OnaKhabar

ପାରିବାରିକ କଳହର କରୁଣ ପରିଣତି : ବ୍ୟବଚ୍ଛେଦ ଗୃହ ସାମ୍ନାରେ ପଡ଼ିରହିଲା ଶବ

115

ନୟାଗଡ଼ : ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସାମ୍ନାରେ । ବାପା-ମାଆଙ୍କ କଳି ପାଇଁ ଜଣେ ନାବାଳକର ଶବ ମୁଖ୍ୟ ଚିକିତ୍ସାଳୟର ଶବ ବ୍ୟବେଚ୍ଛଦ ଗୃହ ନିକଟରେ ଦୀର୍ଘ ୬ ଘଣ୍ଟା କାଳ ଷ୍ଟେଚରରେ ଲଦାହୋଇ ପଡ଼ିରହିଥିଲା । ଅନ୍ୟପକ୍ଷରେ ପୁଅର ମୃତ୍ୟୁ ଏବଂ ସ୍ୱାମୀର ହତାଦାରକୁ ନେଇ ଜଣେ ମହିଳା ନ୍ୟାୟ ମାଗିଥିବା ବେଳେ ତାଙ୍କୁ ପୁଲିସ ନ୍ୟାୟ ତ ଦେଇପାରିନଥିଲା, ବରଂ ନାଲିଆଖି ଦେଖାଇଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁଯାୟୀ, ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ କୁରାଳ ଗ୍ରାମରେ ଗତକାଲି ଟ୍ରାକ୍ଟରୁ ଖସିପଡ଼ି ଚକାରେ ଚାପିହୋଇ ଜଣେ ନାବାଳକର ମୃତ୍ୟୁ ଘଟିଥିଲା । ନାବାଳକ ଜଣକ କୁରାଳ ବେଙ୍ଗେଇସାହିର ହେମନ୍ତ ବିଶ୍ୱାଳଙ୍କ ପୁଅ ବିଷ୍ଣୁ ବିଶ୍ୱାଳ (୧୪) । ବିଷ୍ଣୁ ତା’ ବଡ଼ବାପା ଶରତ ବିଶ୍ୱାଳଙ୍କ ସହ ନମ୍ବରବିହୀନ ଏକ କଳେଇ ବୋଝେଇ ଟ୍ରାକ୍ଟରରେ ଘରକୁ ଫେରୁଥିଲା । ଚାଳକ ନିୟନ୍ତ୍ରଣ ହରାଇବାରୁ ଏକ ମୋଡ଼ରେ ଟ୍ରାକ୍ଟରର ଇଞ୍ଜିନ୍‌ଟି ଉପରକୁ ଉଠିଯାଇଥିଲା । ଫଳରେ ଚାଳକ ପାଖରେ ବସିଥିବା ବିଷ୍ଣୁ ତଳେ ପଡ଼ିଯାଇଥିଲା ଏବଂ ତା’ ଉପରେ ଟ୍ରାକ୍ଟର ଚକା ଚଢ଼ି ଯାଇଥିଲା । ବିଷ୍ଣୁକୁ ଗୁରୁତର ଅବସ୍ଥାରେ ବଡ଼ବାପା ଶରତ ପ୍ରଥମେ ଓଡ଼ଗାଁ ଓ ପରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ । ଚିକିତ୍ସା ଚାଲିଥିବା ବେଳେ ବିଷ୍ଣୁର ମୃତ୍ୟୁ ଘଟିଥିଲା । ଗତକାଲି ଶବଗୃହରେ ବିଷ୍ଣୁର ମୃତଶରୀର ରଖା ଯାଇଥିବା ବେଳେ ଆଜି ପୁଲିସ ଉପସ୍ଥିତିରେ ବ୍ୟବଚ୍ଛେଦ କରାଯାଇଥିଲା । ବ୍ୟବେଚ୍ଛଦ ପରେ ବଡ଼ବାପା ଶରତ ମହାପ୍ରାୟାଣ ଗାଡ଼ିରେ ଶବ ନେବା ପାଇଁ ପ୍ରସ୍ତତି ଚଳାଇଥିବା ବେଳେ ବିଷ୍ଣୁର ମାଆ ନିରୁପମା ବିଶ୍ୱାଳ ଏବଂ କିଛି ସମ୍ପର୍କୀୟ ଏହାକୁ ବିରୋଧ କରିଥିଲେ ।
