OnaKhabar

ପୋଖରୀରୁ ମିଳିଲା ନିଖୋଜ ନାବାଳିକାଙ୍କ ମୃତଦେହ

17

ଭଦ୍ରକ:ଦିନକୁ ଦିନ ହତ୍ୟା ଆତ୍ମହତ୍ୟା ଭଳି ଘଟଣା ବଢିବାରେ ଲାଗିଛି । ତେବେ ଆଜି ଏଭଳି ଏକ ଅଭାବନୀୟ ଘଟଣା ଭଦ୍ରକରେ ଦେଖିବାକୁ ମିଳିଛି । ପୋଖରୀରୁ ମିଳିଲା ନିଖୋଜ ନାବାଳିକାଙ୍କ ମୃତଦେହ ।
ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ରମ୍ବିଳା ଗାଁର ଜଣେ ନାବାଳିକା ୧୫ ତାରିଖରୁ ନିଖୋଜ ଥିଲେ । ଏନେଇ ନାବାଳିକାଙ୍କ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ । ତେବେ ଆଜି କିଛି ସ୍ଥାନୀୟ ଲୋକେ ଚରମ୍ପା ଟ୍ରେନ ଲାଇନ ପାଖ ଏକ ପୋଖରୀ ଏକ ମୃତଦେହ ଭାସୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଂଚି ମୃତ ନାବାଳିକାଙ୍କ ମୃତଦେହ ଉଦ୍ଧାର କରିଛି । ତେବେ ମୃତ ନାବାଳିକାଙ୍କ ଜୋତା ଓ ମନିପର୍ସ ଏକ ବୁଦାମୂଳରେ ପଡିଥିଲା । ପୋଲିସ ମୃତଦେହକୁ ବ୍ୟବଛେଦ ପାଇଁ ପଠାଇଛି । ଏହା ହତ୍ୟା ନା ଆତ୍ମହତ୍ୟା ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ନାବାଳିକା ଉକ୍ତ ପୋଖରୀ ନିକଟକୁ କେମିତି ଆସିଲେ ଓ ତାଙ୍କ ମୃତଦେହ କିପରି ହେଲା ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।