OnaKhabar

ତୁମେ ମତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି: ନେତାଜୀ

46

ଭୁବନେଶ୍ୱର: ତୁମେ ମତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି ବୋଲି ନାରା ଦେଇଥିଲେ ନେତାଜୀ ସୁବାଷ ଚନ୍ଦ୍ର ବୋଷ । ୧୮୯୭ ମସିହା ଜାନୁୟାରୀ ୨୩ରେ କଟକର ଓଡ଼ିଆ ବଜାରରେ ସୁବାଷ ଚନ୍ଦ୍ର ବୋଷ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଜାନକୀ ନାଥ ବୋଷ । ମାତାଙ୍କ ନାମ ପ୍ରଭାବତୀ ଦେବୀ । ଜାନକୀ ନାଥ ବୋଷ ଜଣେ ପ୍ରଭାବଶାଳୀ ଓକିଲ ଥିଲେ । ତାଙ୍କ ମାଆ ମଧ୍ୟ ଜଣେ ଭଲ ଗୃହିଣୀ ଥିଲେ । ତାଙ୍କର ବାଲ୍ୟ ସମୟରେ ସେ କଟକସ୍ଥିତ ଷ୍ଟୁଆର୍ଟ ସ୍କୁଲରେ ଶିକ୍ଷାଗ୍ରହଣ ଶେଷ କରିଥିଲେ । ଏହା ପରେ ଉଚ୍ଚ ଶିକ୍ଷା ପାଇଁ ତାଙ୍କ ପିତା ତାଙ୍କୁ କଲିକତା ପଠାଇଥିଲେ । ସେ କଲିକତାର ପ୍ରେସିଡେନ୍ସି କଲେଜରେ ଅଧ୍ୟୟନ ସାରିବା ପରେ ଇଂଲଣ୍ଡର କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ନିଜର ଅଧ୍ୟୟନ ସାରିଥିଲେ । ପରେ ପରାଧୀନ ଭାରତବର୍ଷକୁ ଫେରିଥିଲେ । ବିଦେଶୀ ହାତରୁ କିପରି ସ୍ୱାଧୀନତା ଅଣାଯାଇ ପାରିବ ସେଥିପାଇଁ ଖୁବ ତତ୍ପର ହୋଇପଡ଼ିଲେ ସୁବାଷ । ଦେଶ ମାତୃକାର ସେବା ଓ ତାଙ୍କ ମଧ୍ୟରେ ଥିବା ଦେଶପ୍ରେମ ପାଇଁ ସେ ନିଜକୁ ସମର୍ପଣ କରିଥିଲେ । ସ୍ୱାଧୀନତା ଫେରାଇ ଆଣିବାକୁ ତାଙ୍କର ଏକମାତ୍ର ଲକ୍ଷ୍ୟଥିଲା । ସେଥିପାଇଁ ସେ ଏକ ସ୍ଲୋଗାନ ଦେଇଥିଲେ “ତୁମେ ମତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି” । ସେହି ସମୟରେ ଗାନ୍ଧି ଅହିଂସା ଆନ୍ଦୋଳନର ବ୍ରତୀ ଥିଲେ । ସୁବାଷ ଭାବିଥିଲେ ଅହିଂସା ଦ୍ୱାରା ସ୍ୱାଧୀନତା ପାଇବା କଷ୍ଟକର ବ୍ୟାପାର ବୋଲି । ତେଣୁ ଗାନ୍ଧୀ ଏବଂ ଅନ୍ୟ ସଂଗ୍ରାମୀଙ୍କ ସହ ତାଙ୍କର ମତପାର୍ଥକ୍ୟ ହୋଇଥିଲା । ସୁବାଷ ଜାତୀୟ କଂଗ୍ରେସ ସଭାପତି ହୋଇଥିଲେ ମଧ୍ୟ ଇସ୍ତଫା ଦେଇଥିଲେ । ସେ ଆଜାଦ ହିନ୍ଦ ଫୌଜ ଗଠନ କରିଥିଲେ । ଜୀବନର ଶେଷ ପର୍ଯ୍ୟନ୍ତ ସେ ସଂଗ୍ରାମରେ ନିଜକୁ ନିୟୋଜିତ କରିଥିଲେ । ନେତାଜୀଙ୍କର ଶେଷ ଜୀବନ କିପରି କଟିଥିଲା ଆଜି ପର୍ଯ୍ୟନ୍ତ ତାହା ରହସ୍ୟମୟ ହୋଇ ରହିଛି । ତଥାପି ତାଙ୍କର ମୃତ୍ୟୁ ୧୯୪୫ମସିହା ଅଗଷ୍ଟ ୧୮ରେ ଏକ ବିମାନ ଦୁର୍ଘଟଣାରେ ହୋଇଛି ବୋଲି କୁହାଯାଏ । ଏବେବି ତାହା ସତ୍ୟ କି ମିଛ ତାର କିଛି ନିର୍ଦ୍ଦିଷ୍ଟ ପ୍ରମାଣ ନାହିଁ ।