OnaKhabar

୨ ନାବାଳିକା ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଜେଲ୍ 

7

ଫୁଲବାଣୀ : ଫୁଲବାଣୀ ଅତିରିକ୍ତ ଦୌରାଜଜ୍ ତଥା ସ୍ୱତନ୍ତ୍ର ପୋକ୍ସୋ କୋର୍ଟର ବିଚାରପତି ଏକ ନାବାଳିକା ଗଣଦୁଷ୍କର୍ମ ମାମଲାର ବିଚାର କରି ୨ ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ୍ ଦଣ୍ଡ ସହ ୫୭ ହଜାର ଟଙ୍କା ଲେଖାଏ ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ଆଉ ଅଧିକ ୬ ମାସ ଜେଲଦଣ୍ଡ ଶୁଣାଇଛନ୍ତି ମାନ୍ୟବର ଅଦାଲତ ।
ସୂଚନା ଅନୁଯାୟୀ, ୨୦୧୬ ଡିସେମ୍ବର ୨୨ ତାରିଖ ସନ୍ଧ୍ୟାରେ ବାଲିଗୁଡ଼ା ଥାନା ଅଞ୍ଚଳର ଜଣେ ୧୫ ବର୍ଷର ନାବାଳିକାକୁ ଡୁମୁରିସାହିର ରଞ୍ଜୀତ ସାହୁ(୨୫) ଓ ପାସେରିପଡ଼ାର ଅରୁଣ ସାହୁ(୨୨) ଏକ ବାଇକ୍‌ରେ ଘର ନିକଟରୁ ଅପହରଣ କରି ନେଇଥିଲେ । ନିକଟସ୍ଥ ଭଗାମୁଣ୍ଡା ଜଙ୍ଗଲରେ ଗଣଦୁଷ୍କର୍ମ କରିବା ପରେ ନାବାଳିକାକୁ ପଥର ଛେଚି ହତ୍ୟା ଉଦ୍ୟମ କରିଥିଲେ ।
ଠିକ୍ ଏତିକି ବେଳେ ଅଭିଯୁକ୍ତଙ୍କର ଅନ୍ୟ ଜଣେ ସାଙ୍ଗ ଅରୁଣ ନାୟକ ସେଠାରେ ପହଞ୍ôଚ ଅଭିଯୁକ୍ତମାନଙ୍କୁ ଏଥିରୁ ନିବୃତ୍ତ କରିଥିଲେ । ଅଭିଯୁକ୍ତମାନେ ଗୁରୁତର ଓ ଅଚେତ ହୋଇ ଯାଇଥିବା ନାବାଳିକାକୁ ଜଙ୍ଗଲରେ ଛାଡ଼ି ଫେରି ଯାଇଥିଲେ । ସାରାରାତି ଜଙ୍ଗଲରେ ଅଚେତ ହୋଇ ପଡ଼ିବା ପରେ ଭୋରରେ ନାବାଳିକାଙ୍କ ଚେତା ଫେରିବାରୁ ଚିତ୍କାର କରିଥିଲେ । ସ୍ଥାନୀୟ ଅଞ୍ଚଳର ଲୋକମାନେ ତାକୁ ସେଠାରୁ ଉଦ୍ଧାର କରିଥିଲେ । ନାବାଳିକାଙ୍କ ଠାରୁ ସବୁ ବିଷୟ ଶୁଣିବା ପରେ ତାଙ୍କ ମା’ ବାଲିଗୁଡ଼ା ଥାନାରେ ଅଭିଯୋଗ କରିଥିଲେ ।
ପୁଲିସ ମାମଲା ରୁଜୁ କରି ଉପରୋକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ମାମଲା ସ୍ୱତନ୍ତ୍ର ପୋକ୍ସୋ କୋର୍ଟରେ ବିଚାର ହୋଇଥିଲା । ୧୩ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ସ୍ୱତନ୍ତ୍ର ବିଚାରପତି ସମର ବଲ୍ଲଭ ବେହେରା ଅଭିଯୁକ୍ତ ରଞ୍ଜୀତ ସାହୁ ଓ ଅରୁଣ ସାହୁଙ୍କୁ ଦୋଷୀ ସାବ୍ୟସ୍ତ କରି ଉପରୋକ୍ତ ଦଣ୍ଡାଦେଶ ପ୍ରଦାନ କରିଥିବା ବେଳେ ଅନ୍ୟତମ ଅଭିଯୁକ୍ତ ଅରୁଣ ନାୟକଙ୍କୁ ଦୋଷମୁକ୍ତ କରିଛନ୍ତି । ସରକାରଙ୍କ ପକ୍ଷରୁ ମାମଲାକୁ ସ୍ୱତନ୍ତ୍ର ପିପି ଅସୀମ କୁମାର ପ୍ରହରାଜ ପରିଚାଳନା କରିଥିଲେ ।