OnaKhabar

ମେଡିକାଲରେ ବନ୍ଧା ପଡ଼ିଛି ରୋଗୀର ଜୀବନ : ୨ ଲକ୍ଷ ଟଙ୍କା ପାଇଁ ଛାଡୁନି ଘରୋଇ ହସ୍‌ପିଟାଲ

19

ମାଲକାନଗିରି : ୨ଲକ୍ଷ ଟଙ୍କା ପାଇଁ ବନ୍ଧା ପଡ଼ିଛି ଜଣେ ରୋଗୀଙ୍କ ଜୀବନ । ଟଙ୍କା ନଦେଲେ ରୋଗୀକୁ ଛଡ଼ାଯିବନି ବୋଲି ବିଶାଖ।।ଟଣାର ଏକ ଘରୋଇ ମେଡିକାଲ କହିଛି । ସେପଟେ ବାପାଙ୍କ ଚିକିତ୍ସା ପାଇଁ ସବୁ ସମ୍ପତ୍ତି ବନ୍ଧା ପକାଇ ପୁଅ ସର୍ବସ୍ୱାନ୍ତ ହୋଇଯାଇଛି । ଏବେ ଅସହାୟ ପୁଅ ବାପାଙ୍କୁ ମୁକୁଳାଇବା ପାଇଁ ସରକାର ଓ ଜିଲ୍ଲା ପ୍ରଶାସନକୁ କାକୁତି ମୀନତି କରିଛି । ଏନେଇ ବାପାଙ୍କୁ ମୁକୁଳାଇବାକୁ ପୁଅ ଏକ ଭିଡିଓ ମାଧ୍ୟମରେ ଆକୁଳ ନିବେଦନ କରିଛି ।
ମାଲକାନଗିରି ଜିଲ୍ଲାର ଏମଭି-୭୯ ଗ୍ରାମର ତମାଲ ବାଗଚିଙ୍କ ବାପା ଦେବେନ ବାଗଚିଙ୍କ ଖାଦ୍ୟନଳୀରେ ଛିଦ୍ର ହୋଇଥିବାରୁ ତାଙ୍କୁ ପରିବାର ଲୋକେ ଛତିଶଗଡ଼ର ଜଗଦଲପୁର ମେଡିକାଲରେ ଭର୍ତ୍ତି କରି ଅସ୍ତ୍ରୋପ୍ରଚାର କରାଇଥିଲେ । ଅସ୍ତ୍ରୋପ୍ରଚାରର କିଛିଦିନ ପରେ ସେଥିରେ ସଂକ୍ରମଣ ହୋଇଥିବା ଜଣାପଡ଼ିବା ପରେ ତାଙ୍କୁ ପୁଣି ବିଶାଖାପାଟଣାର ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଏହାର ଅସ୍ତ୍ରୋପ୍ରଚାରର ଆବଶ୍ୟକତା ଥିବା ଡାକ୍ତର କହିବା ସହ ଏଥିପାଇଁ ପ୍ରାୟ ୨ଲକ୍ଷ ଟଙ୍କା ଆବଶ୍ୟକ ଥିବା କହିବା ପରେ ପୁଣିଥରେ ଅସ୍ତ୍ରୋପ୍ରଚାର କରାଯାଇଥିଲା । କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ତମାଲଙ୍କର ୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଏହି ଅର୍ଥ ଘରବାଡ଼ି ବନ୍ଧକ ରଖି ସେ ଖର୍ଚ୍ଚ କରିଥିଲେ । ବର୍ତ୍ତମାନ ରୋଗୀଙ୍କ ଅବସ୍ଥା ସ୍ଥିର ଥିବା ବେଳେ ଡାକ୍ତର ପୁଣି ୨ଲକ୍ଷ ଟଙ୍କା ଦାବି କରିବା ସହ ଏହି ଅର୍ଥ ପୈଠ ନକଲେ ଚିକିତ୍ସାଳୟରୁ ଘରକୁ ଛଡ଼ାଯିବ ନାହିଁ ବୋଲି କହିଛନ୍ତି । ଏହାକୁ ନେଇ ପୁଅ ତମାଲ ଏବେ ଚିନ୍ତାରେ ଭାଙ୍ଗି ପଡ଼ିଛନ୍ତି । ତେବେ ଚିକିତ୍ସାଳୟରୁ ବାପାଙ୍କୁ ଘରକୁ ଆଣିବା ପାଇଁ ୨ ଲକ୍ଷ ଟଙ୍କା ପୈଠ କରିବାକୁ ଅର୍ଥ ନଥିବାରୁ ସେ ତାଙ୍କ ବାପାଙ୍କୁ ଆଣିପାରୁନାହାନ୍ତି । ଏଣୁ ତାଙ୍କ ବାପାଙ୍କୁ ଚିକିତ୍ସାଳୟରୁ ମୁକୁଳାଇବା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି ।