OnaKhabar

ଆନ୍ଧ୍ରକୁ ଚାଲାଣ ଧାନ ବୋଝେଇ ଟ୍ରକକୁ ଧରିଲେ ତହସିଲଦାର

11

ତିହିଡ : ଭଦ୍ରକ ଜିଲା ତିହିଡ଼ି ବ୍ଲକରୁ ଆନ୍ଧ୍ର ପ୍ରଦେଶକୁ ଚାଲାଣ ହେଉଥିବା ଧାନ ବୋଝେଇ ଟ୍ରକକୁ ସୋମବାର ତହସିଲଛକ ଠାରେ ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା ଅଟକ ରଖି ପୁଲିସକୁ ହସ୍ତାନ୍ତର କରିଛନ୍ତି । ତହସିଲଦାରଙ୍କର ଏହି ପଦକ୍ଷେପ ତିହିଡ଼ି ଅଂଚଳ ପାଇଁ ପ୍ରଥମ ହୋଇଥିବାରୁ ସାଧାରଣରେ ପ୍ରଶଂସା କରାଯାଇଛି । ଅସାଧୁ ଧାନ ବେପାରୀମାନେ ଚାଷୀଙ୍କୁ ପ୍ରବର୍ତାଇ କମ ମୂଲ୍ୟଦେଇ ଧାନ କ୍ରୟ କରି ଅନ୍ୟ ରାଜ୍ୟମାନଙ୍କୁ ଚାଲାଣ କରି ମାଲେମାଲ ହେଉଥିବା ବେଳେ ଯୋଗାଣ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ରହିଥିବାରୁ ଅସାଧୁ ବେପାରୀମାନେ ଫାଇଦା ଉଠାଇ ମାଲେମାଲ ହେଉଛନ୍ତି ।
ପ୍ରତିଦିନ ଏହି ଅସାଧୁ ବେପାରୀମାନେ ଖୁଲମ ଖୋଲା ପ୍ରଶାସନ ଆଖିରେ ଧୂଳି ଦେଇ ଦିନବେଳେ ବାହାର ରାଜ୍ୟକୁ ଧାନ ଚାଲାଣ ହେଉଥିବା ବେଳେ ରାତିରେ ମଧ୍ୟ ଟ୍ରକଟ୍ରକ ଧାନ ବାହାର ରାଜ୍ୟକୁ ଚାଲାଣ କରାଯାଉଛି । ସରକାରୀ ଭାବେ ମଣ୍ଡି ଖୋଲିଥିଲେ ମଧ୍ୟ ଅସାଧୁ ବେପାରୀମାନେ ଚାଷୀଙ୍କ ଅସୁବିଧାର ସୁଯୋଗ ନେଇ ସରକାରୀ ମୂଲ୍ୟ ଠାରୁ କୁଇଂଟାଲ ପିଛା ୫ଶହ ଟଙ୍କା କମ ମୂଲ୍ୟରେ ଧାନ କିଣି ବାହାର ରାଜ୍ୟକୁ ଚାଲାଣ କରୁଛନ୍ତି । ଫଳରେ ଚାଷୀମାନେ ଉପଯୁକ୍ତ ମୂଲ୍ୟ ନପାଇ ଶୋଷଣର ଶିକାର ହେଉଛନ୍ତି ।
ସୂଚନା ଅନୁଯାୟୀ, ତିହିଡ଼ି ବ୍ଲକରୁ ଏକ ଦଶଚକିଆ ଟ୍ରକ ଯୋଗେ ଧାନ ଚାଲାଣ ହେଉଥିଲା । କୌଣସି ସୂତ୍ରରୁ ଖବର ପାଇ ତହସିଲଦାର ଟ୍ରକକୁ ଅଟକ ରଖିଥିଲେ । ତେବେ ତହସିଲଦାର ଶ୍ରୀ ପଣ୍ଡା ଏହି ଧାନ ଗାଡ଼କୁ ଯାଂଚ ପାଇଁ ବ୍ଲକ ଯୋଗାଣ ନିରୀକ୍ଷକ ହରପ୍ରିୟା ସାହୁଙ୍କୁ ନିର୍ଦ୍ଦେଶ ଦେଇଛଥିଲେ । ମଙ୍ଗଳବାର ଧାନର ଯାଂଚ କଲା ପରେ ପଦକ୍ଷେପ ନିଆଯିବ ବୋଲି ଯୋଗାଣ ନିରୀକ୍ଷକ ସୂଚନା ଦେଇଛନ୍ତି । ଅପର ପକ୍ଷେ ଟ୍ରକର ଚାଲକ ଓ ହେଲପରକୁ ଥାନାରେ ଅଟକ ରଖାଯାଇଛି ।