ଏକ ବଡ଼ ସମସ୍ୟା ହେବ । ଏହାବ୍ୟତୀତ ସରକାର ଯଦି ବଜେଟ ୍ ଅଣ ଅନୁମୋଦତି ପକ୍ରଳ୍ପରେ ଅଧିକ ବ୍ୟୟ କରନ୍ତି ତେବେ ସ୍ଥିତି ଆହୁରି ସଙ୍ଗିନ ହେବାର ସମ୍ଭାବନା ରହିଛି । ବିଶେଷକରି ବିଗତ ୨୦ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ପ୍ରତ୍ୟକ୍ଷ ଟିକସ ଆଦାୟ ହ୍ରାସ ପାଇବା ସହିତ ମୋଟ ୨ଲକ୍ଷ କୋଟି ଟଙ୍କାର ରାଜସ୍ୱ ହ୍ରାସ ସରକାରଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଛି ।
ବଢୁଛି ମୁଦ୍ରାସ୍ଫୀତି
ବିଗତ ବର୍ଷଗୁଡିକରେ ଦେଶର ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ରଖିବାକୁ କେନ୍ଦ୍ର ସରକାର ଏକପ୍ରକାର ସଫଳ ହୋଇଥିଲା ବେଳେ ଗତ ଆର୍ଥିକ ବର୍ଷର ମଧ୍ୟ ଭାଗରୁ ଆରମ୍ଭ ହୋଇଥିବା ମାନ୍ଦାବସ୍ଥାର ପ୍ରଭାବ ଚଳିତ ବର୍ଷ ଅନେକ କ୍ଷେତ୍ରକୁ ପ୍ରଭାବିତ କରିଛି । ବିଶେଷକରି ୨୦୧୯-୨୦ ଆର୍ଥିକ ବର୍ଷରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ଲକ୍ଷ୍ୟ ମଧ୍ୟ ଫେଲ୍ ମାରିଛି । ଚଳିତ ଆର୍ଥିକ  ବର୍ଷରେ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ ମଧ୍ୟରେ ରଖିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ  ସମୟାନୁସାରେ ପଦକ୍ଷେପ ନେବା ସହିତ ୬ଥର ରେପୋ ହାର(ସୁଧ)ରେ ହ୍ରାସ  କରିଛନ୍ତି ଏବଂ  ମୋଟ ୧୩୫ ବେସିସ୍ ପଏଂଟ ହ୍ରାସ କରିଛନ୍ତି । ଏହାସତ୍ୱେ ଗତ ଡିସେମ୍ବର ମାସରେ ଦେଶର ମୁଦ୍ରାସ୍ଫୀତି ସର୍ବାଧିକ ହାରରେ ୭.୩୫ ପ୍ରତିଶତ ଛୁଇଁଛି । ବିଶେଷକରି ପନିପରିବା ଠାରୁ ଆରମ୍ଭ କରି ଖାଦ୍ୟ ଦ୍ରବ୍ୟ ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀର ମୂଲ୍ୟ ବୃଦ୍ଧିକୁ ନେଇ ମୁଦ୍ରାସ୍ଫୀତି ସର୍ବୋଚ୍ଚସ୍ତରରେ ପହଂଚିଛି ।