34.1 C
Bhubaneswar
Friday, March 29, 2024
Homeଏକ୍ସକ୍ଲୁସିଭ୍ଚ୍ୟାଲେଞ୍ଜ୍ ଅନେକ, କଣ କରିବେ ସରକାର

ଚ୍ୟାଲେଞ୍ଜ୍ ଅନେକ, କଣ କରିବେ ସରକାର

ନୂଆଦିଲ୍ଲୀ,୩୧ା୧୨(ଏଜେନ୍ସି): ଆସନ୍ତା ଫେବ୍ରୁଆରୀ ୧ରେ ୨୦୨୦-୨୧ ଆର୍ଥିକବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହା ତାଙ୍କର ଦ୍ୱିତୀୟ ପୂର୍ଣ୍ଣାଙ୍ଗ ବଜେଟ । ସମ୍ପ୍ରତି ଦେଶର ଅର୍ଥନୈତିକ ସ୍ଥିତି ଯାହା ଅର୍ଥମନ୍ତ୍ରୀଙ୍କଠାରୁ ରହିଛି ଅନେକ ଆଶା । ୬ ବର୍ଷର ସର୍ବନିମ୍ନ ସ୍ତରକୁ ଖସି ଆସିଥିବା ଜିଡିପି ଅଭିବୃଦ୍ଧିକୁ ଊର୍ଦ୍ଧ୍ୱମୁଖୀ କରିବା, ଚାହିଦା, ଖର୍ଚ୍ଚ ତଥା ନିଯୁକ୍ତି ବଢ଼ାଇବା ପାଇଁ ପ୍ରୟାସ କରିବେ ସରକାର । ଦେଶ ଦେଖିବାକୁ ଚାହେଁ ଅର୍ଥମନ୍ତ୍ରୀ ଏବଂ ସରକାର ଆର୍ଥିକ ମାନ୍ଦାବସ୍ଥା ଦୂର କରିବା ପାଇଁ କିଭଳି ପଦକ୍ଷେପ ନେଉଛନ୍ତି । ଚ୍ୟାଲେଞ୍ଜ୍‌ର ଲମ୍ବା ଧାଡି ମଧ୍ୟରେ ଏହି ବଜେଟ୍ ଅତ୍ୟନ୍ତ ଗୁରୁତ୍ୱ ବହନ କରୁଛି । ଏହା ଏକ ଐତିହାସିକ ବଜେଟ୍ ହେବା ନେଇ ଆଶା ରହିଛି । ୬ଟି ଅସ୍ତ୍ର ବ୍ୟବହାର କରି ସିକ୍ସର ଦେଇପାରନ୍ତି ସୀତାରମଣ ।

ମାନ୍ଦାବସ୍ଥାକୁ ଗମ୍ଭୀରତାର ସହ ନେବେ

ପ୍ରଥମ କଥା ଯାହାକି ଅର୍ଥମନ୍ତ୍ରୀ ଏବଂ ସରକାରଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ତାହା ହେଉଛି ଭାରତରେ ଦେଖାଦେଇଥିବା ଆର୍ଥିକ ମାନ୍ଦାବସ୍ଥାକୁ ଏମାନେ ଗମ୍ଭୀରତାର ସହ ନିଅନ୍ତୁ । ଏଯାବତ୍ ସରକାର ଦେଶରେ ମାନ୍ଦାବସ୍ଥା ଥିବା କଥା ମାନୁନାହାନ୍ତି । ଗୁରୁତ୍ୱପୂର୍ଣ୍ଣ ହେଉଛି ସମସ୍ୟାର ସମାଧାନ ଦିଗରେ ପ୍ରଥମ ସୋପାନ ହେଉଛି ଏହାକୁ ମାନିବା । ବଜେଟ୍ ଏହି ସମସ୍ୟାର ସମାଧାନ ଦିଗରେ ସହାୟକ ହୋଇପାରିବ ।

ଆୟ କରରେ ହ୍ରାସ ସମ୍ଭାବନା

ଆର୍ଥିକ ମାନ୍ଦାବସ୍ଥାର ଏକ ପ୍ରମୁଖ କାରଣ ହେଉଛି ଭାରତୀୟଙ୍କ ଖର୍ଚ୍ଚ କମିବା । ଲୋକେ ୫ ଟଙ୍କିଆ ବିସ୍କୁୁଟଟିଏ କିଣିବା ପାଇଁ ବି ପଛଘୂଞ୍ଚା ଦେଇଥିବା ଖବର ପୂର୍ବରୁ ପ୍ରକାଶ ପାଇଛି । ଭାରତୀୟମାନେ ଅନେକ ସାମଗ୍ରୀ ଏବଂ ସେବା ବାବଦ ଖର୍ଚ୍ଚ କମାଉଛନ୍ତି । ଏହାର ସମାଧାନସ୍ୱରୂପ ସରକାର ଲୋକଙ୍କ ହାତକୁ କିଛ ଅଧିକ ଟଙ୍କା ଛାଡିବାକୁୁ ପଡ଼ିବ । ତାହେଲେ ଯାଇ ସେମାନେ ଖର୍ଚ୍ଚ କରିବେ ଏବଂ ଚାହିଦା ବଢ଼ିବ । ବ୍ୟକ୍ତିଗତ ଆୟ କରରେ ହ୍ରାସ ଘଟାଇ ସରକାର ଏହା କରିପାରିବେ । ଯଦି ଅର୍ଥମନ୍ତ୍ରୀ ଆୟ କରରେ ଏପଟସେପଟ କରିବାକୁ ନ ଚାହାନ୍ତି ତାହେଲେ ସ୍ଲାବ୍‌କୁ ବଢ଼ାଇପାରିବେ ।

