OnaKhabar

ଫ୍ଲାଏଓଭର ଭୁଶୁଡ଼ିବା ଘଟଣା : ତଦନ୍ତ କରିବ ଦିଲ୍ଲୀର ସ୍ୱତନ୍ତ୍ର ଟିମ୍

7

ଦେବଗଡ : ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢେ ୬ଟା ସମୟରେ ଦେବଗଡ ପୌରାଞ୍ଚଳ ଅନ୍ତର୍ଗତ ପୁରୁଣାଗଡ଼ଠାରେ ୪୯ ନଂ ଜାତୀୟ ରାଜପଥ ବାଇପାସ ରାସ୍ତାରେ ନିର୍ମାଣଧିନ ଫ୍ଲାଏଓଭର ହଠାତ ଭୁଶୁଡ଼ିବା ଘଟଣା ପରେ ଆଜି ଉକ୍ତ ସ୍ଥାନରେ ଏନ୍ ଏଚ୍ ଏ କର୍ତ୍ତୃପକ୍ଷ ଅନୁଧ୍ୟାନ କରି ଫେରିଥିବା ଜଣାପଡ଼ିଛି । ଆଜି ସକାଳୁ ୪୯ ନଂ ଜାତୀୟ ରାଜପଥର ତିଲେଇବଣୀରୁ ବିଞ୍ଜବାହାଲ ଫୋର ଲେନ ରାସ୍ତାର ଦାୟିତ୍ୱରେ ଥିବା ପ୍ରକଳ୍ପ ନିର୍ଦ୍ଦେଶକ ଭେକ୍ଟଟେଶ୍ୱର ଲୁ ବିଭାଗୀୟ ଯନ୍ତ୍ରୀଙ୍କ ସହ ଘଟଣାସ୍ଥଳ ପରିଦର୍ଶନ କରି ଗଣମାଧ୍ୟମର ପ୍ରତିନିଧିମାନେ ପହଞ୍ଚବା ପୂର୍ବରୁ ଭୁବନେଶ୍ୱର ଫେରିଯାଇଥିଲେ । ତେବେ ଫୋନ ଯୋଗେ ତାଙ୍କ ମତାମତ ନେବାରୁ ସେ ଏଭଳି ଘଟଣାରେ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ ଘଟଣାର କାରଣ ସମ୍ପର୍କରେ ଅନୁଧ୍ୟାନ ପାଇଁ ଆସନ୍ତାକାଲି ଦିଲ୍ଲୀରୁ ଏକ ସ୍ୱତନ୍ତ୍ର ବିଶେଷଜ୍ଞ ଦଳ ଆସୁଥିବା ସୂଚନା ଦେଇଥିଲେ । ସେହିପରି ବିଶେଷଜ୍ଞ ଦଳର ତଦନ୍ତ ରିପୋର୍ଟ ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ମତବ୍ୟକ୍ତ କରିଥିଲେ । ସେହିପରି ଆଜି ସକାଳୁ ମଧ୍ୟ ଉକ୍ତ ସ୍ଥାନରେ ବହୁ ଜନଗହଳି ଦେଖିବାକୁ ମିଳିଥିଲା ।

ନିର୍ମାଣଧିନ ଫ୍ଲାଏଓଭର ଭୁଶୁଡ଼ିବା ଘଟଣା ପରେ ଜିଲ୍ଲା କଂଗ୍ରେସ ସଭାପତି ଉମା ଶଙ୍କର ସାହୁ ନିର୍ମାଣକାରୀ ଠିକା ସଂସ୍ଥା ଓରିଏଣ୍ଟାଲ ସୁପର କନଷ୍ଟ୍ରକ୍ସନ କମ୍ପାନୀର ନିମ୍ନମାନର କାମ ଯୋଗୁଁ ଏଭଳି ଅଘଟଣ ଘଟିଥିବା ଅଭିଯୋଗ କରିବା ସହ ଦେବଗଡ଼ ଜିଲ୍ଲାର ଶାସକ ଡବଲ ଇଂଜିନ ସରକାର ଓ ଜିଲ୍ଲା ପ୍ରଶାସନକୁ ଠିକା କମ୍ପାନୀ ନିଜ ନିୟନ୍ତ୍ରଣରେ ରଖି ଆଖିବୁଜା ନିମ୍ନମାନର କାମ କରୁଥିବା ଓ ଜିଲ୍ଲା କଂଗ୍ରେସ ଏହାର ପ୍ରତିବାଦରେ ଅନଶନ ଓ ଧର୍ମଘଟ କରୁଥିଲେ ମଧ୍ୟ ବିରୋଧୀଙ୍କ ସ୍ୱରକୁ ଚାପି ଦେଉଥିବା ଅଭିଯୋଗ କରିଥିଲେ । ସେହିପରି ନିର୍ମାଣଧୀନ ଫ୍ଲାଏଓଭର ଭୁଶୁଡ଼ି ପଡୁଥିବା ବେଳେ କମ୍ପାନୀ କାମର ମାନକୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରିଛନ୍ତି ।