OnaKhabar

ଉତ୍କଳଆଲୁମିନାର ନିଯୁକ୍ତି ଦାବିରେ ଆନ୍ଦୋଳନ : ଜେଲଗଲେ ୩୪ ମହିଳା ସହିତ ୮ ଶିଶୁ

ରାୟଗଡ଼ା : ଉତ୍କଳ ଆଲୁମିନା ପରିସରରେ ପୁଣି ଦେଖା ଦେଇଛି ଉତେଜନା । ଉତ୍କଳଆଲୁମିନା ଅଧିକାରୀଙ୍କୁ ଆକ୍ରମଣ ଅଭିଯୋଗରେ ଅଣ୍ଡିରାକଂଚ ପୁଲିସ ୩୪ ମହିଳା ଆନ୍ଦୋଳନକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନଙ୍କ ସହିତ ୮ ଜଣ ଶିଶୁଙ୍କୁ ମଧ୍ୟ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଆଇନ ଶୃଙ୍ଖଳା ପରିସ୍ଥିତି ଦୃଷ୍ଟି କୋଣରୁ ଖଣି ଅଂଚଳ ମୁଖ୍ୟ ଫାଟକ ଏବଂ ଚନ୍ଦ୍ରଗିରି ଛକରେ ୩ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । ଏହି ଘଟଣାରେ ତୀକ୍ଷ୍ମ ନଜର ରଖିଛି ପୁଲିସ । ଅନ୍ୟପକ୍ଷରେ ଖଣି ଅଂଚଳକୁ କୈଣସି ଗାଡ଼ିକୁ ଛାଡ଼ୁନଥିବାରୁ ଖଣି ଉତ୍ପାଦନରେ ମଧ୍ୟ ବାଧା ଦେଖା ଦେଇଛି । ଉତ୍କଳଆଲୁମିନାର ବଫଲା ମାଳି ଖଣି ଅଂଚଳରେ ନିଯୁକ୍ତ ଦାବିରେ ପାଇକ କୁପାଖାଲ ଗ୍ରାମର ମହିଳା ଏବଂ ପୁରୁଷ ଆନ୍ଦୋଳନକୁ ଓହ୍ଲାଇଥିଲେ । ୨ ତାରିଖରୁ ଏହି ଆନ୍ଦୋଳନ ଚାଲିଥିବା ବେଳେ ଖଣି ଅଂଚଳକୁ କୌଣସି କର୍ମଚାରୀ କିମ୍ବା ଅଧିକାରୀଙ୍କୁ ଛାଡ଼ୁନଥିଲେ ।

