OnaKhabar

ଅବ୍ୟବସ୍ଥାରେ ଚାଲିଛି ୨ଟି ଆହାରକେନ୍ଦ୍ର

9

ରାଉରକେଲା : ସ୍ମାର୍ଟସିଟି ରାଉରକେଲାରେ ଥିବା ଆହାର କେନ୍ଦ୍ର ଗୁଡ଼ିକ ମଧ୍ୟରୁ ୨ଟି କେନ୍ଦ୍ରରେ ଅବ୍ୟବସ୍ଥା ପରିଲକ୍ଷିତ କରାଯାଇଛି । ଜନଗହଳିପୂର୍ଣ୍ଣ ରାଉରକେଲା ସରକାରୀ ଡାକ୍ତରଖାନା(ଆରଜିଏଚ) ଓ ସେକ୍ଟର-୨ ସରକାରୀ ବସଷ୍ଟାଣ୍ଡରେ ଥିବା କେନ୍ଦ୍ର ଗୁଡ଼ିକରେ ଦୀର୍ଘ ଦିନରୁ ପାନୀୟ ଜଳ ଯୋଗାଉଥିବା ମୋଟର ପୋଡ଼ିଯାଉଥିବା ଯୋଗୁ ଦେଖାଯାଇଛି ସମସ୍ୟା । କ୍ଷୁଧା ନିବାରଣ ଓ ସମାଜର କଲ୍ୟାଣ ପାଇଁ ରାଜ୍ୟ ସରକାର ଆଣିଥିଲେ ଆହାର ଯୋଜନା । ରାଜ୍ୟର ବିିଭିନ୍ନ ସହର ଓ ପୌରପାଳିକାରେ ଥିବା ଗରିବ ଶ୍ରେଣୀୟ ଲୋକଙ୍କୁ ସୁଲଭ ମୂଲ୍ୟରେ ଖାଦ୍ୟ ଯୋଗାଣ କରିବା ଉଦ୍ଦେଶ୍ୟରେ ଏହି କେନ୍ଦ୍ରଗୁଡ଼ିକ ଖୋଲାଯାଇଥିଲା । ଏଥିରେ ୫ ଟଙ୍କାରେ ପେଟପୁରା ଖାଦ୍ୟ ସହ ସ୍ୱଚ୍ଛ ପରିମଳ ପାଇଁ ଯଥାସମ୍ଭବ ବ୍ୟବସ୍ଥା କରାଯାଇଥିଲା ।

ଅକ୍ଷୟପାତ୍ର ଫାଉଣ୍ଡେସନ ପକ୍ଷରୁ ଖାଦ୍ୟ ଯୋଗାଣ ସାଙ୍ଗକୁ ବାସନ ଧୂଆମେସିନ ଓ ଷ୍ଟେରିଲାଇଜର ଆଦି ସୁବିଧା ଦିଆଯାଉଥିଲା । ସହରାଞ୍ଚଳରେ ଥିବା ପୌରପାଳିକା ଏହାର ଦାୟିତ୍ୱ ବହନ କରିଆସୁଥିଲା । ରାଉରକେଲା ମହାନଗର ନିଗମ କର୍ତ୍ତୃପକ୍ଷ ପରିଚାଳିତ ଉକ୍ତ କେନ୍ଦ୍ରଗୁଡ଼ିକରେ ତତ୍ୱାବଧାରକଙ୍କ ରହିଛନ୍ତି । ରୋଗୀ ଓ ପରିଜନଙ୍କ ପାଇଁ ଥିବା ଆର୍‌ଜିଏଚ୍ ପରିସର କେନ୍ଦ୍ରରେ ମାସାଧିକାଳରୁ ପାଣି ମୋଟର ପୋଡ଼ିଯାଇଛି । ସେହିପରି ସେକ୍ଟର-୨ କେନ୍ଦ୍ରର ସପ୍ତାହକରୁ ଊର୍ଦ୍ଧ୍ୱ ମୋଟର ପୋଡ଼ିଯାଇଛି । ଆର୍‌ଏମ୍‌ସି କର୍ତ୍ତୃପକ୍ଷ ଏହାର ସମାଧାନ ପାଇଁ ପାଣିଟ୍ୟାଙ୍କର ଆଣି ଜଳଯୋଗାଣ କରୁଛନ୍ତି । ମାତ୍ର ଏହା ଦ୍ୱାରା ପରିମଳ ବ୍ୟବସ୍ଥା ବିଗିଡ଼ିଥିବା ଅଭିଯୋଗ ହୋଇଛି । ସାଧାରଣ ଲୋକ ନିଜ ବାସନ ମାଜିବା ସହ ଉକ୍ତ ଅଞ୍ଚଳରେ ଅଇଁଠା ଓ ପରିତ୍ୟକ୍ତ ଜଳ ଜମାହୋଇ ରହୁଛି । ଅବଶିଷ୍ଟାଂଶ ଖାଦ୍ୟକୁ ଖାଇବାକୁ ଗୋରୁଗାଈ ଗହଳି କରୁଛନ୍ତି । ଏହାଦ୍ୱାରା ଅଞ୍ଚଳ ଅପରିଷ୍କାର ହେଉଛି । ଯାହାଦ୍ୱାରା ଆଖାପାଖ ଲୋକେ ମଧ୍ୟ ବେଶ ହଇରାଣ ହେଉଥିବା ଅଭିଯୋଗ ହୋଇଛି । ବ୍ୟବହାର ପାଇଁ ଥିବା ବାସନକୁ ପାଣି ଅଭାବରୁ ଉପଯୁକ୍ତ ସଫା କରାଯାଉନାହିଁ ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ।

ସେକ୍ଟର-୨ କେନ୍ଦ୍ରର ତତ୍ୱାବଧାରିକା ଗଣେଷୀ ଲାକ୍ରାଙ୍କ ଅନୁଯାୟୀ ଏହି ପାଣିମେସିନ ଖରାପ ହୋଇଛି । ଏ ନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି ବୋଲି କହିଥିଲେ । ଅପରପକ୍ଷେ, ଏହି ପାଣିମେସିନଗୁଡ଼ିକ ଯଥାଶୀଘ୍ର ମରାମତି କରି ପୁନଃ ବ୍ୟବହାରକ୍ଷମ କରାଯିବ ବୋଲି କର୍ତ୍ତୃପକ୍ଷ ପ୍ରତିକ୍ରିୟାରେ କହିଛନ୍ତି । ହେଲେ ଏହି କେନ୍ଦ୍ର ଉପରେ ନିର୍ଭର କରୁଥିବା ଲୋକେ କର୍ତ୍ତୃପକ୍ଷଙ୍କ ଏତାଦୃଶ ଉତ୍ତରରେ ସନ୍ତୁଷ୍ଟ ନ ଥିବା କହିଛନ୍ତି । ସୂଚନାଯୋଗ୍ୟ, ଆରଜିଏଚ କେନ୍ଦ୍ରରେ ୩ ହଜାର ଓ ସେକ୍ଟର-୨ କେନ୍ଦ୍ରରେ ୫ଶହରୁ ଊର୍ଦ୍ଧ୍ୱ ହିତାଧିକାରୀ ଆସିଥାନ୍ତି ।