OnaKhabar

ଗଣପର୍ବ ମକର

ମୟୁରଭଞ୍ଜ : ଗଣପର୍ବ ମକର ପାଳନର ପ୍ରସ୍ତୁତି ପାଇଁ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ଏବେଠୁ ଚଳଚଞ୍ଚଳ ହୋଇଉଠିଲାଣି ଗାଁ ଠୁ ସହର । ମକରପର୍ବକୁ ନେଇ ଘରେଘରେ ଲାଗି ରହିଛି ଆନନ୍ଦର ମାହଲ।ଜାତି,ଧର୍ମ,ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏହି ପର୍ବକୁ ପାଳନ କରିଥାନ୍ତି । ସେଥିପାଇଁ ସମସ୍ତେ ଏବେ ପର୍ବ ପ୍ରସ୍ତୁତିରେ ବ୍ୟସ୍ତ । ମହିଳା ମାନେ ଘର ସଫାସୁତୁରା କରି ଲିପାପୋଛା କରିଥାଆନ୍ତି। ସମସ୍ତ ପରିବାରର ଛୋଟ ପିଲାଙ୍କ ମଧ୍ୟରେ ଭରି ରହିଛି ଆନନ୍ଦ।ମକରପର୍ବ ଅବସରରେ ମକର ସଂକ୍ରାନ୍ତି ଦିନ ସୂର‌୍ୟ୍ୟଉଦୟ ପୂର୍ବରୁ ନଦୀରେ ସ୍ନାନ କଲେ ଗଙ୍ଗାସ୍ନାନର ପୁଣ୍ୟ ମିଳିଥାଏ ବୋଲି ବିଶ୍ବାସ ରହିଥିବାରୁ ନଦୀ ନାଳରେ ସ୍ନାନ ସାରି ପରିଧାନ କରିବେ ନୂତନ ବସ୍ତ୍ର। ଯୋଉଥିପାଇଁ ମକରପର୍ବ ନିମନ୍ତେ କିଛି ନା କିଛି ନୂଆଁ କିଣିବାର ପରମ୍ପରା ରହିଥିବା ବେଳେ ନୂଆଲୁଗା,ମାଟିହାଣ୍ଡି, କୁଲା ପାଛିଆ ସହ ସାଜସଜ୍ଜା ଉପକରଣ କିଣିବା ପାଇଁ ହାଟ ବଜାରରେ ବେଶ ଭିଡ ଜମୁଛି । ଘରେଘରେ ପିଠାପଣା ପ୍ରସ୍ତୁତି ପାଇଁ ଢିଙ୍କିରେ ଚୂନାକୁଟା ଓ ହାଟରୁ ଗୁଡତେଲ କିଣା ମଧ୍ୟ ଆରମ୍ଭ ହୋଇଯାଇଛି ।
ମକରପର୍ବ ହେଉଛି ଭାଇଚାର ଓ ବନ୍ଧୁମିଳନର ଅନନ୍ୟ ଉଦାହରଣ । ନିଜ ପରିବାରବନ୍ଧୁଙ୍କ ସହ ପର୍ବ ପାଳନ କରିବା ପାଇଁ କାମ ଧନ୍ଦାରୁ ସାମୟିକ ବିରତି ନେଇ ଗାଁକୁ ଫେରିଥାନ୍ତି ବାହାରେ ରହୁଥିବା ଲୋକେ । ମକର ପର୍ବର ଟୁସୁ ମିଳନ ହେଉଛି ସବୁଠୁ ଆକର୍ଷଣୀୟ । ଯାହା ମୂଖ୍ୟତଃ କୁଡୁମି ମହାନ୍ତ ସମ୍ପ୍ରଦାୟରେ ବେଶ ଗୁରୁତ୍ୱ ବହନ କରିଥାଏ। ସେଥିପାଇଁ ଜୋରସୋରରେ ତିଆରି ଚାଲିଛି ଟୁସୁ ମେଢ ପ୍ରସ୍ତୁତି। ଆଉ ମକରପର୍ବର କିଛିଦିନ ପୂର୍ବରୁ ଗାଁର ମହିଳା ଓ ଯୁବତୀ ମାନେ ମିଳିତ ହୋଇ ନିଜନିଜ ଭିତରେ ଟୁସୁଗୀତର ପ୍ରାକ ପ୍ରସ୍ତୁତି ଭାବେ ପ୍ରତିଯୋଗିତା ଆରମ୍ଭ କରିଥାନ୍ତି ଏବଂ ଟୁସୁ ଗୀତଗାଇ ଗାଁ ଦାଣ୍ଡରେ ବୁଲିବାର ଦୃଶ୍ୟ ବେଶ ମନରୋମ। ମକର ଦିନ ନୂଆ ବସ୍ତ୍ର ପିନ୍ଧି ପିଠାପଣା ଖାଇ ଆନନ୍ଦ ଉଲ୍ଲାସରେ ଧୂମଧାମର ସହ ପର୍ବପାଳନ କରିବା ପରେ ବିଭିନ୍ନ ଅଞ୍ଚଳରେ ଟୁସୁମେଳା ଲାଗେ । ମେଳାକୁ ବିଭିନ୍ନ ଅଞ୍ଚଳରୁ ସୁସଜ୍ଜିତ ଟୁସୁ ଆସେ । ଆଉ ଟୁସୁକୁ ନେଇ ଭାବବିହ୍ଵଳ ହୋଇ ମହିଳା ଓ ଯୁବତୀ ମାନେ ଲୋକପ୍ରିୟ ଟୁସୁଗୀତ ଗାଇ ନଦୀନାଳରେ ବିସର୍ଜନ କରିଥାନ୍ତି। ଅନ୍ୟପଟେ ମୋଗଲ ଶାସନ କାଳରେ କୁଡୁମି ସମ୍ପ୍ରଦାୟର ଅପୁର୍ବ ସୁନ୍ଦରୀ ଯୁବତୀ ଟୁସୁମନିକୁ ତତ୍କାଳୀନ ମଗଲ ସାମ୍ରାଜ୍ୟର ପଠାଣ ରାଜା ଟୁସୁମନିଙ୍କ ଅପୂର୍ବ ସୌନ୍ଦର‌୍ୟ୍ୟରେ ବିଭୋର ହୋଇ ଭଲପାଇ ବସିବା ସହିତ ବିବାହ ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବାରୁ ପଠାଣ ରାଜା ଟୁସୁମନିଙ୍କର ସତୀତ୍ଵ ହରଣ ପାଇଁ ଉଦ୍ୟମ କରିଥିଲେ। ତେବେ ନିଜର ସତୀତ୍ଵ ବଞ୍ଚାଇବାକୁ ଯାଇ ନଦୀରେ ଝାସଦେଇ ଆତ୍ମ ବିସର୍ଜନ କରିଥିଲେ। ତେବେ ଟୁସୁମନିଙ୍କର ଏହି ବଳିଦାନକୁ କୁଡୁମି ସମ୍ପ୍ରଦାୟ ପକ୍ଷରୁ ସମ୍ମାନ ଜଣାଇ ମକରସଂକ୍ରାନ୍ତିକୁ ଟୁସୁପର୍ବ ଭାବେ କାହିଁ କେଉଁ କାଳରୁ ପାଳନ କରିଆସୁଛନ୍ତି।