OnaKhabar

ନାବାଳିକାଙ୍କୁ ଦୁଷ୍କର୍ମ ହତ୍ୟା ଘଟଣା : ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

19

ଢେଙ୍କାନାଳ : ଜଣେ ୧୦ବର୍ଷର ନାବାଳିକାକୁ ୨୦୧୬ ମସିହାରେ ଘଟିଥିବା ଦୁଷ୍କର୍ମ ଓ ହତ୍ୟା ମାମଲାର ବିଚାର କରି ମାନ୍ୟବର ସ୍ୱତନ୍ତ୍ର ପୋକସୋ ବିଚାରପତି ରାଜ କିଶୋର ମହାପାତ୍ର ଅଭିଯୁକ୍ତ ଶିବାନନ୍ଦ ପଧାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ମାଳୁଆଗୋଡା ଗ୍ରାମର ୧୦ ବର୍ଷର ନାବାଳିକା ତାର ଭାଇ ସହିତ ୨୪ ଜାନୁୟାରୀ ୨୦୧୬ରେ ପଡୋଶୀ ଅରୁଣ ପଧାନଙ୍କ ଘରକୁ ଟିଭି ଦେଖିବାକୁ ଯାଇଥିଲେ । କିଛି ସମୟ ପରେ ଭାଇ ଘରକୁ ଫେରିଥିଲେ ମଧ୍ୟ ଭଉଣୀ ଘରକୁ ଫେରି ନଥିଲା । ପରିବାର ପକ୍ଷରୁ ଝିଅକୁ ଖୋଜାଖୋଜି କରିଥିଲେ ମଧ୍ୟ ତାକୁ ପାଇନଥିଲେ । ପରଦିନ ଝିଅର ଶବକୁ ଗ୍ରାମର ରମେଶ ପଧାନଙ୍କ ପାଳଗଦା ନିକଟରୁ ପାଇଥିଲେ । ମୃତ ନାବାଳିକାର ପରିବାର ଗରିବ ତଥା ନିରାଶ୍ରୟ ହୋଇଥିବାରୁ ପୁଲିସକୁ ନ ଜଣାଇ ଶବକୁ ପୋତି ଦେଇଥିଲେ ।

ଘଟଣାର ପରଦିନ ମୃତ ନାବାଳିକାର ମା’ଙ୍କ ଲିଖିତ ଅଭିଯୋଗ ସୂତ୍ରରୁ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏକ ମାମଲା ରୁଜୁୁ କରି ଘଟଣାର ତଦନ୍ତ କରିଥିଲେ । ମୃତ ନାବାଳିକାର ବଡ ଭଉଣୀ ଅର୍ଚ୍ଚନା ପ୍ରଧାନଙ୍କ ବୟାନକୁ ଭିତ୍ତିକରି ଆସାମୀ ଶିବାନନ୍ଦ ପଧାନଙ୍କୁ ପୁଲିସ ଗିରଫ କରିଥିଲେ । ଏ ନେଇ ଭୁବନ ପୁଲିସ ୨୦୧୬ ଜାନୁୟାରୀ ୨୫ ତାରିଖରେ ଥାନାରେ ପୋକସୋ ମାମଲା ରୁଜୁ କରି ଆସାମୀକୁ କୋର୍ଟ ଚାଲାଣ କରିଥିଲେ । କୋର୍ଟ ଏହି ମାମଲାକୁ ସିଟି ସ୍ପେଶାଲ ପୋକସୋର ଶୁଣାଣି କରି ସାକ୍ଷୀମାନଙ୍କ ବୟାନ, ଡାକ୍ତରୀ ମାଇନା, ପୋଷ୍ଟମର୍ଟମ ରିପୋର୍ଟ, ପୁଲିସ ରିପୋର୍ଟ ଓ ଅନ୍ୟାନ୍ୟ ଦସ୍ତାବିଜକୁ ଭିତ୍ତିକରି ବିଚାରପତି ଶ୍ରୀ ମହାପାତ୍ର ଅଭିଯୁକ୍ତ ଶିବାନନ୍ଦକୁ ବିଭିନ୍ନ ଦଫାରେ ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି । ଏହି ମାମଲାଟିକୁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପୋକସୋ ପବ୍ଲିକ୍ ପ୍ରସିକ୍ୟୁଟର ସୁଲେମାନ ଖାଁ ପରିଚାଳନା କରିଥିଲେ ।