ସେମାନଙ୍କ କହିବାନୁସାରେ, ଚାରିବର୍ଷ ହେବ ବିଷ୍ଣୁର ବାପା ହେମନ୍ତ ଏବଂ ମାଆ ନିରୁପମା ପାରିବାରିକ କଳହ କାରଣରୁ ଅଲଗା ରହୁଥିଲେ । ଦୁଇ ପିଲାଙ୍କୁ ନେଇ ନିରୁପମା ନିଜ ବାପା ଭାବାନୀ ଶଙ୍କର ଜେନାଙ୍କ ଘର ବିଲ୍ୱମାନପୁରରେ ରହୁଥିଲେ । ଦୁଇବର୍ଷ ତଳେ ହେମନ୍ତ ବିଷ୍ଣୁକୁ ବିଦ୍ୟାଳୟରୁ ନେଇଯାଇ ପାଖରେ ରଖିଥିଲେ । ଗତକାଲି ପୁଅର ଦୁର୍ଘଟଣା ଘଟିଥିଲେ ମଧ୍ୟ ନିରୁପମାଙ୍କୁ ହେମନ୍ତଙ୍କ ପରିବାର ପକ୍ଷରୁ ଖବର ଦିଆଯାଇ ନଥିଲା । ବାହାରୁ ଖବର ପାଇ ସେମାନେ ଡାକ୍ତରଖାନାରେ ପହଞ୍ଚିବା ବେଳକୁ ବିଷ୍ଣୁର ମୃତ୍ୟୁ ହୋଇ ସାରିଥିଲା । ପୁଅର ମୃତଶରୀର ଶବଗୃହରେ ରଖାଯାଇଥିବାରୁ ନିରୁପମାଙ୍କ ବାପଘର ଲୋକେ ଗତକାଲିଠାରୁ ଏଠାରେ ଉପସ୍ଥିତ ଥିଲେ ମଧ୍ୟ ବିଷ୍ଣୁର ବାପା ହେମନ୍ତ ଘଟଣାସ୍ଥଳକୁ କାହଁକି ଆସି ନାହାନ୍ତି ବୋଲି ପ୍ରଶ୍ନ କରିଥିଲେ । ପୁଲିସ କେଉଁଭଳି ବାପା, ମାଆଙ୍କ ବ୍ୟତୀତ ଜଣେ ବାହାର ଲୋକଙ୍କୁ ଶବ ହସ୍ତାନ୍ତର କରୁଛି ବୋଲି ସମ୍ପର୍କୀୟମାନେ ପ୍ରଶ୍ନ କରିବା ସହ ଏହାର ବିରୋଧ କରିଥିଲେ ।
ବିଷ୍ଣୁଙ୍କ ବାପା ଆସି ଶବ ନେବାକୁ ନିରୁପମାଙ୍କ ବାପଘର ଲୋକେ ଦାବି କରିଥିଲେ । ଦୀର୍ଘ ୬ ଘଣ୍ଟା ଧରି ବ୍ୟବଚ୍ଛେଦ ଗୃହ ସାମ୍ନାରେ ଶବ ଏକ ଷ୍ଟ୍ରେଚରରେ ଲଦାହୋଇ ରହିଥିଲେ ମଧ୍ୟ ହେମନ୍ତ ଏଠାକୁ ଆସି ନଥିଲେ । ଘଟଣାସ୍ଥଳରେ ପୁଲିସ ଦେଖଣାହାରୀ ସାଜିଥିବା ବେଳେ ଘଟଣାକୁ ନେଇ ଏକ ଭିନ୍ନ ପରିସ୍ଥିତି ସୃଷ୍ଟି ହୋଇଥିଲା । ବିଷ୍ଣୁର ବଡ଼ବାପା ଶରତଙ୍କ କହିବା ଅନୁସାରେ, ବାହାରେ ରହୁଥିବା ହେମନ୍ତ ଖବର ପାଇ ଗତକାଲି ଗାଁକୁ ଆସିଥିଲେ । ହେଲେ ଶରୀର ଅସୁସ୍ଥ ଥିବାରୁ ଏଠାକୁ ଆସିପାରି ନାହାନ୍ତି । ଏହାପରେ ନିରୁପମାଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । କିଛି ସମ୍ପର୍କୀୟ ଏନେଇ ଟାଉନ୍ ଥାନାରେ ଅଭିଯୋଗ କରିବାକୁ ଉଦ୍ୟତ ହେଉଥିବା ବେଳେ ଉପସ୍ଥିତ ପୁଲିସ ସେମାନଙ୍କୁ ବୁଝାଶୁଝା କରିଥିଲେ । ମାତ୍ର ନିରୁପମାଙ୍କ ବାପଘର ଲୋକେ ଏବଂ ସମ୍ପର୍କୀୟମାନେ ଜିଦ୍‌ରେ ଅଟଳ ରହିବାରୁ ପୁଲିସ ନାଲିଆଖି ଦେଖାଇ ଜବରଦସ୍ତ ବିଷ୍ଣୁର ଶବକୁ ବଡ଼ବାପା ଶରତ ବିଶ୍ୱାଳଙ୍କୁ ହସ୍ତାନ୍ତର କରିଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଜିଲ୍ଲାରେ ଜୋର୍ ଆଲୋଚନା ଚାଲିଥିବା ବେଳେ ଜଣେ ମାଆକୁ ନ୍ୟାୟ ମିଳିଲା ନାହିଁ ବୋଲି ଚର୍ଚ୍ଚା ହେଉଛି ।