OnaKhabar

କ୍ଷୁଧା ମୁକ୍ତ ଓଡ଼ିଶା ଗଠନ ସ୍ୱପ୍ନ ନେଇ ଉତ୍କଳ ଗ୍ୟାଲେରିଆ ପକ୍ଷରୁ ଓ୍ଵାକାଥନ

4

ଭୁବନେଶ୍ୱର : ୭୧ ତମ ଗଣତନ୍ତ୍ର ଦିବସ ଉପଲକ୍ଷେ ଓଡ଼ିଶାର ପ୍ରମୁଖ ସପିଂ ମଲ୍ ଉତ୍କଳ ଗ୍ୟାଲେରିଆରେ ଏକ ୫ କିଲୋମିଟର ଲମ୍ବ ମାରାଥନ-ୟୁନିଟ ଓ୍ଵାକାଥନ ଅନୁଷ୍ଠିତ ହୋଇଯାଇଛି । ଏହାକୁ ଉତ୍କଳ ଗ୍ୟାଲେରିଆ, ସୋ ଆମ ଆଇ (ସାଇ) ଫାଉଣ୍ଡେସନ ଟ୍ରଷ୍ଟ ଓ ରୋଟାରୀ ଇଣ୍ଟରନ୍ୟାସନାଲ ଡିଷ୍ଟ୍ରିକ୍ଟ ୩୨୬୨ ତରଫରୁ ଆୟୋଜନ କରାଯାଇଥିଲା । ଏହି ଅବସରରେ ମାନ୍ୟବର ସାଂସଦ ଡ.ଅମର ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଅଭିନେତ୍ରୀ ଅର୍ଚ୍ଚିତା ସାହୁ ପତାକା ଦେଖାଇ ଏହି ମାରାଥନର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଉତ୍କଳ ଗ୍ୟାଲେରିଆର ନିର୍ଦ୍ଦେଶକ ଶରଦ ବୈଦ, ଅମିତ ବୈଦ ଓ ପୂର୍ଣ୍ଣିମା ବୈଦ, ସାଇର ପ୍ରତିଷ୍ଠାତା ପିନାକୀ ମହାନ୍ତି, ସାଇର ସହ-ପ୍ରତିଷ୍ଠାତା ଚିଦାତ୍ମିକା ଖଟୁଆ, ରୋଟାରିଆନ ଜୟଶ୍ରୀ ମହାନ୍ତି, ପ୍ରଭୁଦତ୍ତ ସୁବୁଦ୍ଧି ଓ ସୁଭେନ୍ଦୁ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଅବସରରେ ମାନ୍ୟବର ସାଂସଦ ତଥା ପୂର୍ବତନ ପିଏଜି ଡ. ଅମର ପଟ୍ଟନାୟକ କହିଛନ୍ତି ଯେ ଆଜିର ଦିନରେ ଆମ ଦେଶର ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା ଯାହାକି ଆମକୁ ସମାନତାର ଅଧିକାର ପ୍ରଦାନ କରିଥାଏ । କିନ୍ତୁ ଏବେ ବି ଏହା ଆମଦେଶରେ ସମ୍ପୂର୍ଣ୍ଣ ଭାବରେ ସମ୍ଭବ ହୋଇପାରିନାହିଁ । ଆଜିର ଏହି ପବିତ୍ର ଦିନରେ ଆସନ୍ତୁ ଆମେ ଆମଦେଶର ସମାଜରେ ଥିବା ଅସମାନତା, ଧର୍ମ, ଜାତି, ଲିଙ୍ଗ ଭିତ୍ତିରେ ଅସମାନତାକୁ ଲୋପ କରିବା ଲାଗି ସଂକଳ୍ପ ନେବା । ଆମ ସମସ୍ତଙ୍କର ଖାଦ୍ୟ ପାଇବାର ଅଧିକାର ରହିଛି ଯାହାକି କ୍ଷୁଧା ମୁକ୍ତ ଓଡ଼ିଶା ଅଭିଯାନ ମାଧ୍ୟମରେ ସଫଳ ହୋଇପାରିବ ।
ଏହି ଅବସରରେ ଶ୍ରୀମତି ପୂର୍ଣ୍ଣିମା ବୈଦ କହିଛନ୍ତି ଯେ ଆମ ସମାଜରେ ଭୋକିଲା ପେଟରେ ଶୋଇବାକୁ ବାଧ୍ୟ ହେଉଥିବା ଗରିବ ଲୋକମାନଙ୍କୁ ଦୃଷ୍ଟିରେ ରଖି ଉତ୍କଳ ଗ୍ୟାଲେରିଆ ଓ ସୋ ଆମ ଆଇ ଏହି ପଦକ୍ଷେପ ନେଇଛନ୍ତି । ଏହି ଓ୍ଵାକାଥନ ମାଧ୍ୟମରେ ଏ ସମ୍ପର୍କରେ ଅଧିକ ସଚେତନତା ସୃଷ୍ଟି ହୋଇପାରିବ ଓ ଯଦ୍ୱାରା ଅଧିକରୁ ଅଧିକ ଲୋକ ଏହି ଅଭିଯାନରେ ଯୋଡ଼ିହୋଇପାରିବେ ଓ ଓଡ଼ିଶାକୁ କ୍ଷୁଧାମୁକ୍ତ କରିହେବ ।

