OnaKhabar

ନିର୍ମାଣଧୀନ କାରଖାନାରେ ଶ୍ରମିକ ଆହତ

3

ଯାଜପୁର: ଦିନକୁ ଦିନ ଦୁର୍ଘଟଣା ଏବଂ ଅଘଟଣ ଭଳି ଘଟଣା ବଢି ଚାଲିଛି । ତେବେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଅଞ୍ଚଳରେ । ଯାଜପୁର ଜିଲ୍ଲାର ଏକ ନିର୍ମାଣାଧୀନ କାରଖାନାରେ ଦୁର୍ଘଟଣାରେ ଜଣେ ଶ୍ରମିକ ଆହତ ହେବାକୁ କେନ୍ଦ୍ର କରି ଆଜି ସେଠାରେ ଉତ୍ତେଜନା ଦେଖାଯାଇଛି । ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକର ହରିଦାସପୁରସ୍ଥିତ ରାମକୋ ସିମେଣ୍ଟ କାରଖାନାରେ ଏଭଳି ଅଘଟଣ ଘଟିଛି ।

ସୂଚନା ଅନୁଯାୟୀ, ଗତକାଲି ରାମକୋ ସିମେଣ୍ଟ କାରଖାନାରେ କାମ କରୁଥିବା ବେଳେ ଜିତେନ୍ଦ୍ର ମେହେଟା ନାମକ ଜଣେ ଅଣଓଡ଼ିଆ ଶ୍ରମିକ ଦୁଘର୍ଟଣାର ଶିକାର ହୋଇଥିଲେ । ଏହାପରେ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଜିତେନ୍ଦ୍ରଙ୍କ ଘର ଝାଡ଼ଖଣ୍ଡରେ ବୋଲି ଜଣାପଡିଛି । ଜିତେନ୍ଦ୍ର ମେହେଟାଙ୍କ ସଂପର୍କରେ କାରଖାନା ପକ୍ଷରୁ କିଛି ସୂଚନା ଦିଆଯାଉ ନଥିବାରୁ ଆଜି ରାମକୋ ସିମେଣ୍ଟ କାରଖାନାରେ କାମ କରୁଥିବା ଶ୍ରମିକ ଏବଂ କର୍ମଚାରୀମାନଙ୍କ ପକ୍ଷରୁ ଆନ୍ଦୋଳନ ଚାଲିଥିବାର ଖବର ମିଳିଛି । ଏସଂପର୍କରେ ରାମକୋ ସିମେଣ୍ଟ କାରଖାନାର ମାନବସମ୍ବଳ ମୁଖ୍ୟ ସର୍ବେଶ୍ବର ମହାପାତ୍ର କହିଛନ୍ତି ଯେ ଜିତେନ୍ଦ୍ର ମେହେଟାଙ୍କ ଚିକିତ୍ସା ଚାଲିଛି।ଖବର ପାଇବା ପରେ ଘଟଣାସ୍ଥଳରେ ଧର୍ମଶାଳା ପୁଲିସ ପହଞ୍ଚିଥିବା ସୂଚନା ମିଳିଛି ।