ଶୁକ୍ରବାର ସନ୍ଧ୍ୟାରେ ଏହା ଉଗ୍ରରୁପ ନେଇଥିଲା । ଖଣିରେ ଫସି ରହିଥିବା କର୍ମଚାରୀଙ୍କୁ ଖାଦ୍ୟ ଏବଂ ଔଷଧ ନେଇ ଶୁକ୍ରବାର ସନ୍ଧ୍ୟାରେ ମାଇନସ ମେନସ ମ୍ୟାନେଜର ସୁକାନ୍ତ ମହାପାତ୍ର ଏକ ଗାଡ଼ିରେ ନିଜ ସହଯୋଗୀ ବିନୋଦ ପୁଜାରୀ, ପ୍ରସାନ୍ତ ସିଂ, ସମୀର ମହାନ୍ତିଙ୍କ ସହ ଖଣି ଅଂଚଳକୁ ଯାଉଥିଲେ । ଏହି ସମୟରେ ଆନ୍ଦୋଳନ ରତ ମହିଳାମାନେ ଗାଡ଼ିକୁ ଅଟକାଇ ସୁକାନ୍ତ ମହାପାତ୍ରଙ୍କୁ ଟଣାଓଟରା କରିବା ସହ ମାଡ଼ମାରି ମାଇନସ ଉପରକୁ ଛାଡ଼ିନଥିବା ନେଇ ଅଣ୍ଡିରାକଂଚ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଏତଲାକୁ ଭିତିକରି ପାଇକ କୁପାଖାଲ ଗାଁ’ର ସରୋଜିନୀ ନାୟକ, ମିଥିଲା ନାୟକ, ରଞ୍ଜିତା ନାୟକ, ମମତା ନାୟକ, କନକ ନାୟକ ସମେତ ୩୪ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନଙ୍କ ସହିତ ଥିବା ୮ ଜଣ ଶିଶୁଙ୍କ ମଧ୍ୟ ପୁଲିସ କାଶିପୁର ଏସଡିଜେଏମଙ୍କ କୋର୍ଟରେ ହାଜିର ପରେ ଜାମିନ ନାମଞ୍ଜୁର ପରେ ସମସ୍ତ ୪୨ ଜଣକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ତେବେ ଏନେଇ ଆନ୍ଦୋଳନକାରୀଙ୍କ ପକ୍ଷରୁ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ ଉତ୍କଳ ଆଲୁମିନା ପକ୍ଷରୁ କାରଖାନା ଏବଂ ଏହାର ପାରିପାଶ୍ୱିର୍କ ଅଂଚଳରେ ଚଳିତ ବର୍ଷ ୨ ଲକ୍ଷ ଗଛ ଲଗାଇ ବନୀକରଣ କରିବାର ଯୋଜନା ରହିଛି । ଫଳରେ କାରଖାନାର ସିଏସଆର ଯୋଜନା ମାଧ୍ୟମରେ ପାଇକକୁପାଖାଲ ଗାଁ’ରେ ବନୀକରଣ ପାଇଁ ସୁର୍ଯ୍ୟପ୍ରଭା ନାଁ’ରେ ଏକ ଯୋଜନା ହାତକୁ ନିଆଯାଇଥିଲା । ଏହି ଯୋଜନା ମାଧ୍ୟମରେ ପ୍ରଥମ ପର୍ଯ୍ୟାୟରେ ୪୦ ମହିଳାଙ୍କୁ ସାମିଲ କରାଯାଇଥିବା ବେଳେ ଗାଁ’ରେ ଅନ୍ୟ ଏକ ଗୋଷ୍ଠୀ ଗାଁ’ରେ ଥିବା ୧୮୨ ଜଣ ସମସ୍ତ ମହିଳାଙ୍କୁ ସାମିଲ କରିବା ପାଇଁ ଦାବି କରିଥିଲେ ।

ତେବେ ଏହାକୁ ନେଇ କାରଖାନା କର୍ତୃପକ୍ଷ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ମତାନ୍ତର ଲାଗିରହିଥିବା ବେଳେ ଶନିବାରର ଘଟଣା ଆନ୍ଦୋଳନକୁ ଖୋରାକ ଯୋଗାଇଛି । ସେପଟେ ଗତ ଅକ୍ଟୋବର ଶେଷ ସପ୍ତାହରେ ଉତ୍କଳ ଆଲୁମିନାକମ୍ପାନୀ ପରିସରରେ ବିସ୍ଥାପିତ ଏବଂ ପୁଲିସଙ୍କ ମଧ୍ୟରେ ମୁହାଁ ମୁହିଁ ପରିସ୍ଥିତ ଉପୁଜିଥିଲା । ଏପରିକି ବିସ୍ଥାପିତଙ୍କ ପଥର ମାଡ଼ରେ ଅନେକ ସୁରକ୍ଷା କର୍ମୀ, ପୁଲିସ ଏବଂ ଅଧିକାର ଆହତ ହେବା ସହ କମ୍ପାନି ଗାଡ଼ି ଏବଂ କଂଟ୍ରୋଲରୁମ ଭାଙ୍ଗି ଦେଇଥିଲେ ଆନ୍ଦୋଳନକାରୀ । ଏହି ମାମଲାରେ ପୁଲିସ ୧୪ ଜଣକୁ ଗିରଫ କରିବା ସହ ନଭେମ୍ବର ୧ ତାରିଖରୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ କାରଖାନା ପରିସର ଏବଂ ମାଇନସ ଅଂଚଳରେ ୧୪୪ ଧାରା ଜାରି କରାଯାଇଥିଲା । ଏହି ଧାରା ଉଠାଇ ନେବା ପରେ ଏବେ ପୁଣି କାରଖାନା ଅଂଚଳରେ ଉତେଜନା ଦେଖାଦେଇଛି ।