ହାତକୁ ଟଙ୍କା ଆସିଲେ ଖର୍ଚ୍ଚ ବଢ଼ିବ

ଆୟକରରେ ଯେଉଁ ଭିନ୍ନ ଭିନ୍ନ ପ୍ରକାର ରିହାତି ବା ଡିଡକ୍ସନ ମିଳିଥାଏ ସେଥିରେ ବୃଦ୍ଧି କରାଯାଇପାରିବ । ଫଳରେ ଟିକସଦାତାଙ୍କ ହାତକୁ ଟଙ୍କା ଆସିବ । ସେମାନେ ଖର୍ଚ୍ଚ କରିବେ । ଏହାଦ୍ୱାରା ଅର୍ଥନୀତିକୁ ପ୍ରୋତ୍ସାହନ ମିଳିବ । ଆର୍ଥିକ ବିକାଶ ହାରରେ ମଧ୍ୟ ସୁଧାର ଆସିବ ।

ଲୋକଙ୍କ ଆୟ ବଢ଼ିବ

ଯେତେବେଳେ ଆୟକରରେ ହ୍ରାସ ଘଟିବ ସେତେବେଳେ ଆୟକରଦାତା ଖର୍ଚ୍ଚ କରିବେ । ଜଣଙ୍କ ଖର୍ଚ୍ଚରେ ଅନ୍ୟ ଜଣଙ୍କର ଆୟ ହେବ । ଏମାନଙ୍କ ଆୟ ବଢ଼ିଲେ ଏମାନେ ବି ଖର୍ଚ୍ଚ କରିବେ । ଫଳରେ ଅର୍ଥନୀତିରେ ଗୁଣାତ୍ମକ ପ୍ରଭାବ(ମଲ୍ଟିପ୍ଲାୟର ଇଫେକ୍ଟ) କାର୍ଯ୍ୟ କରିବ । ଫଳରେ ବିକାଶ ହାର ବଢ଼ିଚାଲିବ ।

ଏଭଳି ବଢ଼ିବ ଖର୍ଚ୍ଚ

ଯଦିଓ ସରକାର ଆୟ କରରୁ କମ୍ ରାଜସ୍ୱ ପାଇବେ ଅନ୍ୟ ଆକାରରେ ଏହାକୁ ଭରଣା କରିଦେବେ । ଆୟ କର ହ୍ରାସ ଯୋଗୁ ଘରୋଇ ଚାହିଦା ବଢ଼ିବ । ଫଳରେ ସରକାର ସାମଗ୍ରୀ ଏବଂ ସେବା କରରୁ ଅଧିକ ରାଜସ୍ୱ ପାଇବେ । ସରକାର ପୁଞ୍ଜି ପ୍ରତ୍ୟାହାରରୁ ମଧ୍ୟ ଅଧିକ ଆୟ କରିପାରିବେ ।

ସାର୍ବଜନୀନ କ୍ଷେତ୍ର ଉପରେ ଗୁରୁତ୍ୱ

ସରକାର ଏଭଳି କ୍ଷେତ୍ରରେ ଖର୍ଚ୍ଚ କରିବା ଦରକାର ଯେଉଁଥିରୁ ବୃହତ୍ ଭାଗ ଲୋକ ଉପକୃତ ହେବେ । ସଡ଼କ ନିର୍ମାଣ, ଭିତ୍ତିଭୂମି ବିକାଶ, ଶିକ୍ଷା ଏବଂ ଚିିକିତ୍ସା ଆଦି କ୍ଷେତ୍ରରେ ବ୍ୟୟବରାଦ ଅଧିକ କରିବା ଉପରେ ଗୁରୁତ୍ୱ ଦିଆଯିବା ଦରକାର ।

ପୂର୍ବ ତ୍ରୁଟିଗୁଡିକରୁ ଶିକ୍ଷା

ରାଷ୍ଟ୍ରାୟତ୍ତ ସଂସ୍ଥା ଏବଂ ସରକାରଙ୍କ ନିକଟରେ ଅନେକ ଖାଲି ଜମି ପଡିରହିଛି । ଏହି ଜମିଗୁଡିକୁ ଧୀରେ ଧୀରେ ବିକ୍ରି କରି ସରକାର ଅନେକ ଅର୍ଥ ହାସଲ କରିପାରିବେ । ପୂର୍ବ ବଜେଟ୍‌ରେ ସରକାର ଏଭଳି ଅନେକ ପଦକ୍ଷେପ ନେଇଥିଲେ ଯାହାକୁ ପର ମୁହୁର୍ତ୍ତରେ ବଦଳାଯାଇଥିଲା । ଏଭଳି ବଜେଟ୍ ଏଥର ଅର୍ଥର୍ମନ୍ତ୍ରୀ ଉପସ୍ଥାପନ କରିବେନି ବୋଲି ଆଶା । ଉପରୋକ୍ତ ପଦକ୍ଷେପଗୁଡିକ ଦ୍ୱାରା ଅର୍ଥନୀତିକୁ ନୂଆ ଦିଶା ମିଳିବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking