OnaKhabar

ଆରମ୍ଭ ହୋଇଯାଇଛି ‘ଶିଶିର ସରସ’ ମେଳା

ଭୁବନେଶ୍ୱର: ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ଆରମ୍ଭ ହୋଇଯାଇଛି ‘ଶିଶିର ସରସ’ ମେଳା । ଏହି ମେଳା ଗତକାଲି ଠାରୁ ଆରମ୍ଭ ହୋଇଛି । ଏହା ଜାନୁୟାରୀ ୧୪ରେ ଶେଷ ହେବ । ତେବେ ଏହି ମେଳାକୁ ରାଜ୍ୟ ଏବଂ ରାଜ୍ୟ ବାହାରର ଜିନିଷ ବିକ୍ରି ହୋଇଥାଏ । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନ ଓରମାସ୍ ପକ୍ଷରୁ ଆୟୋଜିତ ଏହି ମେଳାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । କାର‌୍ୟ୍ୟକ୍ରମରେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନା, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ପଞ୍ଚାୟତିରାଜ ଓ ପାନୀୟ ଜଳ ପ୍ରମୁଖ ସଚିବ ଦେଓରଞ୍ଜନ କୁମାର ସିଂହ ଏବଂ ଓର୍ମାସ୍ର ନିର୍ଦ୍ଦେଶକ ସ୍ମୃତିରଞ୍ଜନ ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।

ଗୋଟିଏ ଛାତ ତଳେ ମିଳୁଛି ୨୫ ରାଜ୍ୟର ହାତ ତିଆରି ସାମଗ୍ରୀ । ଶୀତ ବସ୍ତ୍ରଠାରୁ ଆରମ୍ଭ କରି ବାଉଁଶ ଶିଳ୍ପ ସାମଗ୍ରୀ, ସବାଇ ଘାସ ଘରସଜ୍ଜା ଫୁଲ ଓ ଫୁଲଦାନୀ, ସିଲ୍କ ଓ ରଟ୍ ଆଇରନ୍ ସାମଗ୍ରୀ, ଟସର କପଡ଼ା ଓ ଲୁଗା ଆଦିର ଏକ ବିଶାଳ ପସରା ପଡ଼ିଛି ପ୍ରଦର୍ଶନୀ ପଡ଼ିଆ ପରିସରରେ । ମେଳାରେ ମୋଟ୍ ୩୦୦ଟି ଷ୍ଟଲ ପଡ଼ିଥିବା ବେଳେ ଓଡ଼ିଶାର ୩୦ ଜିଲ୍ଲାରୁ ସ୍ବୟଂସହାୟକ ଗୋଷ୍ଠୀ ଓ ଉତ୍ପାଦକ ଗୋଷ୍ଠୀ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି । ଟେରାକୋଟା ସାମଗ୍ରୀ ସମେତ , ବାଲେଶ୍ବରର ପଥର ଖୋଦେଇ ସାମଗ୍ରୀ, ନୂଆପଡ଼ାର ଖାଦ୍ୟ ଓ ମସଲା ସାମଗ୍ରୀ, ସୁବର୍ଣ୍ଣପୁର ଓ ବଲାଙ୍ଗୀରର ହସ୍ତତନ୍ତ ସାମଗ୍ରୀ, ମୟୂରଭଞ୍ଜ, ମାଲକାନଗିରି ଓ କଳାହାଣ୍ଡିର ବନଜାତ ଦ୍ରବ୍ୟ, କେନ୍ଦ୍ରାପଡ଼ାର କାଇଁଚ ପ୍ରସ୍ତୁତ ସାମଗ୍ରୀ ସହ ମୟୂରଭଞ୍ଜ ସବାଇ ଘାସରୁ ପ୍ରସ୍ତୁତ ଘରକରଣା ସାମଗ୍ରୀ ଓ କାଠ ଜିନିଷ ମେଳାରେ ଉପଲବ୍ଧ ହେଉଛି । ଏଥିସହ ପଞ୍ଜାବର ଫୁଲକରୀ ପୋଷାକ ସହ ଜମ୍ମୁ କଶ୍ମୀରର ଶୀତ ପୋଷାକ, ଡ୍ରେସ୍ ମ୍ୟାଟେରିଆଲ୍, ଆନ୍ଧ୍ରପ୍ରଦେଶ ଓ ତାମିଲନାଡ଼ୁର ହସ୍ତତନ୍ତ ଓ ଘରକରଣା ସାମଗ୍ରୀ, ମଧ୍ୟପ୍ରଦେଶ ଓ ଛତିଶଗଡ଼ର ଟସର କପଡ଼ା ଓ ଲୁଗା, ରାଜସ୍ଥାନ, ଗୁଜୁରାଟ ଓ ମହାରାଷ୍ଟ୍ରର ଖାଦ୍ୟ ଏବଂ ଉତ୍ତରପୂର୍ବ ରାଜ୍ୟର ବାଉଁଶ ଶିଳ୍ପ ସାମଗ୍ରୀ ଆଦି ମେଳାର ମୁଖ୍ୟ ଆକର୍ଷଣ ପାଲଟିଛି ।