ଅଭିନେତ୍ରୀ ଅର୍ଚ୍ଚିତା କହିଛନ୍ତି ଯେ ଏହି କାର୍ଯ୍ୟକ୍ରମ ସହିତ ଯୋଡ଼ି ହୋଇଥିବାରୁ ମୁଁ ଆନନ୍ଦିତ । ଓଡ଼ିଶାରେ ଲକ୍ଷ ଲକ୍ଷ ଏପରି ଲୋକ ରହିଛନ୍ତି ଯେଉଁମାନେ ଦିନକୁ ତିନିଓଳି ପେଟପୁରା ଖାଦ୍ୟ ପାଉନାହାନ୍ତି । ଏଣୁ ଭୋକିଲାଙ୍କୁ ଖାଦ୍ୟ ଯୋଗାଇବାକୁ ଉଦ୍ୟମ କରୁଥିବା ଉତ୍କଳ ଗ୍ୟାଲେରିଆର ପଦକ୍ଷେପ ବେଶ ପ୍ରସଂଶାଯୋଗ୍ୟ ।  ଏହି ଅବସରରେ ବିଭିନ୍ନ ବର୍ଗର ଲୋକମାନଙ୍କୁ ସମ୍ମାନିତ କରାଯାଇଥିଲା । ଏହା ପରେ ସାଂସ୍କୃତିକ ଓ ଦେଶାତ୍ମବୋଧକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଭୋକିଲା ଲୋକଙ୍କୁ ଖାଦ୍ୟ ଯୋଗାଇବାକୁ ସାଇ ପକ୍ଷରୁ ପ୍ରଥମେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଖାଦ୍ୟ ବ୍ୟାଙ୍କ ପ୍ରତିଷ୍ଠା କରାଯାଇଛି-ପ୍ରଥମଟି ଆଚାର୍ଯ୍ୟ ବିହାରରେ ଓ ତାପରେ ରାମମନ୍ଦିର ନିକଟରେ । କେବଳ ଖାଦ୍ୟ ବ୍ୟାଙ୍କ ନୁହେଁ, ଉତ୍କଳ ଗ୍ୟାଲେରିଆ ଓ ସାଇ ପକ୍ଷରୁ ଶ୍ରଦ୍ଧା ଅର୍ପଣ ନାମକ ଏକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହା ମାଧ୍ୟମରେ ଫାଉଣ୍ଡେସନ ପକ୍ଷରୁ ସହରର ଲୋକମାନଙ୍କଠାରୁ ଖାଦ୍ୟଶସ୍ୟ ସଂଗ୍ରହ କରି ଗରିବ ଲୋକମାନଙ୍କ ମଧ୍ୟରେ ବଣ୍ଟନ କରାଯାଉଛି । ଉତ୍କଳ ଗ୍ରୁପ ଦ୍ୱାରା ପରିଚାଳିତ ଉତ୍କଳ କନିକା ଗ୍ୟାଲେରିଆ ଓଡ଼ିଶାର ଏକ ବୃହତ୍ତମ ମଲ ଯାହାକି କଳ୍ପନା ଛକ, ଭୁବନେଶ୍ୱରଠାରେ ଅବସ୍ଥିତ । ପ୍ରାୟ ୨,୪୦,୦୦ ବର୍ଗ ଫୁଟ ପରିମିତ ଅଞ୍ଚଳରେ ନିର୍ମିତ ଏହି ମଲରେ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ବ୍ରାଣ୍ଡ ଆଉଟଲେଟ ରହିଛି ।