OnaKhabar

ସିଆଲବାହାଲି ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ: ଶୃଙ୍ଖଳିତ ଛାତ୍ର ସବୁ ଦିଗରେ ବିଜୟୀ ହୁଏ-ନରସିଂହ

57

ବଲାଙ୍ଗିର : ଆଜି ବଲାଙ୍ଗିର ବ୍ଲକ ସ୍ଥିତ ଝାଙ୍କରପାଲି ପଂଚାୟତର ସିଆଲବାହାଲିରେ ଥିବା ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ୧୯୬୪ ମସିହାରେ ଆରମ୍ଭ ହେଇଥିବା ଏହି ବିଦ୍ୟାଳୟ ପରବର୍ତ୍ତି ସମୟରେ ହାଇସ୍କୁଲସ୍ତର ପର୍ଯ୍ୟନ୍ତ ଉନ୍ନିତ ହୋଇଥିଲା । ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ନରସିଂହ ମିଶ୍ର ମୁଖ୍ୟ ଅତିଥି, ପୂର୍ବତନ ଶିକ୍ଷାଧିଶ ଯୋଗେନ୍ଦ୍ର ଭୋଇ ମୁଖ୍ୟବକ୍ତା ତଥା ସମ୍ମାନିତ ଅତିଥି ଭାବରେ ପୁଇଁନ୍ତଲା ବ୍ଲକ ଶିକ୍ଷାଧିକାରୀ ନେପାଲ ଚନ୍ଦ୍ର ବାଗ ଏବଂ ନିଖିଳ ଓଡିଶା ଶିକ୍ଷକ ମହାସଂଘର ବଲାଙ୍ଗିର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଖମାରୀ ଯୋଗଦେଇଥିଲେ । ମୁଖ୍ୟ ଅତିଥି ଭାବେ ଶ୍ରୀ ମିଶ୍ର ନିଜ ଉଦ୍‌ବୋଧନରେ ଛାତ୍ର ଛାତ୍ରୀମାନଙ୍କୁ ଶୃଙ୍ଖଳିତ ହେବା ପାଇଁ କହିଥିଲେ । ସେ କହିଥିଲେ ଇତିହାସ କହେ ଯେ କୌଣସି ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଯଦି ଜଣେ ଶୃଙ୍ଖଳା ସହିତ ପରିସ୍ଥିତିର ସାମନା କରିବ ସେ ନିଶ୍ଚୟ ବିଜୟୀ ହେବ । ଇତିହାସ ପୃଷ୍ଠାରୁ ଉଦାହରଣ ଦେଇ ଶୃଙ୍ଖଳା ଜ୍ଞାନ ଯୋଗୁଁ ଋଷ ଦେଶର ସେନା କିପରି ହିଟଲର ବାହିନିର ଦୁର୍ଦ୍ଧଶ ସେନାକୁ କୌଶଳକ୍ରମେ ପରାସ୍ତ କରିଥିଲେ ସେ ବାବଦରେ ଛାତ୍ର ଛାତ୍ରୀମାନଙ୍କୁ କହିବା ସହ ଛାତ୍ର ଛାତ୍ରୀମାନଙ୍କର ଚରିତ୍ର ଗଠନ, ପଢାବହି ବ୍ୟତିତ ବାହ୍ୟଜ୍ଞାନ ବଢାଇବା ପାଇଁ ଶିକ୍ଷକ କର୍ମଚାରୀ ଏବଂ ଅଭିଭାବକମାନେ ବିଶେଷ ଯତ୍ନବାନ ହୁଅନ୍ତୁ ବୋଲି ନିଜ ଉଦ୍‌ବୋଧନରେ କହିଥିଲେ । ମୁଖ୍ୟବକ୍ତା ଭାବେ ଯୋଗେନ୍ଦ୍ର ଭୋଇ ଆର୍ଥିକ ଅନାଟନ ଛାତ୍ର ଛାତ୍ରୀମାନଙ୍କର ଅଧ୍ୟୟନ ଦିଗରେ କେବେବି ପ୍ରତିବନ୍ଧକ ନୁହେଁ ବୋଲି କହିବା ସହ ଦେଶର ପୂର୍ବତନ ରାଷ୍ଟ୍ରପତି ଅବଦୁଲ କଲାମ ତାଙ୍କ ଛୋଟ ସମୟରେ କିଭଳି ଖବର କାଗଜ ବିକ୍ରି କରି ପାଠ ପଢି ଦେଶର ସର୍ବୋଚ୍ଚ ରାଷ୍ଟ୍ରପତି ପଦବୀ ପାଇପାରିଥିଲେ ସେ ଉପରେ ଛାତ୍ର ଛାତ୍ରୀମାନଙ୍କୁ ବୁଝାଇ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବରେ ଶିକ୍ଷକନେତା ଶ୍ରୀଯୁକ୍ତ ଖମାରୀ ଏବଂ ପୁଇଁନ୍ତଲା ବ୍ଲକ ଶିକ୍ଷାଧିକାରୀ ଶ୍ରୀ ବାଗ ଛାତ୍ର ଛାତ୍ରୀମାନଙ୍କୁ କେବଳ ଶିକ୍ଷା ଉପରେ ମନୋନିବେଶ କରି ନିଜ ଅଞ୍ଚଳର ଗୌରବ ବଢାଇବା ପାଇଁ କହିଥିଲେ । ଶେଷରେ କୃତି ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ଶ୍ରୀମିଶ୍ର ଟ୍ରଫି ଓ ମାନପତ୍ର ଦେଇ ପୁରସ୍କୃତ କରିଥିଲେ । ସଭାପତିତ୍ୱ କରୁଥିବା ସ୍କୁଲର ପ୍ରଧାନ ଶିକ୍ଷକ ସ୍କୁଲର ଅଭାବ ଅସୁବିଧା ଉପରେ ମୁଖ୍ୟ ଅତିଥି ଶ୍ରୀ ମିଶ୍ରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଏକ ଦାବିପତ୍ର ପ୍ରଦାନ କରିଥିଲେ ଏବଂ ଧନ୍ୟବାଦ ଦେଇ ସଭା ଶେଷ ଘୋଷଣା କରିଥିଲେ ।